ଏଣିକି ଓଡ଼ିଆ ଭାଷାରେ ଓଏଏସ୍‌ ପରୀକ୍ଷା

ଓପିଏସସି ପରୀକ୍ଷା ପ୍ରଶ୍ନପତ୍ର ଓଡ଼ିଆରେ ମୁଦ୍ରଣ ପାଇଁ ଦାବି

ଭୁବନେଶ୍ବର : ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌) ପରୀକ୍ଷାରେ ଇଂରାଜୀ ଭାଷା ବାଧକ ସାଜିବ ନାହିଁ। ଏଣିକି ଓଡ଼ିଆରେ ପ୍ରସ୍ତୁତ ହେବ ଓଏଏସ ପ୍ରଶ୍ନପତ୍ର। ଓଡ଼ିଆ ଭାଷାରେ ଉତ୍ତର ଲେଖିପାରିବେ ପରୀକ୍ଷାର୍ଥୀ। ୨୦୧୭ରେ ଇଂରାଜୀରେ ପ୍ରଶ୍ନପତ୍ର ଆସୁଥିବା ବେଳେ ଓଡ଼ିଆ ଭାଷାରେ ଉତ୍ତର ଲେଖିବାକୁ ଅନୁମତି ଦିଆଯାଇଥିଲା। ମାତ୍ର ସଚେତନତା ଅଭାବରୁ ଅନେକ ପରୀକ୍ଷାର୍ଥୀ ଏନେଇ ଅବଗତ ହୋଇପାରି ନଥିଲେ। ଉତ୍ତର ବି ଲେଖି ନ ଥିଲେ। ‌ତେଣୁ ଏବେ ପୁଣିଥରେ ପ୍ରକ୍ରିୟା ଆରମ୍ଭ ହୋଇଛି। ଓଡ଼ିଆ ଭାଷାରେ ଓଏଏସ ପରୀକ୍ଷା ପ୍ରିଲିମ୍, ମେନ୍ ଓ ସାକ୍ଷାତକାର ପରୀକ୍ଷା ହେବ। ପ୍ରଶ୍ନପତ୍ରର ପ୍ରଶ୍ନଗୁଡ଼ିକ ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ରହିବ। ପରୀକ୍ଷାର୍ଥୀ ନିଜ ସୁବିଧା ଅନୁଯାୟୀ ଇଂରାଜୀ ନ ହେଲେ ଓଡ଼ିଆ ଭାଷାରେ ଲେଖିପାରିବେ।

ଏସମ୍ପର୍କରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି)କୁ ଚିଠି ଲେଖାଯାଇ ଅବଗତ କରାଯାଇଛି। ଯେଉଁଥିରେ ଉଲ୍ଲେଖ ରହିଛି ଯେ ପରୀକ୍ଷାର୍ଥୀ ଉଭୟ ଭାଷାର ପ୍ରଶ୍ନ ପାଇବେ। ନିଜ ସୁବିଧା ଅନୁଯାୟୀ ଉକ୍ତ ଦୁଇ ଭାଷା ମଧ୍ୟରୁ ଯେକୌଣସି ଗୋଟିଏରେ ଉତ୍ତର ଲେଖିପାରିବେ। ସର୍ବଭାରତୀୟ ପ୍ରଶାସନିକ ସେବାରେ ୧୯୮୦ରୁ ବହୁ ଭାଷାରେ ପରୀକ୍ଷା ହୋଇ ଆସୁଛି। ଯାହାକି ବର୍ତ୍ତମାନ ୨୨ରେ ପହଞ୍ଚିଛି। ମାତ୍ର ଓଏଏସ ପରୀକ୍ଷା ଓଡ଼ିଆ ଭାଷାରେ ହୋଇ ପାରୁ ନଥିବାରୁ ଭାଷାପ୍ରେମୀଙ୍କ ମଧ୍ୟରେ ବିଭିନ୍ନ ସମୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏନେଇ ଭାଷା ପ୍ରେମୀଙ୍କ ପକ୍ଷରୁ ୨୦୧୧ରେ ହାଇକୋର୍ଟରେ ଏକ ପିଟିସନ ମଧ୍ୟ ଦାଖଲ ହୋଇଥିଲା। ଯାହାର ଶୁଣାଣି କରି କୋର୍ଟ ଓଡ଼ିଆ ଭାଷାରେ ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ତାହା କାର୍ଯ୍ୟକାରୀ ହୋଇପାରି ନଥିଲା। ଏବେ ଲାଗୁ ହେବାକୁ ଯାଉଥିବାରୁ ପଛୁଆ ଓ ଆଦିବାସୀ ଅଞ୍ଚଳର ମେଧାବୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe