ଏବେ ଶୁଖିଲା ପଡ଼ିଛି ଧାନବିଲ: ଆଶ୍ୱିନରେ ଫୁଲ ଉଡ଼ାଉନାହିଁ ଧାନଗଛ

କାମରେ ଲାଗୁନି ଚେକ୍‌ଡ୍ୟାମ୍‌

ଏବେ ଶୁଖିଲା ପଡ଼ିଛି ଧାନବିଲ: ଆଶ୍ୱିନରେ ଫୁଲ ଉଡ଼ାଉନାହିଁ ଧାନଗଛ

ଭାପୁର: ଆଶ୍ୱୀନ ମାସରେ ଧାନଗଛ ଫୁଲ ଉଡ଼ାଉଥିବା ବେଳେ ଚଳିତ ବର୍ଷ ବିଲରେ ପାଣିର ଅଭାବ ଯୋଗୁ ପ୍ରାୟତଃ ମରୁଡ଼ିର ପଦଧ୍ୱନି ଦେଖାଦେଇଛି। ବିଲ ଫାଟି ଆଁ କଲାଣି। କିନ୍ତୁ ଲକ୍ଷ ଲକ୍ଷ ଟଙ୍କାରେ ନିର୍ମାଣ ହୋଇଥିବା ଚେକ୍‌ଡ୍ୟାମ୍‌ ସବୁ ଶୁଖିଲା ପଡ଼ିଛି। ଧାନବିଲର ଏଭଳି ପରିସ୍ଥିତି ନେଇ କୃଷକମାନଙ୍କ ମୁଣ୍ଡରୁ ହାତ ବାହାରୁନି। ଭାପୁର ବ୍ଲକ୍‌ କୃଷି ବିଭାଗରୁ ମିଳିଥିବା ସୂଚନାରୁ ଜଣାପଡ଼ିଛି, ଭାପୁର ବ୍ଲକ୍‌ର୧୧ ହଜାର ୩୦୨ ହେକ୍ଟର ଜମିରୁ ୭ ହଜାର ୬ ଶହ ହେକ୍ଟରରେ ଧାନ ଫସଲ ହୋଇଥାଏ। ଚଳିତ ବର୍ଷ ଆରମ୍ଭରୁ ପାଗ ଅନୁକୂଳ ନ ହେବାରୁ ବର୍ଷା ଠିକ୍‌ଭାବେ ହୋଇନଥିଲା। ପରବର୍ତ୍ତୀ ସମୟରେ ସ୍ୱାଭାବିକ ବର୍ଷା ହୋଇଥଲେ ମଧ୍ୟ୍ୟ ବର୍ତ୍ତମାନ ଧାନବିଲ ସବୁ ଶୁଖିଲା ପଡ଼ିଛି। କେଉଁଠି ଧାନ ଗଛରୁ ଫୁଲ ଝଡ଼ିପଡୁଛି ତ ଆଉ କେଉଁଠି ଧାନଗଛ ହଳଦିଆ ପଡ଼ିଗଲାଣି।

ଭାପୁର ବ୍ଲକ୍‌ ଅଞ୍ଚଳରେ ବର୍ଷା ଅଭାବ ନେଇ ଦୁଇବର୍ଷ ତଳେ ଖଣ୍ଡପଡ଼ା କ୍ଷୁଦ୍ର ଉଠା ଜଳସେଚନ ବିଭାଗ ତରଫରୁ ପ୍ରାୟ ଦେଢ଼ ଶହରୁ ଊର୍ଦ୍ଧ୍ବ ଚେକ୍‌ ଡ୍ୟାମ୍‌ ନିର୍ମାଣ ହୋଇଛି। ଏବେ କେଉଁଠି ଡ୍ୟାମ୍‌ ଭାଙ୍ଗିରୁଜି ଗଲାଣି ତ କେଉଁଠି ଆଦୌ କାମରେ ଲାଗୁନି। ଭାପୁର ବ୍ଲକ୍‌ ଅଞ୍ଚଳରେ ଥିବା ବୃହତ୍‌ ଡ୍ୟାମଗୁଡ଼ିକ ଶୁଖିଲା ପଡ଼ିଛି। ଗୋଟିଏ ଦିଗରେ ଡ୍ୟାମ୍‌ଗୁଡ଼ିକ କେଉଁ କାର୍ଯ୍ୟ ପାଇଁ ନିର୍ମାଣ କରାଯାଇଥିଲା ପ୍ରଶ୍ନ ଉଠୁଥିବା ବେଳେ ଅନ୍ୟ ଦିଗରେ ଶୁଖିଲା ଧାନବିଲ ଦେଖି ଚାଷୀକୁଳ ଚିନ୍ତିତ ହୋଇପଡ଼ିଥିବା ସତେଯେପରି ମରୁଡ଼ିର ପଦଧ୍ବନି ଶୁଣାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe