ମଦ ରନ୍ଧା ଛାଡ଼ିଲେ ନୁଣିଗୁଣ୍ତି ଆଦିବାସୀ, ପଥୁରିଆ ମାଟିରେ ସୁନା ଫଳାଉଛନ୍ତି

ମଦ ରନ୍ଧା ଛାଡ଼ିଲେ ନୁଣିଗୁଣ୍ତି ଆଦିବାସୀ, ପଥୁରିଆ ମାଟିରେ ସୁନା ଫଳାଉଛନ୍ତି

ପ୍ରତାପୁର, (ଧନଞ୍ଜୟ ପଟ୍ଟନାୟକ): ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଳକର ଦୁର୍ଗମ ଗେରେଡା ପଂଚାୟତର ଉପାନ୍ତ ଗ୍ରାମ ନୁଣିଗୁଣ୍ତି। ୪୪ ଆଦିବାସୀ ପରିବାର ବାସ କରୁଥିବା ଏହି ଗାଁ ଆଜି ହସି ଉଠୁଛି। କାରଣ ମଦ ତିଆରି କରିବା ଛାଡ଼ି ଆଜି ପଥୁରିଆ ମାଟିରେ ସୁନା ଫଳାଇ ଏହି ଆଦିବାସୀ ମାନେ ନିଜକୁ ସ୍ବାବଲମ୍ବୀ କରି ସଭିଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି। ସବୁଠୁ ଉଲ୍ଲେଖନୀୟ କଥା ହେଉଛି, ଗାଁର ସମସ୍ତ ପରିବାର ଚାଷକାମକୁ ଆପଣାଇଛନ୍ତି। ଚଳିତ ବର୍ଷ ଆମ୍ବ ଓ କାଜୁ ବିକ୍ରି କରି ହଜାର ହଜାର ଟଙ୍କା ରୋଜଗାର କରିଛନ୍ତି।

ନୁଣିଗୁଣ୍ତି ଅଞ୍ଚଳରେ ପୂର୍ବରୁ ମହୁଲି ମଦ ପ୍ରସ୍ତୁତ ହେଉଥିଲା। ଗାଁର ସମସ୍ତ ପରିବାର ମହୁଲରୁ ମଦ ପ୍ରସ୍ତୁତିକୁ ଜୀବିକା ଭାବେ ଗ୍ରହଣ କରିଥିଲେ। ଗ୍ରାମବାସୀ ମହୁଲି ନିଶାରେ ରହୁଥିଲେ। ତେବେ ଧୀରେ ଧୀରେ ସମୟ ବଦଳିବା ସହ ଗାଁର ପିଲା ମାନେ ଶିକ୍ଷିତ ହେବା ପରେ ଏହି ଜୀବିକାକୁ ନାପସନ୍ଦ କରିଥିଲେ। ଏପଟେ ବିଭିନ୍ନ ସମୟରେ ଗାଁ ରେ ପୁଲିସ ଚଢାଉ କରି ମଦ ଜବତ କରୁଥିବା ବେଳେ ଗ୍ରାମବାସୀ ଏହାକୁ ବିରୋଧ କରିଆସୁଥିଲେ। ବର୍ଷତମାମ ପୁଲିସ ସହ ସେମାନଙ୍କ ସଂଘର୍ଷ ଜାରି ରହୁଥିଲା।

ହେଲେ କିଛି ବର୍ଷ ହେଲା ଗ୍ରାମବାସୀଙ୍କ ମାନସିକତାରେ ପରିବର୍ତ୍ତନ ଆସିଥିଲା। ଗାଁରେ ମଦ ତିଆରି ସହ ପିଇବାକୁ ବି ସେମାନେ ବନ୍ଦ କରିଛନ୍ତି। ଆଉ ମୁଣ୍ଡ ଝାଳ ତୁଣ୍ଡରେ ମାରି ପଥୁରିଆ ମାଟିରେ ଚାଷ କରିବାକୁ ସମର୍ଥ ହେଉଛନ୍ତି। ବାଇଗଣ, କଲରା, ମୁଗ, ବିରି, କୋଳଥ ଆଦି ଚାଷ କରିବା ସହ ସେମାନଙ୍କୁ ଗ୍ରାମବିକାଶ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ଚାଷର ବିଭିନ୍ନ କୌଶଳ ଓ ଜୀବିକା ଉପରେ ପ୍ରଶିକ୍ଷଣ ଦିଆଯାଉଛି। ବର୍ତ୍ତମାନ ସେମାନେ ୨୦୧୪ ମସିହାରେ ମିଳିଥିବା ଆମ୍ବ ଓ କାଜୁ ଚାରାରୁ ବେଶ୍ ଭଲ ଉତ୍ପାଦନ କରି ଆସୁଛନ୍ତି। ସେତେବେଳେ ପ୍ରତି ପରିବାରକୁ ୨୦ଟି ଆମ୍ବ ଚାରା ଓ ୬୫ଟି କାଜୁ ଚାରା ପ୍ରଦାନ କରାଯାଇଥିଲା। ଗ୍ରାମବାସୀ ଏହାକୁ ନିଜ କ୍ଷେତ‌ରେ ରୋପଣ କରି ବେଶ୍ ଦୁଇ ପଇସା ରୋଜଗାର କରିପାରୁଛନ୍ତି। ଏବର୍ଷ ଅମଳ ବି ଭଲ ହୋଇଥିବାରୁ ଦୂରଦୂରାନ୍ତରୁ ଲୋକେ ଆସି ଆମ୍ବ କିଣି ନେଇଥିଲେ। ଏଥିପାଇଁ ସ୍ବେଚ୍ଛାସେବୀ ସଂଗଠନର ପ୍ରୟାସକୁ ସାଧୁବାଦ ଜଣାଇଛନ୍ତି। ଆମ୍ବ, କାଜୁ ସହିତ କଲରା, ବାଇଗଣ ଭଳି ପରିବା ଚାଷର ତାଲିମ ପାଇ ସେମାନେ ଖୁବ ଉତ୍ସାହିତ ଥିବା ଦେଖିବାକୁ ମିଳିଛି। ତେବେ ସରକାର ଜଳସେଚନ ବ୍ୟବସ୍ଥା କରିଥିଲେ ଭଲ ହୁଅନ୍ତା ବୋଲି ଗ୍ରାମବାସୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe