ଓଏଏସ୍‌ ଅଧିକାରୀଙ୍କୁ ବେଆଇନ ପଦୋନ୍ନତି; ହାଇକୋର୍ଟରେ ମାମଲା

Advertisment
କଲେଜିୟମ ବ୍ୟବସ୍ଥା ଉଚ୍ଛେଦ ପାଇଁ ଦାବି, ୧୬ ଯାଏ ହାଇକୋର୍ଟ ଆଇନଜୀବୀଙ୍କ କୋର୍ଟ ବର୍ଜନ

କଟକ : ରାଜ୍ୟରେ କାର୍ଯ୍ୟରତ କେତେଜଣ ଓଡିଶା ପ୍ରଶାସନିକ ଅଧିକାରୀ(ଓଏଏସ୍‌)ଙ୍କୁ ବେଆଇନ ପଦୋନ୍ନତି ଦିଆଯାଇଥିବା ଅଭିଯୋଗ କରି ଏହାକୁ ବାତିଲ କରିବାକୁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି। ଏହି ମାମଲା ଅବକାଶକାଳୀନ ଖଣ୍ଡପୀଠରେ ଶୁଣାଣି ପାଇଁ ତାଲିକାଭୁକ୍ତ ହୋଇଥିବା ବେଳେ ଗ୍ରୀଷ୍ମ ଅବକାଶ ପରେ ପ୍ରାରମ୍ଭିକ ଶୁଣାଣି କରାଯିବା ପାଇଁ ଧାର୍ଯ୍ୟ ହୋଇଛି। ଶ୍ରୀମନ୍ତ ଆଚାର୍ଯ୍ୟଙ୍କ ପକ୍ଷରୁ ଆଗତ ଏହି ମାମଲାରେ ଦର୍ଶାଯାଇଛି ଯେ ୨୦୧୭ ସେପ୍ଟେମ୍ବରରେ ଅନୁଷ୍ଠିତ କ୍ୟାବିନେଟ ବୈଠକର ନିଷ୍ପତ୍ତି ଅନୁଯାୟୀ ରାଜ୍ୟରେ ଅଧିକ ୧୫୩ଟି ଓଏଏସ୍‌ ପଦବି ସୃଷ୍ଟି କରାଯାଇଥିଲା। ଫଳରେ ମୋଟ ଓଏଏସ ପଦବି ସଂଖ୍ୟା ୧୫୫୮ରୁ ୧୭୧୧କୁ ବୃଦ୍ଧି ପାଇଛି। କିନ୍ତୁ କ୍ୟାବିନେଟ୍‌ ବୈଠକରେ ଓଏଏସ୍‌ଙ୍କ ପାଇଁ ଯେତିକି ପଦବି ବୃଦ୍ଧି କରାଯାଇଛି ଏହାଠାରୁ ବହୁ ଅଧିକ ଅଧିକାରୀଙ୍କୁ ପଦୋନ୍ନତି ଦିଆଯାଇଛି। ଏହାଦ୍ୱାରା ରାଜକୋଷ ଉପରେ ଅଧିକ ଚାପ ପଡିବ ବୋଲି ଆବେଦନକାରୀ ଅଭିଯୋଗ କରିଛନ୍ତି। ଏପରି ପଦୋନ୍ନତିକୁ ବାତିଲ କରିବାକୁ ସେ ନିବେଦନ କରିଛନ୍ତି। ମାମଲାରେ ରାଜ୍ୟ ମୁଖ୍ୟ ଶାସନ ସଚିବ, ସାଧାରଣ ପ୍ରଶାସନ ବିଭାଗର ସଚିବଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀ ଆଚାର୍ଯ୍ୟଙ୍କ ପକ୍ଷରୁ ଆଇନଜୀବୀ ପ୍ରଦୀପ୍ତ ଭୁୟାଁ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe