ଏଣିକି ମିଳିବ ନକଲ ଏସ୍‌ଏଲ୍‌ସି ଓ ସିଏଲ୍‌ସି

ଏବେ ସ୍କୁଲ ବନ୍ଦ ହେବନି: ଗଣଶିକ୍ଷା ମନ୍ତ୍ରୀ

www.chseonss.nic.in

ଭୁବ‌ନେଶ୍ବର : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଏଣିକି ନକଲ(ଡୁପ୍ଲିକେଟ୍‌) ଲିଭିଙ୍ଗ ସାର୍ଟିଫିକେଟ୍‌ ମିଳିବ। ଯଦି କୌଣସି କାରଣ ଯୋଗୁଁ ଏହି ସାର୍ଟିଫିକେଟ୍‌ ହଜିଥିବ କିମ୍ବା ନଷ୍ଟ ହୋଇଥିବ ସେ କ୍ଷେତ୍ରରେ ସମ୍ପୃକ୍ତ ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀଙ୍କୁ ନକଲ ସିଏଲ୍‌ସି(କଲେଜ ଲିଭିଙ୍ଗ୍‌ ସାର୍ଟିଫିକେଟ୍‌) ଓ ଏସ୍‌ଏଲ୍‌ସି(ସ୍କୁଲ ଲିଭିଙ୍ଗ୍‌ ସାର୍ଟିଫିକେଟ୍‌) ପ୍ରଦାନ କରିବେ। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ନିର୍ଦେଶ ପରେ ଗଣଶିକ୍ଷା‌ ବିଭାଗ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଏହି ନିୟମ ପାଳନ କରିବାକୁ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ନିର୍ଦେଶକଙ୍କ ଜରିଆରେ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କୁ ନିର୍ଦେଶ ଦିଆଯାଇଛି।

ସିଏଲ୍‌ସି/ଏସ୍‌ଏଲ୍‌ସି ହଜିବା ଦ୍ବାରା ଛାତ୍ରଛାତ୍ରୀ ଅନେକ ସମୟରେ ଅସୁବିଧାର ସମ୍ମୁଖୀନ ହେଉଥିବା ନଜରକୁ ଆସିଥିଲା। ତାହାକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ଛାତ୍ରଛାତ୍ରୀ ସିଏଲ୍‌ସି ଓ ଏସ୍‌ଏଲ୍‌ସି ହଜିବାର ନିର୍ଦ୍ଦିଷ୍ଟ କାରଣ ଦର୍ଶାଇ ନକଲ ସାର୍ଟିଫିକେଟ୍‌ ନେଇପାରିବେ। ତେବେ ଏଥିପାଇଁ ସମ୍ପୃକ୍ତ ଶିକ୍ଷାନୁଷ୍ଠାନରେ ଆବେଦନକାରୀ ଛାତ୍ରଛାତ୍ରୀ ସତ୍ୟପାଠ(ଆଫିଡେଭିଟ୍‌) ଦାଖଲ କରିବେ। କୌଣସି ଛାତ୍ରଛାତ୍ରୀ ନକଲ ସାର୍ଟିଫିକେଟ୍‌ ନେଇ ଦୁଇଟି ପାଠ୍ୟକ୍ରମରେ ପଢ଼ିବା ଭଳି ଅପବ୍ୟବହାର କଲେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏମିତିକି ଛାତ୍ରଛାତ୍ରୀଙ୍କ ବିରୋଧରେ ଅପରାଧିକ ମାମଲା ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe