ବାଉଁଶୁଣି : ବୌଦ୍ଧ ବ୍ଲକ ବାଉଁଶୁଣି ବଜାରରେ ନିଜ ଘରଭଙ୍ଗାର ପ୍ରତିବାଦରେ ଜନୈକା ମହିଳା ଜାନକୀ ତ୍ରିପାଠୀ ବିଷ ପିଇଦେଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବାଉଁଶୁଣି ବଜାରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଚତୁର୍ଥ ପର୍ଯ୍ୟାୟ ଜବରଦଖଲ ଉଚ୍ଛେଦ ଆରମ୍ଭହୋଇଛି। ବାଉଁଶୁଣି ପୁରୁଣାବସ୍ତି ରାସ୍ତାରେ ଥିବା ପ୍ରଶାନ୍ତ ତ୍ରିପାଠୀ ଓ ତାଙ୍କ ବଡ଼ଭାଇ ସ୍ବର୍ଗତ ବୃନ୍ଦାବନ ତ୍ରିପାଠୀ ସରକାରୀ ଜାଗା ଜବରଦଖଲ କରି ଦୁଇଟି ଦୁଇମହଲା କୋଠା ନିର୍ମାଣ କରିଥିବା ଅଭିଯୋଗ ହୋଇଥିଲା। ଏଠାରେ ଉଚ୍ଛେଦ ପ୍ରକ୍ରିୟା ଚାଲିଥିଲା। ଏହି ସମୟରେ ପ୍ରଶାନ୍ତ ଓ ତାଙ୍କ ପତ୍ନୀ ଜାନକୀ ଘର ନ ଭାଙ୍ଗିବାକୁ ଅନୁରୋଧ କରିଥିଲେ। ଆର୍ଡିସିରେ କେସ୍ ଚାଲିଛି ଏବଂ ଆସନ୍ତା ୨୨ ତାରିଖ ଏହାର ଶୁଣାଣି ଅଛି ବୋଲି କହିଥିଲେ। ତେବେ ଘରଭଙ୍ଗା ବନ୍ଦ ହୋଇ ନଥିଲା। ଜାନକୀ ଘରର ଉପର ମହଲାକୁ ଯାଇ ଏକ ବିଷ ବୋତଲ ଦେଖାଇ ଘରଭାଙ୍ଗିବା ବନ୍ଦ ନ କଲେ ବିଷ ପିଇଦେବେ ବୋଲି ଧମକ ଦେଇଥିଲେ। ତଥାପି ଘରଭଙ୍ଗା ବନ୍ଦ ନ ହେବାରୁ ଜାନକୀ ଜିଲ୍ଲା ପ୍ରଶାସନ ଟିମ୍ ଆଗରେ ବିଷ ପିଇଦେଇଥିଲେ।
ଏ ସମ୍ପର୍କରେ ତାଙ୍କ ସ୍ବାମୀ ପ୍ରଶାନ୍ତ କହିଛନ୍ତି, ‘ମୁଁ ଓ ମୋ ପୁତୁରା ଦେବବ୍ରତ (ବଡ଼ଭାଇଙ୍କ ପୁଅ) ଘରର ପଟ୍ଟା ଓ କାଗଜପତ୍ର ଦେଖାଇ ପ୍ରଥମେ ମାପ କରିବାକୁ କହିଥିଲୁ। ଏହି ଟିମ୍ ଆମର କୌଣସି କଥା ଶୁଣି ନ ଥିଲେ। ଓଲଟି ପୁଲିସ ପୁତୁରାକୁ ବାଉଁଶୁଣି ଥାନାକୁ ନେଇଯାଇଥିଲା। ଏହାପରେ ଘରଭଙ୍ଗା ଯାଇଥିଲା। ବିଷ ପିଇଥିବା ଜାନକୀଙ୍କୁ ବାଉଁଶୁଣି ପୁଲିସ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାକୁ ନେଇଥିଲେ। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମଧ୍ୟାହ୍ନରେ ଏହି ଘଟଣା ଘଟିଥିବାବେଳେ ସଧ୍ୟା ୬ଟା ପର୍ଯ୍ୟନ୍ତ ସେଠାରେ ଘରଭଙ୍ଗା ଜାରିରହିଥିଲା।
Follow Us