ଅତୀତକୁ ପଞ୍ଜୀକରଣ କରିବା ଆମ ଦାୟିତ୍ୱ: ସୌମ୍ୟରଞ୍ଜନ

Advertisment

ଉପନ୍ୟାସିକା ‘ଘାସଫୁଲର ଗୀତ’ ଲୋକାର୍ପିତ

ଉପନ୍ୟାସିକା ‘ଘାସଫୁଲର ଗୀତ’ ଲୋକାର୍ପିତ

ଅତୀତକୁ ପଞ୍ଜୀକରଣ କରିବା ଆମ ଦାୟିତ୍ୱ: ସୌମ୍ୟରଞ୍ଜନ

ଭୁବନେଶ୍ୱର : ସମୟକୁ କେହି ଅଟକାଇ ପାରିବେ ନାହିଁ। ଏଣୁ କିଛି ‌ଲୋକଙ୍କ ଦାୟିତ୍ବ, ଅତୀତକୁ ପଞ୍ଜୀକୃତ କରି ଆଗାମୀପିଢ଼ି ପାଇଁ ସଂରକ୍ଷିତ ରଖିବା। ଗାଁ ଜୀବନ, ମାଟି କଥା ଓ ନିଜ ଅନୁଭୂତିକୁ ଆଗାମୀ ପିଢ଼ି ଲାଗି ସୁରକ୍ଷିତ ରଖିବା ପାଇଁ ‘ଘାସଫୁଲର ଗୀତ’ ପୁସ୍ତକଟି ଉପାଦେୟ, ପ୍ରାସଙ୍ଗିକ ଓ ସ୍ବାଗତଯୋଗ୍ୟ ପଦକ୍ଷେପ। ଗୁରୁବାର ଦିନ ‘ସମ୍ବାଦ ଭବନ’ ପରିସରରେ କଥାକାର ଜ୍ଞାନରଞ୍ଜନ ନାୟକଙ୍କ ଉପନ୍ୟାସିକା ‘ଘାସଫୁଲର ଗୀତ’କୁ ଉନ୍ମୋଚନ କରି ଏହା କହିଛନ୍ତି ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ।

ଶ୍ରୀ ପଟ୍ଟନାୟକ ଆହୁରି କହିଥିଲେ ଯେ ଏବେ ବହି ପଢ଼ିବା ପାଇଁ ପାଠକମାନଙ୍କ ବିମୁଖ ଭାବ ପ୍ରକାଶକମାନଙ୍କୁ ଚିନ୍ତିତ କରୁଛି। ଆଜିର ଡିଜିଟାଲ ଯୁଗରେ ମୋଟାମୋଟା ବହି ପଢ଼ିବା ପାଠକଙ୍କ ସଂଖ୍ୟା ଖୁବ୍‌ କମ୍‌। ଏଭଳି ପରିସ୍ଥିତିରେ ଏହି କ୍ଷୁଦ୍ର ଉପନ୍ୟାସିକା ଅଳସୁଆ ପାଠକଙ୍କୁ ପଠନମନସ୍କ କରିବାରେ ସହାୟ ହେବ। ଅନୁଭବ କାଙ୍ଗାଳ ସମାଜରେ ଭଲ ସାହିତ୍ୟ କେବେ ତିଷ୍ଠି ପାରେନା। ଅନୁଭବୀ ଲୋକମାନେ ନିଜ ଅନୁଭୂତିକୁ ଲେଖି ଚାଲିଲେ ହିଁ ପାଠକମାନେ କିଛି ଜ୍ଞାନ ଅର୍ଜନ କରି ବୌଦ୍ଧିକ ଦାରିଦ୍ର୍ୟରୁ ମୁକ୍ତି ପାଇପାରିବେ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ସାହିତ୍ୟିକା ତଥା ‘ସମ୍ବାଦ ସାହିତ୍ୟଘର’ର ରାଜ୍ୟ ସଂଯୋଜିକା ଡ. ଶୁଭଶ୍ରୀ ଲେଙ୍କାଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ କଥାକାର ଗୌରହରି ଦାସ କହିଲେ, ଘାସଫୁଲ ଠାକୁର ପୂଜାରେ ଲାଗେନା କି ଫୁଲତୋଡ଼ାରେ ସଜା ହୁଏନା, ଈଶ୍ବରଙ୍କ କୃପାଦୃଷ୍ଟି ବି ପଡ଼େନା; ତାହା ଉପରେ ଲେଖକଙ୍କ ନଜର ପଡ଼େ। ପୃଥିବୀର ସମସ୍ତ ବୃତ୍ତି ମଣିଷ ନିଜ ଇଚ୍ଛା ମୁତାବକ ସ୍ଥିର କରେ। କିନ୍ତୁ କିଏ ଲେଖକ ହେବ, ତାହା ଈଶ୍ବର ନିର୍ଦ୍ଧାରଣ କରନ୍ତି। ଲେଖକ ନିଜ ଅନୁଭୂତିକୁ ନେଇ ଲେଖିଲେ ତାହା ଅଧିକ ଆଦୃତ ‌ହୋଇଥାଏ ବୋଲି ଶ୍ରୀ ଦାସ କହିଥିଲେ।

ବିଶିଷ୍ଟ ସ୍ତମ୍ଭକାର ଅସିତ ମହାନ୍ତି କହିଲେ, ଲେଖକ ଜ୍ଞାନରଞ୍ଜନ ନାୟକଙ୍କ ପରେ ଏଭଳି ପୁସ୍ତକ ଆଉ ଲେଖା ହେବ ନାହିଁ। ପୂର୍ବରୁ ଲୋକମାନେ ଗାଁ ସହ ବନ୍ଧା ହୋଇ ରହୁଥିଲେ। ସେମାନଙ୍କ ଗାଁ ଅନୁଭୂତି ଓ ମାଟି ସହ ସମ୍ପର୍କ ନିଆରା। ଏହା ପରେ ଯେଉଁ ପିଢ଼ି ଆସିଲେ, ସେମାନେ ଅଧାଗାଁ ଓ ଅଧା ସହରୀ ମଣିଷ। ସେମାନଙ୍କ ମଧ୍ୟରେ ଉଭୟ ଗାଁର ସ୍ମୃତି ଓ ସହରର ଅନୁଭୂତି ଭରି ରହିଛି। କିନ୍ତୁ ଏବେର ପିଢ଼ି ଗାଁ କ’ଣ ଜାଣନ୍ତି ନାହିଁ।

ନିଜ ଉପନ୍ୟାସିକା ସମ୍ପର୍କରେ ଲେଖକ ଶ୍ରୀ ନାୟକ କହିଲେ, ମୋ ଅନୁଭୂତିର ପଟ୍ଟଭୂମି ମୋ ଗାଁ। ନଦୀ ପହଁରା, ଗାଈଚରା, ଗଛ ଚଢ଼ା, ଗୋବର ଉଠା ଓ ଧାନ କଟାଠାରୁ ଆରମ୍ଭ କରି ପାଠପଢ଼ା ଯାଏ ସବୁ କାମ ଆମେ ଶିଖିଛୁ। ଗାଁର ମାଟି ରାସ୍ତାଠାରୁ ଆକାଶ ମାର୍ଗ ଯାଏର ଦୂରତାକୁ ମାପୁଛି। ଏଣୁ ଅନୁଭୂତିର ଏକ ବିଶାଳ ପସରା ମୋ ପାଖରେ ରହିଛି। ଏହି ସବୁ ବିକ୍ଷିପ୍ତ ସ୍ମୃତିକୁ ସଂଯୋଜିତ ଓ ବ୍ୟବସ୍ଥିତ କରି କଳ୍ପନାର ଛୁଙ୍କ ଦେଇ କିଛି ଉପନ୍ୟାସିକା ଲେଖିବା ଆରମ୍ଭ କରିଛି। ‘ଘାସଫୁଲର ଗୀତ’ ହେଉଛି ମୋ ଜୀବନର ଅଙ୍ଗେଲିଭା ଅନୁଭୂତିର କଥା ବୋଲି ଲେଖକ କହିଥିଲେ।

କାର୍ଯ୍ୟକ୍ରମରେ ଆମ ଓଡ଼ିଶାର ସମ୍ପାଦକ ସ୍ବରାଜ ମିଶ୍ର, ଗାଳ୍ପିକା ହିରଣ୍ମୟୀ ମିଶ୍ର, ଲେଖକ କ୍ଷୀରୋଦ ଚନ୍ଦ୍ର ବେହେରା ଓ କବି ତଥା ସମୀକ୍ଷକ ପବିତ୍ର ମୋହନ କର ପ୍ରମୁଖ ପୁସ୍ତକରେ ପ୍ରତିଫଳିତ ପଲ୍ଲୀ ଜୀବନ ଓ ଗାଁ ଲୋକଙ୍କର ନିଷ୍କପଟ ଜୀବନଧାରା ସମ୍ପର୍କରେ ଆଲୋଚନା କରିଥିଲେ। ଯୁବ ସାହିତ୍ୟିକ କ୍ଷେତ୍ରବାସୀ ନାୟକ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe