ରାଜ୍ୟରେ ଏବେ ବି ସକ୍ରିୟ ଚିଟ୍‌ଫଣ୍ଡ ସଂସ୍ଥା: ରାତାରାତି କୋଟିପତି କରାଇଦେବେ କହି ଲୁଟିନେଲେ ୧୦କୋଟିରୁ ଅଧିକ

Advertisment

ଇଓଡବ୍ଲୁର ଦ୍ବାରସ୍ଥ ହେଲେ ଅଭିଯୋଗକାରୀ

ଇଓଡବ୍ଲୁର ଦ୍ବାରସ୍ଥ ହେଲେ ଅଭିଯୋଗକାରୀ

ଏତିକି ଚିଟଫଣ୍ଡ କମ୍ପାନିର ଜବତ କରାଯାଇଛି ସମ୍ପତ୍ତି, ଗୃହରେ ଉତ୍ତର ରଖିଲେ ଅର୍ଥମନ୍ତ୍ରୀ

Representative image

ଭୁବନେଶ୍ୱର : ରାତାରାତି କୋଟିପତି କରାଇବାର ସ୍ବପ୍ନ ଦେଖାଇ ଲୋକଙ୍କୁ ଲୁଟୁଥିବା ଚିଟ୍‌ଫଣ୍ଡ ସଂସ୍ଥାର ଗୁମର ଖୋଲି ଅନେକ ବନ୍ଧା ହେବା ସତ୍ତ୍ବେ ଏବେ ବି ଅନେକ ଜିଲ୍ଲାରେ ଏଭଳି ଠକେଇ ଚାଲିଛି। ଗତ ଦୁଇ ବର୍ଷ ମଧ୍ୟରେ ଉତ୍ତର ଓଡ଼ିଶାରେ ଏହି ଭଳି ୩ଟି ଚିଟଫଣ୍ଡ୍ ସଂସ୍ଥା ଲୋକଙ୍କ ଠାରୁ ପ୍ରାୟ ୧୦କୋଟିରୁ ଅଧିକ ଟଙ୍କା ଚୂନ ଲଗାଇଥିବା ଜଣାପଡ଼ିଛି। ଏନେଇ ଭଦ୍ରକ ବଂଶଡ଼ାର ଧରିତ୍ରୀ ମହାଲିକ୍ ନାମ୍ନୀ ଜଣେ ମହିଳା କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ)ର ଦ୍ବାରସ୍ଥ ହୋଇଛନ୍ତି। ତାଙ୍କ ଅଭିଯୋଗ ଅନୁଯାୟୀ, ୨୦୧୯ ମେ’ରେ ଭଦ୍ରକର ପ୍ରଶାନ୍ତ ନାମକ ଜଣେ ଯୁବକ ଡାଇରେକ୍ଟ ସେଲିଂ ବ୍ୟବସାୟ କରିବାକୁ କହି ତାଙ୍କୁ ଅରୋକ୍ସା ଡିଲ୍ ମଲ୍ଟିଟ୍ରେଡ୍ ନାମକ ଏକ ସଂସ୍ଥାରେ ନିବେଶ କରିବା ପାଇଁ କହିଥିଲେ। ଏହି ସଂସ୍ଥାରେ ନିବେଶ କଲେ ୬ମାସରେ ଦୁଇଗୁଣା ଟଙ୍କା ବଢ଼େଇବା ସହିତ ମାଗଣା ବିଦେଶ ବୁଲା, ୪୨ଇଞ୍ଚ୍‌ର ଟିଭି ଏହିଭଳି ଅନେକ ଦାମୀ ଉପହାର ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପ୍ରତିଶ୍ରୁତି ଅନୁଯାୟୀ, ସେ ପ୍ରଥମେ ୭ହଜାର ଟଙ୍କା ନିବେଶ କରିବା ପରେ ୨ଟି ଫ୍ୟାନ୍ ମାଗଣା ଆଣିବା ସହିତ ପ୍ରତିଦିନ ତାଙ୍କୁ ସଂସ୍ଥା ପକ୍ଷରୁ ୫୦ଟଙ୍କା ଦିଆଯାଇଥିଲା। ଭଲ ଲାଭ ହେବା ଦେଖି ପରେ ସେ ବ୍ୟାଙ୍କ୍‌ରୁ ଋଣ କରି ଅରୋକ୍ସା ଡିଲ୍ ପାଖରେ ପ୍ରାୟ ୩ଲକ୍ଷ ଟଙ୍କା ନିବେଶ କରିଥିଲେ। ଏପରିକି ସ୍ଥାନୀୟ ଅଞ୍ଚଳରେ ଲୋକଙ୍କୁ କହି ଲକ୍ଷ ଲକ୍ଷ ଟଙ୍କା ନିବେଶ କରିଥିଲେ। ମାତ୍ର ସର୍ତ୍ତ ଅନୁଯାୟୀ ଦିନ ପରେ ଦିନ ଗଡ଼ିଯାଇଥିଲେ ସୁଦ୍ଧା ଲୋକ ଟଙ୍କା ପାଇନଥିଲେ।

ଏହିଭଳି ସାଧାରଣରେ ଲୋକଙ୍କୁ ଲୋଭନୀୟ ସ୍କିମ୍ ବା ଅଫର୍ ଦେଖାଇ ଉତ୍ତର ଓଡ଼ିଶାର ବିଶେଷ କରି ବାଲେଶ୍ବର ଓ ଭଦ୍ରକ ଜିଲ୍ଲାରୁ ଅରୋକ୍ସା ଡିଲ୍ ମଲ୍ଟିଟ୍ରେଡ୍ ପ୍ରାୟ ୫ହଜାରରୁ ଅଧିକ ଲୋକଙ୍କ ଠାରୁ ପ୍ରାୟ ୧୦କୋଟିରୁ ଅଧିକ ଟଙ୍କା ଠକିନେଇଥିବା ଇଓଡବ୍ଲୁରେ ଅଭିଯୋଗ ହୋଇଛି। କେବଳ ଧରିତ୍ରୀ ନୁହେଁ, ଭଦ୍ରକ ବାସୁଦେବପୁର ସଚ୍ଚିକାନ୍ତ ମଲିକଙ୍କ ଠାରୁ ୨୫ଲକ୍ଷ, ବାଲେଶ୍ବର ଖନ୍ତାପଡ଼ାରୁ ଦୀନବନ୍ଧୁ ପରିଡ଼ାଙ୍କ ଠାରୁ ୫ଲକ୍ଷରୁ ଅଧିକ ଟଙ୍କା, ବାସୁଦେବପୁରର ଜୟପ୍ରକାଶ ମଲିକଙ୍କ ଠାରୁ ୨୨ଲକ୍ଷ ଟଙ୍କା ଠକେଇ ହୋଇଥିବା ଜଣାପଡ଼ିଛି। ଏହି ଠକେଇ ଟଙ୍କା ପଛରେ ସ୍ଥାନୀୟ ଅଞ୍ଚଳର ୪ଜଣ ଲୋକ ଏହିଭଳି ନକଲି ସଂସ୍ଥା ଖୋଲି ଠକେଇ କରିଥିବା ଅଭିଯୋଗ ହୋଇଛି।
କେବଳ ଅରୋକ୍ସା ଡିଲ୍ ନୁହେଁ, ଫ୍ୟୁଚର୍ ୟୋର, ୟୋର୍ ଡିଲ୍, ଲାଇଜମ୍ପ୍ ଭଳି ମାଳମାଳ ଚିଟ୍‌ଫଣ୍ଡ ସଂସ୍ଥା ଖୋଲିଥିବା ଧରିତ୍ରୀ କହିଛନ୍ତି। ତେବେ ଏଠାରେ ପ୍ରଶ୍ନ ଉଠୁଛି ଏଟି, କ୍ୟୁନେଟ୍, ସିସୋର୍, ରୋଜଭ୍ୟାଲି ଭଳି ଶହ ଶହ ଚିଟ୍‌ଫଣ୍ଡ ସଂସ୍ଥା ଲୋକଙ୍କ ଠାରୁ କୋଟି କୋଟି ଟଙ୍କା ଚଳୁ କରିନେଇଥିବା ବେଳେ ଏବେ ବି ଏହି ଚିଟଫଣ୍ଡ୍ ସଂସ୍ଥା ବନ୍ଦ ହେବାରେ ନାଁ ନେଉନାହିଁ। ସ୍ଥାନୀୟ ପୁଲିସ ଠାରୁ ଆରମ୍ଭ କରି ରାଜ୍ୟରେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଥିବା ଅର୍ଥନୈତିକ ଅପରାଧ ଶାଖାର ସ୍ଥାଣୁତା ପାଇଁ ବାରମ୍ବାର ଏଭଳି ଠକେଇ ହେଉଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe