ନୂଆପଡ଼ା ଉପନିର୍ବାଚନ: ୧୬ରେ ବିଜେପିର ନାମାଙ୍କନ, ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀ

ନୂଆପଡ଼ା ଉପନିର୍ବାଚନରେ ବିଜେପି ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନି। ଦୁଇ ଦିନ ତଳେ ଦଳର କୋର୍‌ କମିଟି ବୈଠକ ବସିଥିବାବେଳେ ଏଥିରେ ନିଷ୍ପତ୍ତି ହୋଇଥିବା ପ୍ରାର୍ଥୀଙ୍କ ନାମକୁ ଦଳର ସଂସଦୀୟ ବ୍ୟାପାର କମିଟିକୁ ‌ପଠାଇଛି।

bjp

ଭୁବନେଶ୍ବର/ନୂଆପଡ଼ା: ନୂଆପଡ଼ା ଉପନିର୍ବାଚନରେ ବିଜେପି ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନି। ଦୁଇ ଦିନ ତଳେ ଦଳର କୋର୍‌ କମିଟି ବୈଠକ ବସିଥିବାବେଳେ ଏଥିରେ ନିଷ୍ପତ୍ତି ହୋଇଥିବା ପ୍ରାର୍ଥୀଙ୍କ ନାମକୁ ଦଳର ସଂସଦୀୟ ବ୍ୟାପାର କମିଟିକୁ ‌ପଠାଇଛି। ବିଜେଡି ଛାଡ଼ି ବିଜେପିରେ ମିଶିଥିବା ଜୟ ଢୋଲକିଆଙ୍କୁ ଦଳୀୟ ପ୍ରାର୍ଥୀ କରିବାକୁ କୋର୍ କମିଟି ସୁପାରିସ କରିଛି। ହେଲେ ଦିଲ୍ଲୀରେ ନାମ ଚୂଡ଼ାନ୍ତ ହେବା ପରେ ଘୋଷଣା ହେବାକୁ ଥିବାରୁ ଦଳର ସଭାପତି କି କୌଣସି ନେତା ମୁହଁ ଖୋଲୁନାହାନ୍ତି। କିନ୍ତୁ ବିଜେପିର ରାଜ୍ୟସଭା ସାଂସଦ ସୁଜିତ କୁମାର ଆଜି ଘୋଷଣା କରିଦେଇଛନ୍ତି ଯେ ଜୟ ଢୋଲକିଆ ନୂଆପଡ଼ାରେ ଦଳୀୟ ପ୍ରାର୍ଥୀ ହେବେ। ତାଙ୍କ ନାମ ଚୂଡ଼ାନ୍ତ ହୋଇସାରିଛି, କେବଳ ଘୋଷଣା ବାକି ଅଛି। ସୁଜିତ କୁମାର କହିଛନ୍ତି ଯେ ଆସନ୍ତା ୧୬ ତାରିଖରେ ଜୟ ଢୋଲକିଆ ନାମାଙ୍କନପତ୍ର ଦାଖଲ କରିବେ। ଏଥିପାଇଁ ମୁଖ୍ୟମନ୍ତ୍ରୀ ‌ମୋହନ ଚରଣ ମାଝୀ ନୂଆପଡ଼ା ଗସ୍ତରେ ଯିବେ। ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ସାଂସଦ, ମନ୍ତ୍ରୀ ଓ ବିଧାୟକଙ୍କ ଉପସ୍ଥିତିରେ ଶ୍ରୀ ଢୋଲକିଆ ଏକ ବିରାଟ ଶୋଭାଯାତ୍ରାରେ ଯାଇ ନାମାଙ୍କନପତ୍ର ଦାଖଲ କରିବେ। ଏହି ଅବସରରେ ଏକ ମିଶ୍ରଣ ପର୍ବରେ ୨ ହଜାରରୁ ଅଧିକ ବିଜେଡି ଓ କଂଗ୍ରେସ କର୍ମୀ ଦଳ ଛାଡ଼ି ବିଜେପିରେ ମିଶିବେ। ଏହା ସହ ସେ କହିଛନ୍ତି ଯେ ବିଜେଡି ଏପର୍ଯ୍ୟନ୍ତ ପ୍ରାର୍ଥୀ ସ୍ଥିର କରିନି, କଂଗ୍ରେସକୁ ଲୋକ ପସନ୍ଦ କରୁନାହାନ୍ତି। ତେଣୁ ବିଜେପି ଏଠାରେ ନିଶ୍ଚିତ ଜିତିବ ଏବଂ ୫୦ ହଜାରରୁ ଅଧିକ ଭୋଟରେ ଜିତିବ।

ଅପରପକ୍ଷେ ବିଜେଡିର ବରିଷ୍ଠ ନେତା ଅରୁଣ ସାହୁ କହିଛନ୍ତି, ଗତକାଲି ବିଜ୍ଞପ୍ତି ପ୍ରକାଶ ପାଇଲା। ବର୍ତ୍ତମାନ ସୁଦ୍ଧା କେବଳ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି। ଶାସକ ଦଳ ତ ଏ ପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିପାରିନି। ବିଜେଡି ଠିକଣା ସମୟରେ ଜଣେ ଦକ୍ଷ ଓ ସୁଦକ୍ଷ ପ୍ରାର୍ଥୀ ଦେବ। ଆଉ ବାଜିମାତ୍ କରିବ। ଏହାସହ ସେ ବିଜେପିକୁ କଟାକ୍ଷ କରି କହିଛନ୍ତି ଯେ ଆମେ ନୂଆପଡ଼ାରେ ମଞ୍ଚ ବାନ୍ଧିଲୁ, କିନ୍ତୁ ସେମାନେ ଭାଷଣ ଦେଲେ। ଆମେ କ’ଣ ଜାଣିଥିଲୁ ସେମାନେ ପ୍ରାର୍ଥୀ ହଡ଼ପ କରିନେଇଯିବେ ବୋଲି? ସେହିପରି ଜଣେ ନେତାଙ୍କ ମୃତ୍ୟୁ ପରେ ଉପନିର୍ବାଚନରେ ତାଙ୍କ ପରିବାରର ସଦସ୍ୟଙ୍କୁ ପ୍ରାର୍ଥୀ କରିବା ଧାରା ବନ୍ଦ ହୋଇଯିବା ଦରକାର ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe