ଓକାକ୍‌ର ଭଡ଼ାଟିଆ ପ୍ରୀତି : ଗୁମର ଖୋଲିଲେ ସିଏଜି, ୧୧ କୋଟି ଟଙ୍କା ବରବାଦ

Advertisment
ଓକାକ୍‌ର ଭଡ଼ାଟିଆ ପ୍ରୀତି : ଗୁମର ଖୋଲିଲେ ସିଏଜି, ୧୧ କୋଟି ଟଙ୍କା ବରବାଦ

YouTube

ଭୁବନେଶ୍ୱର : ଆଇଟି କମ୍ପାନିମାନଙ୍କୁ ଓଡ଼ିଶା କମ୍ପ୍ୟୁଟର୍‌ ପ୍ରୟୋଗ କେନ୍ଦ୍ର (ଓକାକ୍‌) ଘର ଭଡ଼ା ଦେଲା। ଗୋଟିଏ କି ଦୁଇଟି ନୁହେଁ, ଏକାବେଳେକେ ୬୪ଟି ଭଡ଼ାଟିଆ ଆଇଟି କମ୍ପାନି ଘର ଭଡ଼ା ଦେଲେନି। କିନ୍ତୁ ସେମାନଙ୍କ ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ ନ ନେଇ ଓକାକ୍‌ ଚୁପ ବସିଲା। ସେଥିରୁ ୨୬ଟି କମ୍ପାନି ଭଡ଼ା ବାବଦ ୨ କୋଟି ୨୩ ଲକ୍ଷ ଟଙ୍କା ନ ଦେଇ ବିଲ୍‌ଡିଂ ଛାଡ଼ି ପଳାଇଲେଣି। ତଥାପି ଓକାକ୍ କର୍ତ୍ତୃପକ୍ଷ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି। ଖୋଦ ମହାଲେଖା ନିୟନ୍ତ୍ରକ ତଥା ମହାସମୀକ୍ଷକ (ସିଏଜି) ଓକାକ୍‌ର ଏହି ଭଡ଼ାଟିଆ ପ୍ରୀତିକୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଓକାକ୍‌ କର୍ତ୍ତୃପକ୍ଷଙ୍କ ଏଭଳି ଆଚରଣ କାରଣରୁ ସମୁଦାୟ ଘରଭଡ଼ା ବାବଦରେ ମିଳିବାକୁ ଥିବା ୧୦ କୋଟି ୯୭ ଲକ୍ଷ ଟଙ୍କାରୁ ୮ କୋଟି ୩୫ ଲକ୍ଷ ଟଙ୍କା ଆଦାୟ ନ ହୋଇ ବକେୟା ପଡ଼ିଛି।

୨୦୧୮ ମାର୍ଚ୍ଚରେ ଶେଷ ହେଉଥବା ଆର୍ଥିକ ବର୍ଷ ଲାଗି ସିଏଜିଙ୍କ ସମାଜିକ ଓ ଆର୍ଥିକ ପ୍ରତିବେଦନକୁ ଅନୁଧ୍ୟାନ କରିବା ପରେ ଜଣାପଡ଼ିଛି, ୨୦୧୪ ଫେବ୍ରୁଆରିରେ ୧୫ ହଜାର ୮୦୦ ବର୍ଗ ମିଟର କ୍ଷେତ୍ର ପରିମିତ ଏକ ଭବନ ଓକାକ୍‌ ନିର୍ମାଣ କରିଥିଲେ। ୨୦୧୪ ସୂଚନା ଓ ଯୋଗାଯାଗ ପ୍ରଯୁକ୍ତି ନୀତି (ଆଇସିଟି) ଅନୁଯାୟୀ ସେହି ଭବନକୁ ଆଇଟି ଉଦ୍ୟୋଗମାନଙ୍କୁ ଭଡ଼ା ସୁତ୍ରରେ ଦେବା ପାଇଁ ଉଦ୍ଦିଷ୍ଟ ଥିଲା। ୨୦୧୪ ମାର୍ଚ୍ଚରୁ ୨୦୧୭ ଡିସେମ୍ବର ମଧ୍ୟରେ ଓକାକ୍‌ ୬୪ଟି ଆଇଟି ଓ ସୂଚନା ପ୍ରଯୁକ୍ତି ସେବା ପ୍ରଦାନକାରୀ କମ୍ପାନିମାନଙ୍କୁ ୫ ହଜାର ୬୨୦ ବର୍ଗ ମିଟର ଆବଣ୍ଟନ କରିଥିଲେ। ପ୍ରତି ମାସରେ ଘରଭଡ଼ା ପ୍ରଦାନ ପାଇଁ ସେସବୁ କମ୍ପାନିମାନଙ୍କ ସହ ଓକାକ୍‌ ମଧ୍ୟ ଚୁକ୍ତିପତ୍ର ସ୍ବାକ୍ଷର କରିଥିଲା। ପରବର୍ତ୍ତୀ ମାସର ୫ ତାରିଖ ସୁଦ୍ଧା ଭଡ଼ାଟିଆମାନେ ଭଡ଼ା ପଇଠ କରିବାକୁ ଚୁକ୍ତି ପତ୍ରରେ ଉଲ୍ଲେଖ ଥିଲା। ଏହାସହିତ ଯଦି କୌଣସି ଭଡ଼ାଟିଆ ଗୋଟିଏ ମାସରେ ଭଡ଼ା ଦେଇପାରିବେନି ତାହେଲେ ବକେୟା ରାଶି ଉପେର ସେ ବାର୍ଷିକ ୧୨% ହାରରେ ସୁଧ ଦେବା ପାଇଁ ମଧ୍ୟ ବ୍ୟବସ୍ଥା ରହିଲା। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି ବକେୟା ରାଶିକୁ ଓକାକ୍‌ ଓଡ଼ିଶା ପବ୍ଲିକ୍‌ ଡିମାଣ୍ଡ୍‌ସ୍‌ ରିକଭରି (ଓପିଡିଆର୍‌) ଅଧିନିୟମ,୧୯୬୨ ଆଧାରରେ ଓକାକ୍‌ ଆଦାୟ କରିପାରିବ। କିନ୍ତୁ ମାସେ କି ଦୁଇ ମାସ ନୁହଁ, ୧୩ ମାସ ବିଳମ୍ବରେ ବିଲ୍‌ଗୁଡ଼ିକ ଉପସ୍ଥାପନ କରାଯାଇଥିଲା। ଓପିଡିଆର୍‌ ଅଧିନିୟମକୁ ପ୍ରୟୋଗ ନ କରିବା ଫଳରେ ରାଜ୍ୟ ସରକାର କୋଟି କୋଟି ହରାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe