ରାଜ୍ୟର ଅଗ୍ରଣୀ ଯୁକ୍ତ ୨ ଶିକ୍ଷାନୁଷ୍ଠାନ ଖଲ୍ଲିକୋଟ କନିଷ୍ଠ ମହାବିଦ୍ୟାଳୟରେ ଲାଗି ରହିଛି ଅନେକ ମୌଳିକ ସମସ୍ୟା

Advertisment
ରାଜ୍ୟର ଅଗ୍ରଣୀ ଯୁକ୍ତ ୨ ଶିକ୍ଷାନୁଷ୍ଠାନ ଖଲ୍ଲିକୋଟ କନିଷ୍ଠ ମହାବିଦ୍ୟାଳୟରେ ଲାଗି ରହିଛି ଅନେକ ମୌଳିକ ସମସ୍ୟା

ବ୍ରହ୍ମପୁର : ରାଜ୍ୟ ଗଣଶିକ୍ଷା ବିଭାଗର ନି‌ଷ୍ପତ୍ତିକ୍ରମେ ଆଜି ଠାରୁ +୨ ଦ୍ବିତୀୟ ବର୍ଷର ଛାତ୍ରଛାତ୍ରଙ୍କ ପାଇଁ ପାଠପଢ଼ା ଆରମ୍ଭ ହେବ। ଏଥିପାଇଁ ଶିକ୍ଷାନୁ‌ଷ୍ଠାନ ଗୁଡ଼ିକରେ ପ୍ରସ୍ତୁତି ଚାଲିଥିବା ଦେଖିବାକୁ ମିଳିଥିଲା। ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ସାରା ରାଜ୍ୟରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଖଲ୍ଲିକୋଟ କନିଷ୍ଠ ମହାବିଦ୍ୟାଳୟ (ଉଚ୍ଚମାଧ୍ୟମିକ ବିଦ୍ୟାଳୟ)ରେ ଗୁରୁବାର ଏନେଇ ପ୍ରାକ୍‌ ପ୍ରସ୍ତୁତି ଚାଲିଥିଲା। ଶ୍ରେଣୀଗୃହ ଠାରୁ ଆରମ୍ଭ କରି ଶୌଚାଳୟ, ଅନ୍ୟାନ୍ୟ କକ୍ଷ ଏବଂ ଶିକ୍ଷାନୁଷ୍ଠାନର ପରିସରକୁ ସଫା କରାଯାଇ ବିଶୋଧନ ସିଞ୍ଚନ କରାଯାଇଥିଲା। ତେବେ ଏହି ଶିକ୍ଷାନୁଷ୍ଠାନରେ ବର୍ଷବର୍ଷଧରି ଶ୍ରେଣୀଗୃହ ଅଭାବ ଭଳି ମୌଳିକ ସମସ୍ୟା ଲାଗି ରହିଥିବା ବେଳେ ସରାକରଙ୍କ ପକ୍ଷରୁ ଜାରି କରାଯାଇଥିବା ଏସ୍‌ଓପି ମାନି ଶିକ୍ଷାଦାନ କିପରି ହେବ ସେନେଇ ସଂଶୟ ସୃଷ୍ଟି ହୋଇଛି।

ସୂଚନା ମୁତାବକ ଏହି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଜ୍ଞାନ ଏବଂ କଳା ସ୍ରୋତରେ ନାମଲେଖା କ୍ଷମତା ୫୧୨ଲେଖାଏଁ ଥିବା ବେଳେ ବାଣିଜ୍ୟରେ ୩୮୪ଟି ସିଟ୍ ରହିଛି। ପ୍ରତିବର୍ଷ ସମସ୍ତ ସ୍ରୋତର ପ୍ରାୟ ସମସ୍ତ ସିଟ୍ ଭର୍ତ୍ତି ହୋଇଯାଇଥିାଏ। ଏବେ ଏହି ଶିକ୍ଷାନୁଷ୍ଠାନର +୨ ଦ୍ବିତୀୟ ବର୍ଷରେ ତିନିଟି ସ୍ରୋତରେ ପାଖାପାଖି ୧୪ଶହ ଛାତ୍ରଛାତ୍ରୀ ଅଛନ୍ତି। କିନ୍ତୁ ଶିକ୍ଷାଦାନ ପାଇଁ ମାତ୍ର ୪ଟି ‌ଶ୍ରେଣୀଗୃହ ଅଛି। ପୂର୍ବରୁ ଏହି ଶ୍ରେଣୀଗୃହ ସମସ୍ୟା ଦୂର କରିବା ପାଇଁ ସମ୍ମୁଖ ଭାଗରେ ଥିବା ଖଲ୍ଲିକୋଟ ସ୍ବୟଂଶାସିତ ମହାବିଦ୍ୟାଳୟ ୧୦ଟି ଶ୍ରେଣୀଗୃହ ଯୋଗାଇ ଆସୁଛି। ଏପରିକି ପ୍ରାକ୍ଟିକାଲ୍‌ ପାଇଁ ମଧ୍ୟ +୨ଛାତ୍ରଛାତ୍ରୀମାନେ ଖଲ୍ଲିକୋଟ ସ୍ବୟଂଶାସିତ ମହାବିଦ୍ୟାଳୟର ଲାବ୍ରୋଟାରୀ ଉପରେ ନିର୍ଭର କରୁଛନ୍ତି। କିନ୍ତୁ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଏସ୍‌ଓପି ଅନୁଯାୟୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାମାଜିକ ଦୂରତା ବଜାୟ ରଖିବା ପାଇଁ ଗୋଟିଏ ଶ୍ରେଣୀଗୃହରେ ସର୍ବାଧିକ ୨୦-୨୫ଜଣ ଛାତ୍ରଛାତ୍ରୀ ବସି ପାଠପଢ଼ିବେ। ଏପରିସ୍ଥଳେ ଶହେ ଦିନରେ ୧୪ଶହ ପିଲାଙ୍କୁ ସମସ୍ତ ବିଷୟରେ ପାଠ ପଢ଼ାଇବା ପାଇଁ ଶ୍ରେଣୀଗୃହ ଉପଲବ୍ଧ କରାଇବା ଶିକ୍ଷାନୁଷ୍ଠାନର କର୍ତ୍ତୃପକ୍ଷଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇ ଉଭା ହୋଇଛି।

କେବଳ ଶ୍ରେଣୀଗୃହ ନୁହେଁ, ଏହି ଶିକ୍ଷାନୁଷ୍ଠାନରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ମଧ୍ୟ ନାହାନ୍ତି। ତଥ୍ୟ ମୁତାବକ ତିନି ସ୍ରୋତରେ ଶିକ୍ଷାଦାନ ପାଇଁ ମୋଟ ୩୯ଟି ଶିକ୍ଷକ ପଦବି ଥିବା ବେଳେ ଏବେ ଉଭୟ ସ୍ଥାୟୀ ଏବଂ ଆଡହକ୍‌ ଶିକ୍ଷକଙ୍କୁ ମିଶାଇ ମୋଟ ୨୪ଜଣ ଅଛନ୍ତି। ଇତିହାସ, ଶିକ୍ଷା, ହିନ୍ଦୀ, ତର୍କଶାସ୍ତ୍ରରେ ଜଣେ ହେଲେବି ଶିକ୍ଷକ ନାହାନ୍ତି। ସେହିପରି ବିଜ୍ଞାନ ସ୍ରୋତର ରସାୟନବିଜ୍ଞାନରେ ଜଣେ ମାତ୍ର ଶିକ୍ଷକ ଅଛନ୍ତି। ବାଣିଜ୍ୟ ସ୍ରୋତରେ ୨ଟି ଶିକ୍ଷକ ପଦବି ଖାଲି ପଡ଼ିଛି। ପୂର୍ବ ବର୍ଷଗୁଡ଼ିକରେ ଶିକ୍ଷାଦାନ ପ୍ରଭାବିତ ନହେବା ପାଇଁ ଖାଲି ପଦବି ଗୁଡ଼ିକରେ ଅତିଥି ଅଧ୍ୟାପକଙ୍କୁ ନିଯୁକ୍ତ କରାଯାଉଥିଲା। ଚଳିତବର୍ଷ କିନ୍ତୁ ଅତିଥି ଅଧ୍ୟାପକ ନିଯୁକ୍ତି ପାଇଁ ଶିକ୍ଷାନୁ‌ଷ୍ଠାନକୁ ଅନୁମତି ମିଳିନାହିଁ। ଏପରିସ୍ଥଳେ କିପରି ଶହେ ଦିନରେ ସମସ୍ତ ବିଷୟରେ ପାଠପଢ଼ା ହୋଇ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ପାଇଁ ପ୍ରସ୍ତୁତି କରାଯିବ, ସେ ନେଇ ଆଶଙ୍କା ଦେଖାଦେଇଛି। ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe