କଠୋର ହେଲା ସେସୁ, ବକେୟା ନ ଦେଲେ ବିଜୁଳି କ‌ାଟ୍‌

୭ ଲକ୍ଷ ଉପଭୋକ୍ତାଙ୍କ ଉପରେ ବାକି ପଡ଼ିଛି ୧୯୭୧ କୋଟି

ସେସୁ ଘରୋଇକରଣକୁ ନେଇ ଚିନ୍ତା, କେନ୍ଦ୍ରୀୟ ଟ୍ରେଡ୍‌ ୟୁନିଅନ୍‌ର ଆନ୍ଦୋଳନ ଡାକରା ୩୦ରେ ଧାରଣା

Telegraph India

ଭୁବନେଶ୍ବର: ସେସୁ ଅଞ୍ଚଳର ୭ ଲକ୍ଷ ବିଦ୍ୟୁତ ଉପଭୋକ୍ତାଙ୍କ ନିକଟରେ ୧ ହଜାର ୯୭୧ କୋଟି ଟଙ୍କା ବିଦ୍ୟୁତ ବିଲ୍‌ ବାକି ପଡ଼ିଛି। ୧ ଲକ୍ଷ ୪ ହଜାର ଉପଭୋକ୍ତା ଗତ ଦୁଇ ବର୍ଷ ହେଲା ମାଗଣା ବିଜୁଳି ଜାଳୁଛନ୍ତି। ବକେୟା ବିଦ୍ୟୁତ୍‌ ବିଲ୍‌ର ଏଭଳି ବିଚିତ୍ର ସ୍ଥିତିକୁ ନେଇ କଠୋର ହୋଇଛି ସେସୁ। ଆସନ୍ତା ଜାନୁଆରି ୧୫ ତାରିଖ ସୁଦ୍ଧା ବାକି ପଡ଼ିଥିବା ବିଲ୍‌ ଦାଖଲ କରିବା ପାଇଁ ସେସୁ ଉପଭୋକ୍ତାଙ୍କୁ ଅନୁରୋଧ କରିଛି। ଯଦି ଏହି ଅବଧି ଭିତରେ ଦାଖଲ ନ ହୁଏ ତେବେ ୧୬ ତାରିଖରୁ ଏହି ଗ୍ରାହକମାନଙ୍କର ବିଦ୍ୟୁତ ସଂଯୋଗ କଟାଯିବ ବୋଲି ସୂଚନା ଦେଇଛନ୍ତି ସିଇଓ ଅରୁଣ ବୋଥ୍ରା।

ଆଜି ଅପରାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ରାଜ୍ୟରେ ଆମେ ଶହେ ଟଙ୍କାରେ କିଣୁଥିବା ବିଜୁଳିରୁ ୭୨ ଟଙ୍କା ମିଳୁଛି। ୨୮ ଟଙ୍କା କ୍ଷତି ହେଉଛି। କେବଳ ଘରୋଇ ଉପଭୋକ୍ତା ଥିବା ଅଞ୍ଚଳରେ ମାତ୍ର ୧୨ ଟଙ୍କା ଆଦାୟ ହେଉଛି। ସେସୁର ଆର୍ଥିକ ସ୍ଥିତି ଭଲ ନାହିଁ। ଏଭଳି ସ୍ଥିତିରେ ଆମକୁ ବାକି ପଡ଼ିଥିବା ଟଙ୍କା ଆଦାୟ କରିବାର ଅଛି। ଏଣୁ ଏଭଳି ଉପଭୋକ୍ତାମାନଙ୍କୁ ଚିହ୍ନଟ କରାଯାଇଛି। ୧୯୭୧ କୋଟିରୁ ୨୯୦ କୋଟି ଟଙ୍କାକୁ ନେଇ ବିବାଦ କୋର୍ଟରେ ରହିଛି। ଅନ୍ତତଃ ୧୭୦୦ କୋଟି ଆଦାୟ ପାଇଁ ଲକ୍ଷ୍ୟ ରଖାଯାଇଥିବା ଶ୍ରୀ ବୋଥ୍ରା କହିଛନ୍ତି।

ବାକି ପଡ଼ିଥିବା ସମସ୍ତ ଟଙ୍କା ଆଦାୟ କରାଯିବ। ଟଙ୍କାଟିଏ ଛଡ଼ା ଯିବ ନାହିଁ। ସର୍ବାଧିକ ୬ଟି କିସ୍ତିରେ ପୈଠ କରିବା ପାଇଁ ଉପଭୋକ୍ତାଙ୍କୁ ସୁଯୋଗ ଦିଆଯିବ। ଏଥିରେ ନ ସୁଧୁରିଲେ ବିତ୍ୟୁତ ସଂଯୋଗ ବିଚ୍ଛିନ୍ନ ହେବ। ଯେଉଁମାନଙ୍କର ସମସ୍ୟା ରହିଛି, ସେମାନେ ସିଧାସଳଖ ସେସୁ କାର୍ଯ୍ୟାଳୟ ସହିତ ଯୋଗାଯୋଗ କରି ସମାଧାନ କରିପାରିବେ। ତେବେ ସଂଯୋଗ ବିଚ୍ଛିନ୍ନ କରିବା ପୂର୍ବରୁ ସଚେତନତା ଉଦ୍ଦେଶ୍ୟରେ ବିଭିନ୍ନ ବିଦ୍ୟୁତ ଅଫିସ୍‌ରେ ବିଜ୍ଞପ୍ତି ସହ ଥାନାରେ ସୂଚନା, ଲିଫ୍‌ଲେଟ୍‌, ଉପଭୋକ୍ତାଙ୍କୁ ଏସ୍‌ଏମ୍‌ଏସ୍‌ ଜରିଆରେ ସଚେତନ କରାଯିବ। ଏହା ପରେ ମଧ୍ୟ ଦେୟ ପୈଠ ନ କଲେ ସଂଯୋଗ ବିଚ୍ଛିନ୍ନ କରିଦିଆଯିବ ବୋଲି ଶ୍ରୀ ବୋଥ୍ରା କହିଛନ୍ତି।
ସେସୁ ଅଧୀନରେ ୨୭ ଲକ୍ଷ ଉପଭୋକ୍ତା ରହିଛନ୍ତି। ଏଥିରୁ ୭ ଲକ୍ଷ ଲୋକ ବିଦ୍ୟୁତ ବିଲ୍‌ ଦେବାରେ ଠକୁଛନ୍ତି। ଏହି ୭ ଲକ୍ଷରୁ ୯୨ ପ୍ରତିଶତ ଘରୋଇ ଉପଭୋକ୍ତା ରହିଛନ୍ତି। ଯାହାଙ୍କ ଉପରେ ୧ ହଜାର ୨୩ କୋଟି ଟଙ୍କା ବାକି ପଡ଼ିଛି। ୫୮ ହଜାର ୫୪୮ ଉପଭୋକ୍ତାଙ୍କ ଉପରେ ମୁଣ୍ଡପିଛା ୫୦ ହଜାରରୁ ଊର୍ଦ୍ଧ୍ବ ବାକି ପଡ଼ିଛି; ଯାହାର ପରିମାଣ ହେଉଛି ୬୯୧ କୋଟି ଟଙ୍କା। ୭.୧ ପ୍ରତିଶତ ହେଉଛି ବ୍ୟାବସାୟିକ ପ୍ରତିଷ୍ଠାନ। ଏମାନଙ୍କ ଉପରେ ୧୮୨ କୋଟି ବାକି ରହିଛି। ସେହିଭଳି ୦.୯ ପ୍ରତିଶତ ହେଉଛି ଶିଳ୍ପ ସଂସ୍ଥା ଯାହାଙ୍କ ଉପରେ ୧୦୮ କୋଟି ଟଙ୍କା ବାକି ପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe