କେନ୍ଦୁଝର: ବିଜେପି-ବିଜେଡି ମେଣ୍ଟ ଚର୍ଚ୍ଚା କାରଣରୁ ଉଭୟ ଦଳର ନେତା ଆଶା ଆଶଙ୍କାରେ ରହିବା ସହ ରାଜନୈତିକ କାର୍ଯ୍ୟକ୍ରମ ମଧ୍ୟ ଏକପ୍ରକାର ବନ୍ଦ ରହିଥିଲା। ଗତକାଲି ମେଣ୍ଟ ହେବନି ବୋଲି ସ୍ପଷ୍ଟ ହୋଇଯିବା ପରେ ଆଜିଠାରୁ ନେତାମାନେ ଗାଁ ମୁହାଁ ହୋଇଛନ୍ତି। ସଭାସମିତି ଓ କର୍ମୀ ସମ୍ମିଳନୀ କରି ନିର୍ବାଚନ ପାଇଁ ସଜବାଜ ଆରମ୍ଭ କରିଛନ୍ତି। କେନ୍ଦୁଝର ବିଧାୟକ ତଥା ବିଜେପିର ଟିକଟ ଆଶାୟୀ ମୋହନ ଚରଣ ମାଝୀ ଆଜି ବାଂଶପାଳ ବ୍ଲକ୍ ବିଜାଗୋଠରେ କର୍ମୀଙ୍କୁ ନେଇ ବୈଠକ କରିଛନ୍ତି। ବୈଠକରେ ଏକାଧିକ ଛାମୁଆ ନେତାମାନେ ଉପସ୍ଥିତ ରହି ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି। ଏହି ବୈଠକରେ ବିଜେପିର ଜିଲ୍ଲା ବିଜେପି ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା, ପୂର୍ବତନ ସାଂସଦ ଅନନ୍ତ ନାୟକ ଉପସ୍ଥିତ ଥିଲେ। ସେହିପରି ବିଜେଡିର ଟିକଟ ଆଶାୟୀ ମୀନା ମାଝୀ ଆଜି କଣ୍ଡରାପଶି ପଞ୍ଚାୟତର ରେଙ୍ଗାଳବେଡ଼ା, ଧନୁର୍ଜୟପୁର, ମଧୁପୁର, ପଳାଶପଙ୍ଗା ସମେତ କେନ୍ଦୁଝର ସହରର ବିଭିନ୍ନ ଛାମୁଆ ନେତା ଓ କର୍ମୀଙ୍କୁ ଭେଟିଛନ୍ତି। କିଛି ସ୍ଥାନରେ କର୍ମୀମାନଙ୍କୁ ନେଇ ବୈଠକ କରିଥିବା ଜଣାପଡ଼ିଛି।
ପାଟଣା ବିଧାୟକ ଜଗନ୍ନାଥ ନାୟକ ମଧ୍ୟ ଆଜି ଦିନତମାମ ବିଭିନ୍ନ ସ୍ଥାନରେ ବୈଠକ କରିଛନ୍ତି। ସେ କିଛିଦିନ ହେବ ଭୁବନେଶ୍ବରରେ ଡେରା ପକାଇଥିଲେ। ମେଣ୍ଟ ହେବନି ବୋଲି ଜାଣିବା ପରେ ଜଗନ୍ନାଥ ଏବେ ନିର୍ବାଚନମଣ୍ଡଳୀ ମୁହାଁ ହୋଇ ଆଜିଠାରୁ ଦଳୀୟ କାମରେ ଲାଗିଛନ୍ତି। ଆଜି ସେ ସାହାରପଡ଼ା ବ୍ଲକ୍ର ବିଭିନ୍ନ ପଞ୍ଚାୟତ ପ୍ରତିନିଧିମାନଙ୍କ ସହ ବୈଠକ କରିଛନ୍ତି। ଏଥିରେ ଦଳୀୟ ପର୍ଯ୍ୟବେକ୍ଷକ ମଧ୍ୟ ଉପସ୍ଥିତ ଥିଲେ। ସେହିପରି ପାଟଣାରୁ ବିଜେପି ଟିକଟ ଆଶାୟୀ ମମିତା ନାଏକ ମଧ୍ୟ ଆଜି ସାହାରପଡ଼ା ବ୍ଲକ୍ର ଦାମାହୁଦା ଓ ଡାଳପକାରେ କର୍ମୀ ସମ୍ମିଳନୀ କରିଛନ୍ତି। ଆସନ୍ତାକାଲି ଝମ୍ପୁରା ବ୍ଲକ୍ର ପର୍ଶଳା, ଡୁମୁରିଆ ଓ ଖୁଣ୍ଟାପଡ଼ାରେ କର୍ମୀ ସମ୍ମିଳନୀ ହେବ ବୋଲି ସେ କହିଛନ୍ତି। ଚମ୍ପୁଆ ନିର୍ବାଚନମଣ୍ଡଳୀରେ ବିଜେଡିର ଅନ୍ୟତମ ଟିକଟ ଆଶାୟୀ କୁଶ ଆପଟ୍ଟ ବାସୁଦେବପୁରରେ ଆୟୋଜିତ ମାଗେ ପରବରେ ସାମିଲ ହୋଇଥିଲେ। ସେ ଏହି ଅବସରରେ ଦଳୀୟ କର୍ମୀଙ୍କୁ ଭେଟି ଆଲୋଚନା କରିଥିବା ଜଣାପଡ଼ିଛି। ଘସିପୁରା ନିର୍ବାଚନମଣ୍ଡଳୀର ବିଜେପି ଟିକଟ ଆଶାୟୀ ଯଜ୍ଞପ୍ରସାଦ ସାହୁ ଅଳତି, ଶାଳଦେଇ, ଦରଡ଼ିପାଳ ଓ ତରିମୁଳରେ ଦଳୀୟ କର୍ମୀଙ୍କୁ ଭେଟି ସଂଗଠନ ସମ୍ପର୍କରେ ଆଲୋଚନା କରିଛନ୍ତି। ଏହା ଗୋଟିଏ ଗୋଟିଏ ଉଦାହରଣ ହୋଇଥିବା ବେଳେ ସବୁ ନିର୍ବାଚନମଣ୍ଡଳୀରେ ସ୍ଥିତି ସମାନ। ମେଣ୍ଟ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଆଶାୟୀମାନେ ଭୁବନେଶ୍ବର ଓ ଦିଲ୍ଲୀରେ ରହି ନିଜ ପାଇଁ ଲବି କରୁଥିଲେ। ଏବେ ନିର୍ବାଚନମଣ୍ଡଳୀକୁ ଫେରି ନିଜ ନିଜ କାମରେ ଲାଗିପଡ଼ିଥିବା ଦେଖିବାକୁ ମିଳିଛି।
Follow Us