ଚାଷବାସ ମନ୍ଥର, ନୂଆପଡ଼ାରୁ ଆସିବ ନୂଆଁଖାଇ ଧାନ

ଚାଷବାସ ମନ୍ଥର, ନୂଆପଡ଼ାରୁ ଆସିବ ନୂଆଁଖାଇ ଧାନ

ବରଗଡ଼: ରବି ଧାନ ବିକ୍ରି ପ୍ରକ୍ରିୟାରେ ଧୋକା ଖାଇଥିବା ବରଗଡ଼ ଜିଲ୍ଲାର ଚାଷୀ ଏଥର ଖରିଫ୍‌ ଚାଷ ପାଇଁ ଚିନ୍ତାରେ ପଡ଼ିଛନ୍ତି। ଜୁନ୍‌ ମାସରେ ନିଅଣ୍ଟିଆ ବର୍ଷା ଯୋଗୁଁ ଜିଲ୍ଲାରେ ଚାଷବାସ ଆଗେଇ ନ ଥିଲା। ଜଳାଭାବ ଯୋଗୁଁ ଜୁଲାଇ ପହିଲାରୁ ଆରମ୍ଭ ହେବାକୁ ଥିବା ରୁଆ, ବିହୁଡ଼ା ବି ବନ୍ଦ ରହିଥିଲା। ଏହି ଅବଧି ପର୍ଯ୍ୟନ୍ତ ଜଳସେଚିତ ହେଉ କି ଅଣଜଳସେଚିତ, କୌଣସି ସ୍ଥାନରେ ଚାଷ କାମ ଆଗେଇ ନ ଥିଲା। ସାମାନ୍ୟ ବର୍ଷା ହେବା ଯୋଗୁଁ ଚାଷୀଙ୍କ ମନରେ ଆଶା ସଂଚାର ହୋଇଥିଲା।  କିନ୍ତୁ ବିହନ ଧୋକା ଦେଇଥିଲା। ଚାଷୀଙ୍କୁ ମିଳିଥିବା ସରକାରୀ ବିହନ ଉନ୍ନତମାନର ନୁହେଁ ବୋଲି ବିଭିନ୍ନ ସ୍ଥାନରୁ ଅଭିଯୋଗ ଆସିଲା। କିଛି ଦିନର ଲଗାତାର ଲଘୁଚାପ ବର୍ଷା ପର୍ଯ୍ୟାପ୍ତ ହୋଇଛି। କିନ୍ତୁ ଜମିରେ ପାଣି ଢେଉ ମାରୁଛି। ଯଦ୍ବାରା ଧାନ ରୁଆରେ ବାଧା ଉପୁଜୁଛି। କୃଷି କାର୍ଯ୍ୟାଳୟରୁ ମିଳିଥିବା ସୂଚନା ମୁତାବକ, ଏଥର ଜିଲ୍ଲାରେ ୭୩,୮୩୭ ହେକ୍ଟର ଜମ‌ିରେ ବେଉଁଶଣ ଟାର୍ଗେଟ୍‌ ଥିଲା।

ଏଥିରୁ ୭୮ ପ୍ରତିଶତ ଅର୍ଥାତ ୫୭,୬୦୯ ହେକ୍ଟର ଜମିରେ ବେଉଁଶଣ ସରିଛି। ଅନ୍ୟପକ୍ଷରେ ୧,୩୫,୬୩୮ ହେକ୍ଟର ଜମିରେ ଧାନ ରୁଆ ଟାର୍ଗେଟ୍‌ ଥିବାବେଳେ ଏହାର ୮୯ ପ୍ରତିଶତ ଅର୍ଥାତ ୧,୧୯,୮୯୫ ହେକ୍ଟରରେ ରୁଆ ସରିଛି। ଜିଲ୍ଲାରେ ଯେତିକି ବି କିସମର ଧାନ ବୁଣା ହୋଇଛି ସେଥିରେ ସେପ୍ଟେମ୍ବର ଦ୍ବିତୀୟ ସପ୍ତାହ ପରେ ଫଳ ଧରିବ। ତେଣୁ ଜିଲ୍ଲାବାସୀଙ୍କୁ ନୂଆଁଖାଇ ପାଇଁ ନୂଆ ଧାନ ଏଠାରୁ ମିଳିବା ସମ୍ଭାବନା କ୍ଷୀଣ। ନୂଆଁଖାଇ ପାଇଁ ନୂଆପଡ଼ା ଜିଲ୍ଲାରୁ 'ସରିଆ' କିସମର ଧାନ ଆସିବ। ସେଥିରେ ନୂଆ ଅନ୍ନ ଲାଗିବ ବୋଲି ଜଣାପଡ଼ୁଛି। କାରଣ ସରିଆ କିସମର ଧାନ କମ୍‌ ଦିନ ଭିତରେ ଫଳି ଥାଏ। ବରଗଡ଼ ଜିଲ୍ଲାରେ ‘ମାଲ୍‌’ ଜମିରେ ଅତିକମ୍‌ରେ ତିନିମାସ ପରେ ଧାନ ବାହାରି ଥାଏ। ସେହିପରି ‘ବାହାଲ୍‌’ କିସମର ଜମିରେ ୧୪୫ ଦିନ ପରେ ଧାନ ଉତ୍ପାଦିତ ହୁଏ। ବର୍ତମାନ ଜଳସେଚିତ ଇଲାକାରେ ପ୍ରାୟତଃ ସବୁ ବାହାଲ୍‌ ଜମି ପାଲଟି ଗଲାଣି। ଫଳରେ ଏଠାରେ ଚାଷ ହେଉଥିବା ବଡ଼ ଧାନ ପାଇଁ ୧୪୫ ଦିନର ସମୟ ଆବଶ୍ୟକ। ଏଣେ ବିଳମ୍ବରେ ଚାଷକାର୍ଯ୍ୟ ଆରମ୍ଭ ଏବଂ ଆଗକୁ କେନାଲ୍‌ ପାଣି କଟକଣା ଧାନ ଚାଷ ବିଗାଡ଼ି ଦେବ ବୋଲି ଆଶଂକା ରହିଛି। ସାଧାରଣତଃ ନଭେମ୍ବର ଶେଷ ସପ୍ତାହ‌ ପୂର୍ବରୁ କେନାଲ୍‌ ଇଲାକାରେ ଧାନ ବାହାରି ଥାଏ। ଏଥର ସେପ୍ଟେମ୍ବର ପହିଲାରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ତେଣୁ ଜିଲ୍ଲାରୁ ନୂଆ ଅନ୍ନ ପାଇଁ ନୂଆ ଧାନ ପାଇଁ ନୂଆପଡ଼ା ଜିଲ୍ଲା ଉପରେ ନିର୍ଭର କରିବାକୁ ପଡ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe