ବିଶ୍ରା: ଦେଶରେ ନକ୍ସଲବାଦ ବିରୋଧରେ ଏକପ୍ରକାର ଶେଷଯୁଦ୍ଧ ଚାଲିଛି କହିଲେ ଅତ୍ୟୁକ୍ତି ହେବନାହିଁ। ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶରେ ସୁରକ୍ଷାବଳଙ୍କ ନିରନ୍ତର ଅଭିଯାନ ଯୋଗୁ ସେଠାରେ ମାଓଗଡ଼ ଭୁଶୁଡ଼ି ଯାଇଛି। ମାଓ ସଙ୍ଗଠନର ଟପ୍ କ୍ୟାଡର ନେତା ଦୁର୍ଦ୍ଦାନ୍ତ ହିଡ଼ମା ଓ ତାର ପତ୍ନୀ, ସଙ୍ଗଠନର ଅନ୍ୟ ନକ୍ସଲ ନେତା ଏନ୍କାଉଣ୍ଟରରେ ପ୍ରାଣ ହରାଇବା ପରେ ସୁରକ୍ଷାବାହିନୀର ମନୋବଳ ଏବେ ଉଚ୍ଚରେ। ଏବେ ଝାଡ଼ଖଣ୍ଡର ସରଣ୍ଡା ଜଙ୍ଗଲକୁ ମାଓମୁକ୍ତ କରିବା
ପାଇଁ ସୁରକ୍ଷାବାହିନୀ ସ୍ବତନ୍ତ୍ର ଅଭିଯାନରେ ବାହାରିଛି। ଝାଡ଼ଖଣ୍ଡ ପୁଲିସ, ସିଆର୍ପିଏଫ୍ର ସ୍ବତନ୍ତ୍ର ପ୍ରଶିକ୍ଷିତ କୋବ୍ରା ଓ ଜାଗୁଆର ବାହିନୀର ୧୦ ହଜାର ଯବାନ ଏହି ଅଭିଯାନରେ ସାମିଲ ହୋଇଛନ୍ତି। ସରଣ୍ଡାରେ ଆତ୍ମଗୋପନ କରିଥିବା ତଥା ମୁଣ୍ଡ ଉପରେ ୧ କୋଟିର ପୁରସ୍କାର ଥିବା ମାଓନେତା ମିସିରି ବେଶ୍ରା ଓ ଅନଲଦା ଏବେ ସୁରକ୍ଷାବାହିନୀର ଟାର୍ଗେଟ୍ରେ ଅଛନ୍ତି। ଏହି ଅଭିଯାନର ନେତୃତ୍ବ ନେଉଥିବା ଝାଡ଼ଖଣ୍ଡ ପୁଲିସ ଆଇଜି (ନକ୍ସଲ ଅପରେସନ୍ସ) ଡ. ମାଇକେଲ ଏସ୍ ରାଜ କହିଛନ୍ତି, ସରଣ୍ଡା ଜଙ୍ଗଲରେ ଏବେ ମାତ୍ର ୬୦ରୁ ୭୦ ଜଣ ନକ୍ସଲ ଅଛନ୍ତି। ସେମାନଙ୍କ ବିରୋଧରେ ବଡ଼ ଅଭିଯାନ ଚାଲିଛି। ସରଣ୍ଡାକୁ ମାଓମୁକ୍ତ କରିବା ପର୍ଯ୍ୟନ୍ତ ଏହି ଅଭିଯାନ ଜାରି ରହିବ ବୋଲି ସେ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ଝାଡ଼ଖଣ୍ଡର ସରଣ୍ଡା ଜଙ୍ଗଲ ଦୀର୍ଘଦିନ ଧରି ନକ୍ସଲମାନଙ୍କର ଗଡ଼ ଭାବେ ରହିଆସିଛି। ଏହି ଜଙ୍ଗଲରେ ମାଓନେତା ମିସିର ବେଶ୍ରା, ଅନଲଦା’ଙ୍କ ସହ ୫୦ ଲକ୍ଷର ପୁରସ୍କାର ରାଶି ଥିବା ଅସୀମ ମଣ୍ଡଳ, ଦ୍ବିତୀୟଧାଡ଼ିର ନେତା ମୋଛୁ, ମୋତିଲାଲ ଓ ନିର୍ଭୟଦା ଲୁଚି ରହିଛନ୍ତି। ପ୍ରତିଦିନ ଏହି ମାଓବାଦୀଙ୍କୁ ଟାର୍ଗେଟ୍ କରି ଯବାନମାନେ ଜଙ୍ଗଲରେ ଆଗକୁ ବଢ଼ୁଛନ୍ତି। ଏହି ଅଭିଯାନରେ ସୁରକ୍ଷାବାହିନୀ ହାତରେ ନକ୍ସଲଙ୍କ ଅସ୍ତ୍ରଶସ୍ତ୍ର, ଗୋଳାବାରୁଦ ଓ ମାଓ ସାମଗ୍ରୀ ଜବତ ହେଉଛି। ତେବେ ଗତ ବର୍ଷକ ଭିତରେ ଅନେକ ବଡ଼ବଡ଼ ମାଓନେତାଙ୍କ ଏନ୍କାଉଣ୍ଟର ଓ କର୍ମୀଙ୍କ ଆତ୍ମସମର୍ପଣ ନକ୍ସଲଙ୍କୁ ବ୍ୟାକ୍ଫୁଟ୍କୁ ଠେଲିଦେଇଛି। ଏବେ ସୁରକ୍ଷାବାହିନୀ ଉପରେ ଆକ୍ରମଣ ନୁହେଁ, ନିଜ ଜୀବନ ବଞ୍ଚାଇବା ସେମାନଙ୍କର ପ୍ରାଥମିକତା ହୋଇଯାଇଛି।
Follow Us