Nuapada by-election: ନୂଆପଡ଼ା ଉପନିର୍ବାଚନ: ତ୍ରିମୁଖୀ ଲଢ଼େଇ; ମୌଳିକ ପ୍ରସଙ୍ଗ ଗାଏବ, ଅନ୍ୟ ପ୍ରସଙ୍ଗକୁ ଗୁରୁତ୍ବ

ନୂଆପଡ଼ା ଉପନିର୍ବାଚନ ପାଇଁ ବିଜେପି, ବିଜେଡି ଓ କଂଗ୍ରେସ ପ୍ରାର୍ଥୀଙ୍କ ପ୍ରଚାର ସରଗରମ ହେବାରେ ଲାଗିଛି। ଏହି ଉପନିର୍ବାଚନ ଜିତିବା ଶାସକ ବିଜେପି ପାଇଁ ସମ୍ମାନର ପ୍ରଶ୍ନ ହୋଇଥିବା ବେଳେ ବିଜେଡି ନିଜ ଗଡ଼କୁ ସୁରକ୍ଷିତ ରଖିବାକୁ ଜୋରଦାର ପ୍ରୟାସ କରୁଛି।

cartoon nuapada election

cartoon nuapada election Photograph: (sambad.in)

ନୂଆପଡ଼ା: ନୂଆପଡ଼ା ଉପନିର୍ବାଚନ ପାଇଁ ବିଜେପି, ବିଜେଡି ଓ କଂଗ୍ରେସ ପ୍ରାର୍ଥୀଙ୍କ ପ୍ରଚାର ସରଗରମ ହେବାରେ ଲାଗିଛି। ଏହି ଉପନିର୍ବାଚନ ଜିତିବା ଶାସକ ବିଜେପି ପାଇଁ ସମ୍ମାନର ପ୍ରଶ୍ନ ହୋଇଥିବା ବେଳେ ବିଜେଡି ନିଜ ଗଡ଼କୁ ସୁରକ୍ଷିତ ରଖିବାକୁ ଜୋରଦାର ପ୍ରୟାସ କରୁଛି। ଅନ୍ୟପକ୍ଷରେ ଦଳୀୟ ପ୍ରାର୍ଥୀଙ୍କ ଭରସାରେ ନିର୍ବାଚନ ଜିଣି କଂଗ୍ରେସ ରାଜ୍ୟରେ ନିଜର ସ୍ଥିତି ମଜଭୁତ କରିବାକୁ ଆଶା ବାନ୍ଧିଛି। ତେବେ ପ୍ରଚାର ମଇଦାନରେ ଉଷ୍ମତା ବଢ଼ୁଥିଲେ ମଧ୍ୟ ନୂଆପଡ଼ାବାସୀଙ୍କ ମୌଳିକ ପ୍ରସଙ୍ଗ ଗାଏବ ହୋଇଯାଇଛି। କେବଳ ଅନ୍ୟ ପ୍ରସଙ୍ଗଗୁଡ଼ିକୁ ନେଇ ଦଳୀୟ ନେତାମାନେ ଆରୋପ, ପ୍ରତ୍ୟାରୋପରେ ମାତିଛନ୍ତି। 

ନୂଆପଡ଼ାର ମୂଳ ପ୍ରସଙ୍ଗ ହେଉଛି ଦାଦନ ସମସ୍ୟା। ଏହା ସହିତ ଆଜି ବି ସ୍ୱାସ୍ଥ୍ୟ, ଶିକ୍ଷା ଓ ଜଳସେଚନ ଭଳି ମୌଳିକ ଭିତ୍ତିଭୂମି ସୁଦୃଢ଼ ହୋଇ ପାରିନାହିଁ। ଜିଲ୍ଲା ଗଠନ ପୂର୍ବରୁ ଓ ପରେ ମଧ୍ୟ ନୂଆପଡ଼ା ଜିଲ୍ଲା ପଛୁଆ ହୋଇ ରହିଛି। ଦାଦନପ୍ରବଣ ଜିଲ୍ଲା ଟ୍ୟାଗ୍‌ରୁ ମୁକୁଳି ପାରିନାହିଁ। ଦାଦନ, ସ୍ୱାସ୍ଥ୍ୟ, ଶିକ୍ଷା ଓ ଜଳସେଚନ ଭଳି ମୌଳିକ କ୍ଷେତ୍ରରେ ଜିଲ୍ଲା ବହୁ ପଛରେ ରହିଛି। ଅପର ଜୋଙ୍କ୍ ଜଳସେଚନ ପ୍ରକଳ୍ପ ଭଳି ଗୁରୁତ୍ୱପୂର୍ଣ୍ଣ ଯୋଜନା ବର୍ଷବର୍ଷ ଧରି ଅସମ୍ପୂର୍ଣ୍ଣ ରହିଛି। ଫଳରେ କୃଷି ଉପରେ ନିର୍ଭରଶୀଳ ଜନସଂଖ୍ୟାକୁ ପ୍ରବାସୀ ଶ୍ରମିକ ହେବାକୁ ବାଧ୍ୟ କରୁଛି। ରାଜ୍ୟ ସରକାରଙ୍କ ୨୦୨୪ ସର୍ଭେ ରିପୋର୍ଟ କହୁଛି ଯେ ନୂଆପଡ଼ା ସମେତ ୧୧ଟି ଜିଲ୍ଲାର ପ୍ରାୟ ୭୦% ପରିବାର ବିଭିନ୍ନ ସମୟରେ ଦାଦନ ଖଟିବା ପାଇଁ ପଡ଼ୋଶୀ ରାଜ୍ୟକୁ ଯାଉଛନ୍ତି। ନୂଆପଡ଼ାରେ ଶିଳ୍ପ ଓ ଦକ୍ଷତା କେନ୍ଦ୍ରର ଅଭାବ ରହିଛି।

ବେକାରି ସମସ୍ୟା ଉତ୍କଟ ଥିବାରୁ ଦାଦନ ସମସ୍ୟାରୁ ସ୍ଥାନୀୟ ଯୁବକ ଯୁବତୀ ମୁକୁଳି ପାରୁନାହାନ୍ତି। ସେହିପରି ନୂଆପଡ଼ାର ୮୦% ଜନସଂଖ୍ୟା କୃଷି ଉପରେ ନିର୍ଭରଶୀଳ। କିନ୍ତୁ ଜିଲ୍ଲାରେ ମାତ୍ର ୩୫% (୧.୨ଲକ୍ଷ ହେକ୍ଟର ଜମି)ରେ ଜଳସେଚନ ସୁବିଧା ରହିଛି। ଅପର ଜୋଙ୍କ୍ ଜଳସେଚନ ପ୍ରକଳ୍ପର କାର୍ଯ୍ୟ ମାତ୍ର ୪୦% ସମ୍ପନ୍ନ ହୋଇପାରିଛି। ଜଳସେଚନ, ଶୀତଳଭଣ୍ଡାର, ବଜାର ସଂଯୋଗ ଭଳି ସମସ୍ୟାର ସ୍ଥାୟୀ ସମାଧାନ ହୋଇ ପାରିନାହିଁ। ଜିଲ୍ଲା ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ଦୁର୍ବଳ ସ୍ଥିତିରେ। ଜିଲ୍ଲାରେ ୩୦%ରୁ ଅଧିକ ଡାକ୍ତର ପଦ ଖାଲିଥିବା ବେଳେ ଉନ୍ନତ ଚିକିତ୍ସା ସେବା ଜିଲ୍ଲାବାସୀଙ୍କ ପାଇଁ ଏବେ ବି ସ୍ୱପ୍ନ ହୋଇରହିଛି। 

ଜିଲ୍ଲାରେ ୨୦୨୩ ଆକଳନ ଅନୁସାରେ ସାକ୍ଷରତା ହାର ମାତ୍ର ୪୯%। ଆଦିବାସୀ ଓ ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ମଧ୍ୟରେ ମାଧ୍ୟମିକ ସ୍ତରରେ ପାଠ ଛାଡ଼ିବା ହାର ପ୍ରାୟ ୫୦%। ଜିଲ୍ଲାରେ ଉନ୍ନତ ମାନର ଶିକ୍ଷା ଭିତ୍ତିଭୂମି ମଧ୍ୟ ଅସଜଡ଼ା ହୋଇରହିଛି। ଜିଲ୍ଲାର ପ୍ରାୟ ୧.୩୦ଲକ୍ଷ ଭୋଟର ଆଦିବାସୀ ଓ ଅନୁସୂଚିତ ଜାତି ବର୍ଗର ହୋଇଥିବା ବେଳେ ସେମାନଙ୍କ ପାଇଁ ଜୀବିକା ନିର୍ବାହର ଭିତ୍ତିଭୂମି ବିକଶିତ ହୋଇପାରି ନାହିଁ। ଏତେସବୁ ମୌଳିକ ସମସ୍ୟା ରହିଥିଲେ ମଧ୍ୟ ଚଳିତ ଉପନିର୍ବାଚନରେ ଏହାକୁ ତିନି ପ୍ରମୁଖ ରାଜନୈତିକ ଦଳ ପ୍ରସଙ୍ଗ କରୁ ନଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ଭତ୍ତା, ମାଗଣା ବିଜୁଳି ଭଳି ପ୍ରସଙ୍ଗଗୁଡ଼ିକୁ ନେଇ ନିଜ ନିଜ ଭିତରେ ଆରୋପ, ପ୍ରତ୍ୟାରୋପରେ ମାତିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe