କୁଖ୍ୟାତ ନିଶା ବ୍ୟବସାୟୀ ଗିରଫ: ୩୧ ଲକ୍ଷର ବ୍ରାଉନ୍‌ସୁଗାର୍ ଜବତ, ବରାଦ ଦେଇ ମାଡ଼ି ବସିଲା ଅବକାରୀ ଟିମ୍‌

ଗଛ କୋରଡ଼, କ୍ୟାବିନ୍ ପଛରେ ଲୁଚାଇ ରଖୁଥିଲା ବ୍ରାଉନ୍‌ସୁଗାର୍

କୁଖ୍ୟାତ ନିଶା ବ୍ୟବସାୟୀ ଗିରଫ: ୩୧ ଲକ୍ଷର ବ୍ରାଉନ୍‌ସୁଗାର୍ ଜବତ, ବରାଦ ଦେଇ ମାଡ଼ି ବସିଲା ଅବକାରୀ ଟିମ୍‌

ଜଗତସିଂହପୁର: କୁଜଙ୍ଗ ଥାନା ଅଧୀନ ହସିଣା ଗାଁରୁ କୁଖ୍ୟାତ ବ୍ରାଉନ୍‌ସୁଗାର୍‌ ବ୍ୟବସାୟୀକୁ ଜିଲ୍ଲା ଅବକାରୀ ବିଭାଗର ମୋବାଇଲ୍ ୟୁନିଟ୍ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲା ସନ୍ତୋଷ ମହାନ୍ତି (୪୪)। ତା ନିକଟରୁ ୩୧୨ ଗ୍ରାମ୍ ବ୍ରାଉନ୍‌ସୁଗାର୍‌ ଜବତ ହୋଇଛି। ଜବତ ବ୍ରାଉନ୍‌ସୁଗାର୍‌ ମୂଲ୍ୟ ୩୧ ଲକ୍ଷ ୨୦ ହଜାର ଟଙ୍କା ହେବ ବୋଲି ଜଣାପଡ଼ିଛି। ଅବକାରୀ ଅଧୀକ୍ଷକ ‌ବୈଜୟନ୍ତୀ ପଣ୍ଡାଙ୍କ ସୂଚନା ମୁତାବକ, ସନ୍ତୋଷ ସିଧାସଳଖ ଜଳେଶ୍ବରରୁ ବ୍ରାଉନ୍‌ସୁଗାର୍‌ ମଗାଇ କୁଜଙ୍ଗ ଓ ପାରାଦୀପର କିଛି ଛୋଟ ଛୋଟ ବ୍ୟବସାୟୀଙ୍କୁ ଯୋଗାଇ ଥାଏ। ଏଥର ସନ୍ତୋଷ ଅଧିକ ପରିମାଣର ବ୍ରାଉନ୍‌ସୁଗାର୍‌ ମଗାଇଥିବା ନେଇ ଅବକାରୀ ଅଧିକାରୀଙ୍କୁ ସୂଚନା ମିଳିଥିଲା। ଫଳରେ କିଛି ଦିନ ହେଲା ତା ଗତିବିଧି ଉପରେ ନଜର ରଖାଯାଇଥିଲା। ସନ୍ତୋଷକୁ ଗିରଫ କରିବା ପାଇଁ ଅବକାରୀ ଟିମ୍‌ ଜାଲ ବିଛାଇଥିଲା।

ପରିଚୟକୁ ଗୋପନ ରଖି ଜଣେ ଅବକାରୀ କର୍ମଚାରୀ ୧୦୦ ଗ୍ରାମ୍ ବ୍ରାଉନ୍‌ସୁଗାର୍‌ ଆବଶ୍ୟକ ଥିବା କହି ‌ସନ୍ତୋଷକୁ ବରାଦ ଦେଇଥିଲେ। ଏହି ଯୋଜନାକୁ ବୁଝି ନପାରି ସନ୍ତୋଷ ସେଥିରେ ଏକମତ ହେବା ସହ ଯେଉଁ ଦିନ ମାଲ୍ ‌ଆସିବ, ଏହାର ତାରିଖ ମଧ୍ୟ କହି ଦେଇଥିଲା। ଫଳରେ ଅବକାରୀ ଟିମ୍‌ ଯୋଜନାବଦ୍ଧ ଭାବେ ସନ୍ତୋଷ ଘର ଉପରେ ହଠାତ୍‌ ଚଢ଼ଉ କରିଥିଲେ। ଏହି ବ୍ୟବସାୟରେ ମାହିର ସନ୍ତୋଷ କିନ୍ତୁ ପ୍ରଥମେ ଚକ୍‌ମା ଦେବାକୁ ସକ୍ଷମ ହୋଇଥିଲା। ସନ୍ତୋଷ ନିକଟରେ ବିପୁଳ ପରିମାଣରେ ବ୍ରାଉନ୍‌ସୁଗାର୍‌ ଅଛି ବୋଲି ଅବକାରୀ ଟିମ୍‌ ପାଖରେ ଖବର ଥିଲେ ବି ଚଢ଼ଉ ସମୟରେ ପ୍ରଥମେ ତା ପାଖରୁ ମାତ୍ର ୭୨ ଗ୍ରାମ୍ ବ୍ରାଉନ୍‌ସୁଗାର୍‌ ମିଳିଥିଲା। ଗତକାଲି ରାତି ତମାମ ସନ୍ତୋଷକୁ ଜେରା କରିବା ପରେ ଘର ପାଖରେ ଥିବା ଏକ ଗଛ କୋରଡ଼ ଓ କ୍ୟାବିନ୍ ପଛ ପଟେ ଏକ ବ୍ୟାଗ୍‌ରେ ସେ ବ୍ରାଉନ୍‌ସୁଗାର୍‌ ଲୁଚାଇ ରଖିଥିବା ମାନିଥିଲା। ଏହି କାରବାରରେ ଥିବା ତାର ସମସ୍ତ ସହଯୋଗୀଙ୍କୁ ଗିରଫ କରିବାକୁ ଉଦ୍ୟମ କରାଯାଉଛି। ତେବେ ଅଭିଯୁକ୍ତ ସନ୍ତୋ‌ଷ ପୁଲିସ ଓ ଅବକାରୀ ବିଭାଗ ଦ୍ବାରା ବାରମ୍ବାର ଗିରଫ ହେଉଥିଲେ ବି ତାର କାରବାର ବନ୍ଦ ହେଉ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe