୪ଟି ବଗିରେ ଚାଲିଛି ନୂଆଗାଁ-ପୁରୀ ପାସେଞ୍ଜର: ଏବେ ଭିଡ଼ ଅସମ୍ଭାଳ, ଆଗକୁ ଆସୁଛି କାର୍ତ୍ତିକ

ଟ୍ରେନ୍‌ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ

ରାଉରକେଲା ଦେଇ ଯାଉଥିବା ୬୬ ଟ୍ରେନ୍‌ ବାତିଲ: ଚାଲିଛି ତୃତୀୟ ରେଳ ଲାଇନ ଓ ଅନ୍ୟ ବିକାଶମୂଳକ କାର୍ଯ୍ୟ

ନୟାଗଡ଼ : ବହୁ ଦାବି, ବାଦବିବାଦ ପରେ ନୟାଗଡ଼ ଜିଲ୍ଲାରୁ ଇତିମଧ୍ୟରେ ପୁରୀକୁ ଟ୍ରେନ୍‌ ସେବା ପୁନର୍ବାର ଆରମ୍ଭ ‌ହୋଇଛି। ମାତ୍ର କିଛି ମାସ ତଳେ ଏହି ଟ୍ରେନ୍‌ ସେବା ଆରମ୍ଭ ହୋଇଥିବା ବେଳେ, ପ୍ରଥମେ ଏହା ପ୍ରାୟ ୭ଟି ବଗି ସହିତ ଚଳାଚଳ କରୁଥିଲା। ତେବେ ଲୋକ ନ ହେବା କାରଣରୁ ୩ଟି ବଗି କାଢି ଦିଆଯାଇଥିବା ବେଳେ, ବର୍ତ୍ତମାନ ଏହା ୪ଟି ବଗିରେ ଚାଲୁଛି। ତେବେ ଧୀରେ ଧୀରେ ଏହି ପାସେଞ୍ଜର ଟ୍ରେନ୍‌ ପ୍ରଚାରପ୍ରସାର ପରେ ଲୋକଙ୍କର ଯିବାଆସିବା ଅଭ୍ୟାସ ବଢିଛି। ବଗି ସଂକଟ ବର୍ତ୍ତମାନ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ବଗି ଥିବା ବେଳେ ଯାତ୍ରୀ ନଥିଲେ, ବଗି କମିଯିବା ବେଳକୁ ଯାତ୍ରୀ ବଢିବା ବିଚିତ୍ର ସ୍ଥିତି ସୃଷ୍ଟି କରିଛି। ରେଳ ବିଭାଗର ତରବରିଆ ନିଷ୍ପତ୍ତି ନେଇ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ବଗି ସଂଖ୍ୟା ବଢାଇବାକୁ ନୟାଗଡ଼ ନାଗରିକ ମଞ୍ଚ ପକ୍ଷରୁ ଦାବି କରାଯାଇଛି। ଏନେଇ ଗଣମାଧ୍ୟମ ଜରିଆରେ ମଞ୍ଚ ପୂର୍ବତଟ ରେଳପଥ କର୍ତ୍ତୃପକ୍ଷଙ୍କ ନିକଟରେ ଦାବି କରିଛି। ପୁରୀ ଭଳି ଏକ ଗୁରୁତ୍ବପୂର୍ଣ୍ଣ ସ୍ଥାନକୁ ଚଳାଚଳ କରୁଥିବା ଟ୍ରେନ୍‌ରେ ମାତ୍ର ୪ଟି ବଗି ରହିବା ଜିଲ୍ଲାର ୧୦ ଲକ୍ଷରୁ ଊର୍ଦ୍ଧ୍ବ ଜନସାଧାରଣଙ୍କୁ ଉପହାସ ସଦୃଶ ବୋଲି ମଞ୍ଚ ପକ୍ଷରୁ କୁହାଯାଇଛି।

publive-image India Rail Info

ସୂଚନାଯୋଗ୍ୟ, ନୟାଗଡ଼ ଜିଲ୍ଲାରୁ ଏହି ଗୋଟିଏ ମାତ୍ର ଟ୍ରେନ୍ ସକାଳ ୬ଟା ୩୦ରେ ନୂଆଗାଁ ଷ୍ଟେସନ୍‌ରୁ ବାହାରି ପୁରୀ ଅଭିମୁଖେ ଯାତ୍ରା କରିଥାଏ। ଏହି ଟ୍ରେନ୍ ଉପରେ ଜିଲ୍ଲାର ନୂଆଗାଁ ସମେତ ଦଶପଲ୍ଲା, ଗଣିଆ, ମଧ୍ୟଖଣ୍ଡ, ନୟାଗଡ, ଓଡ଼ଗାଁ, ଶରଣକୁଳ, ଖଣ୍ଡପଡ଼ା ଆଦି ସ୍ଥାନରୁ ଦୈନିକ ଶହଶହ ଲୋକ ପୁରୀ ଯିବା ପାଇଁ ନିର୍ଭର କରିଥାନ୍ତି। ଅତ୍ୟଧିକ ଭିଡ଼ ଏବଂ ସମୟସାପେକ୍ଷରୁ ବର୍ତ୍ତିବା ପାଇଁ ଲୋକମାନେ ବସ୍‌ରେ ନଯାଇ ଟ୍ରେନ୍‌ରେ ପୁରୀ ଯିବା ପାଇଁ ଅଧିକ ପସନ୍ଦ କରୁଛନ୍ତି। କିନ୍ତୁ ଉକ୍ତ ଟ୍ରେନ୍‌ରେ କମ୍‌ ସଂଖ୍ୟକ ବଗି ଯୋଗୁ ସ୍ଥାନର ଅଭାବ ତଥା ଅତ୍ୟଧିକ ଭିଡ଼ ଯୋଗୁ ଯାତ୍ରୀମାନେ ନାହିଁ ନଥିବା ହଇରାଣ ହେଉଛନ୍ତି।  ଏପରିକି ଅନେକ ସମୟରେ ପୁରୀ ପର୍ଯ୍ୟନ୍ତ ଛିଡ଼ା ହୋଇ ଯିବାକୁ ବାଧ୍ୟ ହେଉଛନ୍ତି। ସ୍ଥିତି ଏଭଳି ଯେ ନୟାଗଡ଼ ଟାଉନ୍‌ ‌ଷ୍ଟେସନ୍‌ରୁ ମଧ୍ୟ ଯାତ୍ରୀମାନଙ୍କୁ ସିଟ୍‌ ମିଳୁ ନାହିଁ।

ନୟାଗଡ଼ ଷ୍ଟେସନ୍‌ ପରେ ପଡ଼ୁଥିବା ବୋଲଗଡ଼ ରୋଡ୍‌, ବୋଲଗଡ଼ ଟାଉନ୍‌, ରାଜସୁନାଖଳା, ବେଗୁନିଆ, ଖୋର୍ଦ୍ଧା ରୋଡ୍‌ ଭଳି ଷ୍ଟେସନ୍‌ରୁ ଶହଶହ ଯାତ୍ରୀ ପୁରୀ ଯିବା ପାଇଁ ଏହି ଟ୍ରେନରେ ଚଢ଼ିଥାନ୍ତି। ଫଳରେ ସ୍ଥିତି ଅସମ୍ଭାଳ ହୋଇପଡ଼ୁଛି। ଆଗକୁ କାର୍ତ୍ତିକ ମାସ ଆସୁଥିବାରୁ ପୁରୀ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ହବିଷ୍ୟାଳିଙ୍କ ସମେତ ସାଧାରଣ ଶ୍ରଦ୍ଧାଳୁଙ୍କ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ତେଣୁ ବଗି ସମସ୍ୟା ପ୍ରତି ତୁରନ୍ତ ରେଳ ବିଭାଗ ଦୃଷ୍ଟି ଦେବାକୁ ସାଧାରଣରେ ମତପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe