ଜାତି ଭିତ୍ତିକ ଗଣନା ପୂର୍ବରୁ ତେଜିଲା ରାଜନୀତି: ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ଧର୍ମେନ୍ଦ୍ର

Advertisment

କାହିଁକି ବିଜେପି ବିବ୍ରତ ହେଉଛି ବୋଲି ପଚାରିଲେ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ

କାହିଁକି ବିଜେପି ବିବ୍ରତ ହେଉଛି ବୋଲି ପଚାରିଲେ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ

ଜାତି ଭିତ୍ତିକ ଗଣନା ପୂର୍ବରୁ ତେଜିଲା ରାଜନୀତି: ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ଧର୍ମେନ୍ଦ୍ର

ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ହୁଏତ ଓଡ଼ିଶା ଇତିହାସରେ ଜାତିକୁ ନେଇ ଏକ ବଡ଼ ଧରଣର ରାଜନୈତିକ ବିବାଦ ଆରମ୍ଭ ହୋଇଛି । ଯେତେବେଳେ ଜାତିଭିତ୍ତିକ ଗଣନା ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି, ସେତିକିବେଳେ ପଛୁଆ ବର୍ଗର ଅଧିକାର କଥା ଉଠାଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓବିସି (ଅଦର ବ୍ୟାକୱାର୍ଡ କ୍ଲାସ)  ଏବଂ ଏସଇବିସି ( ସୋସିଆଲି ଆଣ୍ଡ ଇକୋନମିକାଲି ବ୍ୟାକୱାର୍ଡ କ୍ଲାସ) ବର୍ଗଙ୍କୁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ୨୭ ପ୍ରତିଶତ ସଂରକ୍ଷଣ ଦିଆଯାଉଥିଲେ ମଧ୍ୟ ଓଡ଼ିଶା ସରକାର ଏହାକୁ ଲାଗୁ କରି ନଥିବା ଧର୍ମେନ୍ଦ୍ର ଅଭିଯୋଗ କରିଛନ୍ତି ।

ଧର୍ମେନ୍ଦ୍ରଙ୍କ ଏହି ଅଭିଯୋଗ ସେତେବେଳେ ଆସିଛି, ଯେତେବେଳେ ଓଡ଼ିଶାରେ ଜାତି ଭିତ୍ତିରେ ଗଣନା ଆରମ୍ଭ ହେବାକୁ ଯାଉଛି । ଏହାରି ଭିତରେ ରାଜ୍ୟ ସରକାର ଓବିସିଙ୍କ ସାମାଜିକ ଓ ଶିକ୍ଷାଗତ ସ୍ଥିତିର ଅନୁଧ୍ୟାନ ପାଇଁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି କରିବା ସହ କମିସନଙ୍କୁ ଆବଶ୍ୟକ ଅନୁମତି ମଧ୍ୟ ଦେଇଛନ୍ତି । ରାଜ୍ୟ ଓବିସି କମିସନଙ୍କ ସାନି ସର୍ଭେକୁ ଟାର୍ଗେଟ କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି, ୧୯୯୩ ମସିହାରୁ ରାଜ୍ୟରେ ୨୧୦ ପଛୁଆ ଜାତିଙ୍କ ବାବଦରେ ତଥ୍ୟ ରହିଛି । ୨୦୧୭ ମସିହା ଯାଏଁ ଏଥିରେ ସଂଶୋଧନ ହୋଇଛି । ହେଲେ ରାଜ୍ୟ ପାଖରେ ପଛୁଆ ଜାତିଙ୍କ ବାବଦରେ କୌଣସି ତଥ୍ୟ ନ ଥିବା ଭଳି ବିଭ୍ରାନ୍ତ କରାଯାଉଛି । ଏହାବାଦ ୨ ବର୍ଷ ତଳେ ଉଚ୍ଚ ବର୍ଗର ଆର୍ଥିକ ଅନଗ୍ରସରଙ୍କ ପାଇଁ କେନ୍ଦ୍ର ସରକାର ୧୦% ସଂରକ୍ଷଣ ବ୍ୟବସ୍ଥା କରିଥିଲେ ମଧ୍ୟ ଏହାକୁ ଓଡ଼ିଶାରେ କାର୍ଯ୍ୟକାରୀ କରାଯାଇନଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

ଏପଟେ କେନ୍ଦ୍ରମନ୍ତ୍ରୀଙ୍କୁ ଜବାବ ଦେଇ ଖଣ୍ଡପଡ଼ାର ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି, ରାଜ୍ୟ ସରକାର ଓବିସି ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏହା ଶେଷ ହେଲେ ସବୁ ପ୍ରକାର ଅଧିକାର ପ୍ରଦାନ କରିବା ସହଜ ହେବ । ରାଜ୍ୟ ସରକାର ଏକ ସଂକଳ୍ପ ନେଇଛନ୍ତି । ଏଥିପାଇଁ ମାସେରୁ ଦେଢମାସ ସମୟ ଲାଗିବ । ତେଣୁ କେନ୍ଦ୍ରମନ୍ତ୍ରୀ ସେଥିପାଇଁ ଅପେକ୍ଷା କରନ୍ତୁ ବୋଲି ପରୋକ୍ଷରେ କହିଛନ୍ତି ବିଧାୟକ ସୌମ୍ୟରଞ୍ଜନ ।

ତେବେ ସଂରକ୍ଷଣ ନେଇ ୩ ଥର ଚିଠି ଲେଖି ଅନୁରୋଧ କରିବା ପରେ ମଧ୍ୟ କୌଣସି ପଦକ୍ଷେପ କାହିଁକି ନିଆଯାଇ ନାହିଁ ବୋଲି ଧର୍ମେନ୍ଦ୍ର ପ୍ରଧାନ ପ୍ରଶ୍ନ କରିଛନ୍ତି । ଏହା ରାଜନୈତିକ ପ୍ରସଙ୍ଗ ନୁହେଁ ବରଂ ସାମାଜିକ ନ୍ୟାୟ ଓ ସାମାଜିକ ସଶକ୍ତିକରଣର ପ୍ରସଙ୍ଗ ବୋଲି ସେ କହିଛନ୍ତି । ଏପେଟ କେନ୍ଦ୍ରମନ୍ତ୍ରୀଙ୍କୁ ପାଲଟା ପ୍ରଶ୍ନ କରିଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା । ଓବିସି କମିସନ କିଏ ଗଠନ କରିଛି  ଏବଂ ଓବିସି କମିସନକୁ ନେଇ ରାଜନୀତିକରଣ କରା ନଯାଉ ବୋଲି ସେ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe