Tierpark Berlin
ଗୋଟିଏ ବାଘ ଥିବା ଗଣନାରେ ଜଣାପଡ଼ିଛି
୩ ରାଜ୍ୟକୁ ଲମ୍ବିଛି ଅପରାଧର ଚେର
ଭବାନୀପାଟଣା : କଳାହାଣ୍ଡି ଜଙ୍ଗଲରୁ ଉଦ୍ବେଗଜନକ ଭାବେ ବାଘ ସଂଖ୍ୟା ହ୍ରାସ ପାଉଛି। ଯାହା ବି ଦେଖିବାକୁ ମିଳୁଛି, ତାହା କେବଳ ଚିତାବାଘ। କେବଳ ଗୋଟିଏ ମାତ୍ର ମହାବଳ ଥିବା ବାଘ ଗଣନାରୁ ଜଣାପଡ଼ିଛି। ଜିଲ୍ଲାରେ ଯେଉଁଭଳି ଭାବେ ଶିକାରୀ ସକ୍ରିୟ ଅଛନ୍ତି, ତାହା ବାଘସଂଖ୍ୟା ହ୍ରାସର କାରଣ ପାଲଟିଛି। ଓଡ଼ିଶା, ଛତିଶଗଡ଼ ଓ ମହାରାଷ୍ଟ୍ରକୁ ବନ୍ୟପ୍ରାଣୀ ଅପରାଧର ଚେର ଲମ୍ବିଥିବା କୁହାଯାଉଛି। ଉଦ୍ବେଗର ବିଷୟ ବନବିଭାଗ ଏହାର ଟେର୍ ପାଉନି।
ସୂଚନା ଅନୁସାରେ, ଗତବର୍ଷ ହୋଇଥିବା ବାଘ ଗଣନାରୁ ଉତ୍ତର ବନଖଣ୍ଡରେ କୌଣସି ମହାବଳ ନଥିବାବେଳେ ୧୭ଟି ହାତୀ ଥିବା ଜଣାପଡ଼ିଥିଲା। କେବଳ ଚିତାବାଘ ଦେଖିବାକୁ ମିଳିଥିଲା। ସେହିଭଳି, ଦକ୍ଷିଣ ବନଖଣ୍ଡରେ ବ୍ୟାଘ୍ର ଗଣନାରେ ମାତ୍ର ଗୋଟିଏ ମହାବଳ ଥିବା ଜଣାପଡ଼ିଥିଲା । ଅନ୍ୟପକ୍ଷରେ; ୪୬ଟି ଚିତାବାଘ, ୨ଟି ହାତୀ ଥିବାବେଳେ କର୍ଲାପାଟ ଓ ବିଶ୍ବନାଥପୁର ଅଞ୍ଚଳକୁ ଅନ୍ୟ ଅଞ୍ଚଳର ହାତୀ ମଧ୍ୟ ଆସୁଥିବା ଦେଖିବାକୁ ମିଳିଥିଲା। ମାତ୍ର, ଏହି ଚିତାବାଘ ବଂଶ ମଧ୍ୟ ଲୋପ ପାଇବାକୁ ଯାଉଛି। ଜିଲ୍ଲାରେ ଶିକାରୀମାନେ ସକ୍ରିୟ ରହିଥିବାବାରୁ ଏହି ବାଘବଂଶ ପ୍ରତି ବିପଦ ସୃଷ୍ଟି ହୋଇଥିବା କୁହାଯାଉଛି।
WallpaperUPଜିଲ୍ଲାର କେବଳ ଉତ୍ତର ବନଖଣ୍ଡ ଡିଭିଜନରେ ଗତ ୨୦୦୫ରୁ ୨୦୧୯ ପର୍ଯ୍ୟନ୍ତ ବନ୍ୟପ୍ରାଣୀ ଶିକାରୀ ଓ ତସ୍କର ଅଭିଯୋଗରେ ୭୭ ଜଣ ଗିରଫ ହୋଇ ସାରିଛନ୍ତି। ଏହିଭଳି ଦକ୍ଷିଣ ବନଖଣ୍ଡରେ ଏହି ସଂଖ୍ୟା ଢେର ଅଧିକ ଅଟେ। ଦିନ ଥିଲା କଳାହାଣ୍ଡି ଜିଲ୍ଲାରେ ବାଘ ଆକ୍ରମଣରେ ବହୁ ଲୋକଙ୍କ ମୃତ୍ୟୁ ହୋଇଥିବା ନଜିର ରହିଛି। ଗତ ୧୯୫୯ ରୁ ୧୯୮୬ ମସିହା ମଧ୍ୟରେ ପ୍ରାୟ ୨୭ ବର୍ଷରେ ୨୭୯ ଜଣଙ୍କ ବାଘ ଆକ୍ରମଣରେ ମୃତ୍ୟୁ ହୋଇଛି। ତେବେ, ବାଘ ଶିକାର ଯୋଗୁ ବର୍ତ୍ତମାନ କଳାହାଣ୍ଡି ଜିଲ୍ଲାରେ ବାଘ ଇତିହାସ ପାଲଟିବାକୁ ବସିଛି। କଳାହାଣ୍ଡି ବନ ବିଭାଗ ବନ୍ୟଜନ୍ତୁ ସୁରକ୍ଷା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ ବର୍ତ୍ତମାନ ବିଭାଗର କାର୍ଯ୍ୟଦକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଅନ୍ୟପକ୍ଷରେ, ବନ୍ୟପ୍ରାଣୀ ଅପରାଡ଼ରେ ଏକ ରାକେଟ୍ର ପ୍ରଚ୍ଛନ୍ନ ହାତଥିବା କୁହାଯାଉଛି। ଛତିଶଗଡ଼ର ଉଦନ୍ତୀ ସୀତାନଦୀ ବାଘ ଅଭୟାରଣ୍ୟ ଓ ଓଡ଼ିଶାର କଳାହାଣ୍ଡି ଏବଂ ନୂଆପଡ଼ା ଜିଲ୍ଲାରେ ବାଘ ଶିକାର କରି ବାଘ ଛାଲ, ନଖ ରାଜ୍ୟ ବାହାରକୁ ଚାଲାଣ ହେଉଛି। ଏହି ରାକେଟ ଯୋଗେ ଛତିଶଗଡ଼ ଓ ମହାରାଷ୍ଟ୍ରର ମୁମ୍ବାଇକୁ ବାଘଛାଲ ଚାଲାଣ ହୋଇଥିବା ଗିରଫ ଅଭିଯୁକ୍ତମାନେ ସ୍ବୀକାର କରିଥିଲେ। କ୍ରମେ ବନ୍ୟଜନ୍ତୁ ବଂଶ ଲୋପ ପାଉଥିବା ନେଇ ପରିବେଶବିତଙ୍କ ମଧ୍ୟରେ ଉଦ୍ବେଗ ପ୍ରକାଶ ପାଇଛି।
Follow Us