ଜଣାପଡ଼ୁନି ଡଲଫିନ୍ ସଂଖ୍ୟା: ଗଣନାର ୧୨ ଦିନ ପରେ ବି ଚିତ୍ର ଅସ୍ପଷ୍ଟ

Advertisment
ଜଣାପଡ଼ୁନି ଡଲଫିନ୍ ସଂଖ୍ୟା: ଗଣନାର ୧୨ ଦିନ ପରେ ବି ଚିତ୍ର ଅସ୍ପଷ୍ଟ

ବ୍ରହ୍ମଗିରି: ନୀଳାମ୍ବୁ ଚିଲିକାରେ ବିଦେଶାଗତ ପକ୍ଷୀ ଗଣନା କରାଗଲା। ଗୋଟିଏ ଦିନରେ ଗଣନା ଶେଷ ହେଲା। ଆଉ ସଂଧ୍ୟା ବେଳକୁ ଏହାର ବିସ୍ତୃତ ରିପୋର୍ଟ ଆସିଗଲା। ୧୬୦ରୁ ଅଧିକ ପ୍ରଜାତିର ୧୦ ଲକ୍ଷରୁ ଅଧିକ ଅତିଥି ପକ୍ଷୀ ଚଳିତ ବର୍ଷ ଚିଲିକାରେ ପାଦ ଥାପିଛନ୍ତି। ପୁଣି କେଉଁ ପ୍ରଜାତିର ନୂଆ ଅତିଥି ପକ୍ଷୀ ଆସିଛନ୍ତି, ସେ ତଥ୍ୟ ବି ଆସିଗଲା। କିନ୍ତୁ ବିଶ୍ବର ବିରଳ ପ୍ରଜାତିର ଇରାୱାଡି ଡଲଫିନ୍ ଗଣନା ହେଲା। ଦିନେ ନୁହେଁ କି ଦୁଇ ଦିନ ନୁହେଁ ତିନି ଦିନ ଧରି ସମଗ୍ର ଚିଲିକାରେ ଡଲଫିନ୍ ଗଣନା ହେଲା। ଚଳିତ ମାସ ୯ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ଏହି ଗଣନା ହେଲା। ପ୍ରତ୍ୟକ ଦିନ ୧୮ଟି ଟିମ୍‌ ସମଗ୍ର ଚିଲିକାରେ ଗଣନା କଲେ। ପ୍ରଥମ ଦିନ ଡଲଫିନ୍ ବିଶେଷଜ୍ଞଙ୍କଠାରୁ ଆରମ୍ଭ କରି ବନ ବିଭାଗ, ସ୍ବେଚ୍ଛାସେବୀ, ଛାତ୍ରଛାତ୍ରୀ, ମଟରବୋଟ ସଂଘର କର୍ମଚାରୀ ସାମିଲ ହେଲେ। ବାକି ଦୁଇ ଦିନ ଡଲଫିନ୍ ବିଶେଷଜ୍ଞଙ୍କୁ ବାଦ ଅନ୍ୟ ସମସ୍ତ ବିଭାଗର କର୍ମଚାରୀ ଗଣନାରେ ସାମିଲ ହେଲେ। ଇତିମଧ୍ୟରେ ଡଲ୍‌ଫିନ୍‌ ଗଣନା ଶେଷ ହେବାର ୧୨ ଦିନ ବିତିଲାଣି। କିନ୍ତୁ ଚିଲିକାରେ ଡଲଫିନ୍ ସଂଖ୍ୟା କେତେ ରହିଛି ତାହା ବନ ବିଭାଗ ସ୍ପଷ୍ଟ କରୁ ନାହିଁ।

ଏନେଇ ବନ ବିଭାଗର ବରିଷ୍ଠ ଅଧିକାରୀଙ୍କ କହିବା କଥା ହେଲା ଗଣନା ପରେ ସମସ୍ତ ତଥ୍ୟ ଉପରିସ୍ଥ ଅଧିକାରୀଙ୍କୁ ଦିଆଯାଇଛି। ପିସିସିଏଫ୍ ଏହାର ଘୋଷଣା କରିବେ। ଅନ୍ୟପଟେ ପିସିସିଏଫ୍ ଏ ନେଇ ନିରବ ରହୁଛନ୍ତି। ଏହାରି ଭିତରେ ଅତ୍ୟନ୍ତ ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଚଳିତ ବର୍ଷ ଡଲଫିନ୍ ସଂଖ୍ୟା ୧୬୦ ପାର ହେଉ ନାହିଁ। ୧୫୨ ମଧ୍ୟରେ ଏହି ସଂଖ୍ୟା ରହୁଛି। ପୂର୍ବ ବର୍ଷ ଅପେକ୍ଷା ସଂଖ୍ୟାରେ ୪ଟି ଡଲଫିନ୍ କମୁଛି। ତେଣୁ ଚଳିତ ବର୍ଷ ଚିଲିକାରେ ଡଲଫିନ୍ ସଂଖ୍ୟା କେତେ ହେବ ସେ ନେଇ ଅଙ୍କକଷା ଛିଣ୍ତୁ ନ ଥିବା ଏହି ସୂତ୍ର କହିଛି। ଯଦି ଏହି ବିଶ୍ବସ୍ତ ସୂତ୍ରର ତଥ୍ୟ ସତ୍ୟ ହୁଏ ତେବେ ଚଳିତ ବର୍ଷ ଚିଲିକାରେ ପୂର୍ବ ବର୍ଷ ଅପେକ୍ଷା ଡଲଫିନ୍ ସଂଖ୍ୟା କିମିଛି। ପୂର୍ବରୁ ଡଲଫିନ୍ ଦାୟିତ୍ବ ସିଡିଏ ହାତରେ ରହିଥିଲା। କ୍ରମାଗତ ଭାବରେ ଡଲଫିନ୍ ସଂଖ୍ୟା କମିବା ପରେ ବନ ବିଭାଗ ହାତକୁ ଯାଇଛି। ଏବେ ଯଦି ସଂଖ୍ୟା କମିବ ତେବେ ଏମାନଙ୍କ ସୁରକ୍ଷା ଦାୟିତ୍ବ କାହା ହାତରେ ରହିବ ସେ ନେଇ ଚର୍ଚ୍ଚା ଚାଲିଛିା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe