ରହସ୍ୟ ଘେରରେ ବିଦେଶ‌ ଫେରନ୍ତାଙ୍କ ସଂଖ୍ୟା

Advertisment
ଏପ୍ରିଲରୁ ଡିସେମ୍ବର ଭିତରେ ବିଦେଶଯାତ୍ରାରେ ଭାରତୀୟମାନେ ହଜାର କୋଟି ଡଲାର ଖର୍ଚ୍ଚ କରିଛନ୍ତି

The New Indian Express

ଭୁବନେଶ୍ୱର : କରୋନାର ନୂଆ ପ୍ରଜାତି ‘ଓମିକ୍ରନ୍’ ଚିହ୍ନଟ ହୋଇଥିବା ଦେଶରୁ ଓଡ଼ିଶାକୁ ଆସିଥିବା ବିଦେଶ ଫେରନ୍ତାଙ୍କ ପ୍ରକୃତ ସଂଖ୍ୟା ରହସ୍ୟ ଘେରରେ ରହିଛି। ଫେରନ୍ତାଙ୍କ ସଂପର୍କରେ ଜାଣିବା ଲାଗି କେନ୍ଦ୍ର ସରକାର ଏୟାର ସୁବିଧା ପୋର୍ଟାଲର ବ୍ୟବହାର ପାଇଁ ଅନୁମତି ଦେଇ ସାରିଥିଲେ ହେଁ ଫେରନ୍ତାଙ୍କ ସଂପର୍କରେ ସରକାରଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ଚିତ୍ର ଦିଆଯାଉନି। ଗତକାଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୪୦ ପ୍ରତିଶତ ‌ବିଦେଶ ଫେରନ୍ତାଙ୍କୁ ଠାବ କରାଯାଇ ନ ଥିବା କୁହାଯାଇଥିଲା। ହେଲେ ସମୁଦାୟ କେତେ ସଂଖ୍ୟକ ଯାତ୍ରୀଙ୍କ ମଧ୍ୟରୁ ୪୦ ପ୍ରତିଶତଙ୍କୁ ଠାବ କରାଯାଇନି ତାହା କୁହାଗଲା ନାହିଁ। ଅନ୍ୟ ରାଜ୍ୟମାନଙ୍କରେ ବିଦେଶ ଫେରନ୍ତା ଓ ପଜିଟିଭ୍ ଚିହ୍ନଟଙ୍କ ସଂପର୍କରେ ସ୍ପଷ୍ଟ ଚିତ୍ର ଦିଆଯାଉଥିବା ବେଳେ ଓଡ଼ିଶାରେ ଏହାକୁ ଚାପି ଦିଆଯାଇଛି।

ସ୍ବାସ୍ଥ୍ୟ ନିର୍ଦେଶକ ଡା.ବିଜୟ ମହାପାତ୍ର ଗଣମାଧ୍ୟମକୁ କହିଛନ୍ତି, ଗତକାଲି ସଂଧ୍ୟା ଯାଏ କୌଣସି ବିଦେଶ ଫେରନ୍ତା ପଜିଟିଭ୍ ଚିହ୍ନଟ ହୋଇ ନାହାନ୍ତି। ୬ ବିଦେଶ ଫେରନ୍ତା ପଜିଟିଭ୍ ହୋଇଥିବା ନେଇ ଯେଉଁ ଖବର ଆସୁଛି ତାହାର ତର୍ଜମା କରାଯାଉଛି। ସଂଧ୍ୟା ସୁଦ୍ଧା ‌ଏ ନେଇ ସ୍ପଷ୍ଟ କରାଯିବ। ଆଟ୍ ରିସ୍କ ଦେଶରୁ ଆସିଥିବା ଲୋକଙ୍କୁ ଠାବ କରିବା ପାଇଁ ଜିଲ୍ଲାସ୍ତରରେ ମାଇକ୍ରୋ ଲେଭଲରେ ପ୍ରଚେଷ୍ଟା ଜାରି ରହିଛି। ନିଶ୍ଚିତଭାବେ ସମସ୍ତଙ୍କୁ ଖୋଜି ବାହାର କରାଯିବ। ବିଶେଷଜ୍ଞମାନଙ୍କ ମତରେ ଓମିକ୍ରନ୍‌ରେ ସ୍ବଳ୍ପ ଲକ୍ଷଣ ଦେଖାଯାଉଛି। ଏ ଯାଏ କାହାର ମୃତ୍ୟୁ ହୋଇନି। ଟିକା କାମ କରୁଛି ବୋଲି ସବୁ ବିଶେଷଜ୍ଞ ମତ ଦେଉଛନ୍ତି। ୧୮ବର୍ଷରୁ କମ୍ ପିଲାଙ୍କ ଟିକାକରଣ କରିବା ଲାଗି ଏ ଯାଏ ନିର୍ଦେଶ ଆସିନାହିଁ। ଯଦି ନିର୍ଦେଶ ଆସିବ ତାହାଲେ ଟିକାକରଣ କରାଯିବ ବୋଲି ଡା.ମହାପାତ୍ର କହିଛନ୍ତି।

ଡିଏମ୍‌ଇଟି ପ୍ରଫେସର ଡା.ରମାରମଣ ମହାନ୍ତି କହିଛନ୍ତି ୨୪୬ ନମୁନା ଜିନ୍ ଅନୁଶୀଳନ ପାଇଁ ପଠାଯାଇଛି। ଏସବୁ ନମୁନା ବୁର୍ଲା, ମୟୂରଭଞ୍ଜ ସମେତ ବିଭିନ୍ନ କୋଭିଡ କ୍ଲଷ୍ଟରର ପଜିଟିଭ୍ ନମୁନା। ବିଦେଶରୁ ଆସିଥିବା କୌଣସି ବ୍ୟକ୍ତି ଓମିକ୍ରନ୍‌ରେ ଆକ୍ରାନ୍ତ କି ନୁହେଁ ଶୁକ୍ରବାର ସ୍ପଷ୍ଟ ହେବ। ତେବେ ଓମିକ୍ରନ୍‌କୁ ନେଇ ଅଯଥା ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି ଡା.ମହାନ୍ତି ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe