ମନ୍ତ୍ରୀ ଢୋଲକିଆଙ୍କ ବିରୋଧରେ ନୂଆପଡ଼ା ବନ୍ଦ: ଇସ୍ତଫା ଦାବି କଲା କଂଗ୍ରେସ

ମନ୍ତ୍ରୀ ଢୋଲକିଆଙ୍କ ବିରୋଧରେ ନୂଆପଡ଼ା ବନ୍ଦ: ଇସ୍ତଫା ଦାବି କଲା କଂଗ୍ରେସ

ନୂଆପଡ଼ା: ନୂଆପଡ଼ା ବିଧାୟକ ତଥା ରାଜ୍ୟ ସରକାରଙ୍କ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କ ବିରୋଧରେ ସ୍ବାଭିମାନ ମଞ୍ଚ ପକ୍ଷରୁ ୧୨ଘଣ୍ଟିଆ ନୂଆପଡ଼ା ବନ୍ଦ ଡାକରା ଦିଆଯାଇଥିଲା। ଫଳରେ, ଦୋକାନ, ବଜାର, ବ୍ୟାଙ୍କ, ସରକାରୀ କାର୍ଯ୍ୟାଳୟ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଥିବା ଦେଖିବାକୁ ମିଳିଛି। ତେବେ, ପରୀକ୍ଷା ଥିବାରୁ ସ୍କୁଲ୍‌, କଲେଜକୁ ବନ୍ଦରୁ ବାଦ୍‌ ଦିଆଯାଇଥିଲା। ମନ୍ତ୍ରୀ ଶ୍ରୀ ଢୋଲକିଆଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଛି ସ୍ବାଭିମାନ ମଞ୍ଚ। ମଞ୍ଚର ଅଭିଯୋଗ ଅନୁସାରେ, ୨୦୧୫ ମସିହା ‘ଅନ୍ବେଷା ଯୋଜନା’ରେ ତାଙ୍କ ପୁଅଙ୍କ ଦ୍ବାରା ପରିଚାଳିତ ଜ୍ଞାନଜ୍ୟୋତି ସ୍କୁଲ୍‌ରେ ଘୋଟାଲା ହୋଇଛି। ଏହାପୂର୍ବରୁ ୨୦୧୨ରେ ବିଧାୟକଙ୍କ ବିରୋଧରେ ୨୨ ହଜାର ନକଲି ଡିଏପି ସାର ଓ ୟୁରିଆ ସାର ବିକ୍ରି ସମ୍ବନ୍ଧୀୟ ଏକ ମାମଲା ରୁଜୁ ହୋଇଥିଲା। ଏହି ମାମଲା ନୂଆପଡ଼ା ଜିଲ୍ଲା ନ୍ୟାୟାଳୟଙ୍କ ବିଚାରଧୀନ ଅବସ୍ଥାରେ ରହିଥିଲେ ବି ତଦନ୍ତ କରାଯାଉନାହିଁ। ନୂଆପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀର ୬୩ ପଞ୍ଚାୟତକୁ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ରେ ଆସିଥିବା ୫୦ ଲକ୍ଷ ଟଙ୍କା ମଧ୍ୟରୁ ପ୍ରତ୍ୟେକ ପଞ୍ଚାୟତରେ ଖେଳ ସାମଗ୍ରୀ ବାବଦରେ ୨ଲକ୍ଷ ୫୦ ହଜାର ଟଙ୍କା ବଦଳରେ ମାତ୍ର ୩୦ ହଜାର ଟଙ୍କାର ସାମଗ୍ରୀ ବଣ୍ଟନ କରାଯାଇଛି। ବାକି ଅର୍ଥ ଆତ୍ମସାତ୍‌ କରାଯାଇଛି। ଏଥିସହିତ, ବିଧାୟକ ପାଣ୍ଠି, ଡବ୍ଲୁଓଡିସି, ଆଇଡିଏଫ ପାଣ୍ଠିର ମଧ୍ୟ ଦୁରୁପଯୋଗ ହୋଇଛି।

ଏହିଭଳି ଅଭିଯୋଗ ଆଣିବା ସହିତ ବିଧାୟକଙ୍କ ବିରୋଧରେ ସିବିଆଇ, ଇଡି ଓ ଭିଜିଲାନ୍ସ ତଦନ୍ତ ଦାବି କରି ସ୍ବାଭିମାନ ମଞ୍ଚ ପକ୍ଷରୁ ୧୨ ଘଣ୍ଟିଆ ନୂଆପଡ଼ା ବନ୍ଦ ଡାକରା ଦିଆଯାଇଥିଲା। ମଞ୍ଚର ଉପଦେଷ୍ଟା ମନୋଜ ମିଶ୍ର, ସରୋଜ ସାହୁଙ୍କ ନେତୃତ୍ବରେ ନୂଆପଡ଼ା  ୩୫୩  ନଂ ଜାତୀୟ ରାଜପଥ ଏକତା ଛକଠାରେ ମଞ୍ଚର ବହୁ କର୍ମକର୍ତ୍ତାମାନେ ଏକତ୍ର ହୋଇ ରାସ୍ତା ଅବରୋଧ କରିଥିଲେ। ବନ୍ଦ ଯୋଗୁ ଜାତୀୟରାଜପଥ ଉଭୟ ପାର୍ଶ୍ବରେ ଶତାଧିକ ଯାନବାହନ ଅଟକ ରହିଥିବା ବେଳେ ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏହି ବନ୍ଦରେ ସରୋଜ ସାହୁ, ହରିଶ୍ଚନ୍ଦ୍ର ପଣ୍ଡା, ଆଦିବାସୀ କଲ୍ୟାଣ ସଂଘ ସଭାପତି ଭାନୁ ପ୍ରତାପ ସିଂ ମାଝୀ, ନୂଆପଡ଼ା ଜିଲ୍ଲା ସରପଞ୍ଚ ସଂଘ  ସଭାପତି ପ୍ରେମଲାଲ ନାଏକ,  ସୁଧୀର  ମିଶ୍ର, ହେମନ୍ତ କର, ଆଶୋକ ଦେବଙ୍ଗନ, ହରପ୍ରସାଦ ମାଝୀ, ମହେଶ ନିଆଲ, ସରୋଜିନୀ ମାଝୀ ପ୍ରମୁଖ ସାମିଲ୍‌ ହୋଇଥିଲେ।

ଇସ୍ତଫା ଦାବି କଲା କଂଗ୍ରେସ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ମନ୍ତ୍ରୀ ରାଜେନ୍ଦ୍ର ପ୍ରସାଦ ଢୋଲକିଆ ଦୁର୍ନୀତି ଓ ଭ୍ରଷ୍ଟାଚାରରେ ସଂପୃକ୍ତ ଅଛନ୍ତି। ଶ୍ରୀ ଢୋଲକିଆଙ୍କୁ ଏଭଳି କାର୍ଯ୍ୟକୁ ବିରୋଧ କରି ଆଜି ନୂଆପଡ଼ା ଜିଲ୍ଲାରେ ବନ୍ଦ ପାଳନ ହୋଇଛି। ନୂଆପଡ଼ାବାସୀ ଏହି ବନ୍ଦକୁ ସମର୍ଥନ ଜଣାଇଛନ୍ତି। ତେଣୁ ଦୁର୍ନୀତି ଅଭିଯୋଗ ଥିବା ମନ୍ତ୍ରୀ ଶ୍ରୀ ଢୋଲକିଆଙ୍କ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛନ୍ତି ପିସିସି ମୁଖପାତ୍ର ସୁଦର୍ଶନ ଦାସ। ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଦାସ କହିଥିଲେ, ଶ୍ରୀ ଢୋଲକିଆ ବିଭିନ୍ନ ପ୍ରକଳ୍ପରେ ଅର୍ଥ ଆତ୍ମସାତରେ ଲିପ୍ତ ଅଛନ୍ତି। ଏହା ବିରୋଧରେ ଖୋଦ୍ ବିଜେଡିର ଜିଲ୍ଲା ଓ ଯୁବ ସଭାପତିଙ୍କ ସମେତ ଜିଲ୍ଲାର ଅନ୍ୟାନ୍ୟ ନେତାମାନେ ଏହାର ବିରୋଧରେ ଜିଲ୍ଲା ବନ୍ଦ ଡାକରା ଦେଇଛନ୍ତି।

ବିଜେଡିର ନେତାମାନେ ମନ୍ତ୍ରୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲା ପରେ ଆଉ ପ୍ରମାଣର କ’ଣ ଆବଶ୍ୟକତା ରହିଛି ? ନୂଆପଡ଼ାର ବିଜେଡି ନେତାମାନେ ଦୁର୍ନୀତି ବିରୋଧରେ ମୁହଁ ଖୋଲି ଉଦାହରଣ ସୃଷ୍ଟି କରିଥିବା ବେଳେ ରାଜ୍ୟ ସରକାର ବିରୋଧରେ ଉଚିତ ଜବାବ ଦେବାକୁ ଶ୍ରୀ ଦାସ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି। ଯଦି ମନ୍ତ୍ରୀ ଇସ୍ତଫା ନ ଦିଅନ୍ତି କିମ୍ବା ତାଙ୍କୁ ବରଖାସ୍ତ କରା ନ ଯାଏ, ତାହାଲେ କଂଗ୍ରେସ ଦଳ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଅମୀୟ ପାଣ୍ଡବ, ରବୀନ୍ଦ୍ର ଆଚାର୍ଯ୍ୟ ଓ ନଳିନୀକାନ୍ତ ନାୟକ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe