ଆଗରୁ ବି ଥରେ ଦୀପାଙ୍କ ମୃତ୍ୟୁ ହୋଇଯାଇଥିବା ଚର୍ଚ୍ଚା ହୋଇଥିଲା...

Advertisment
ଆଗରୁ ବି ଥରେ ଦୀପାଙ୍କ ମୃତ୍ୟୁ ହୋଇଯାଇଥିବା ଚର୍ଚ୍ଚା ହୋଇଥିଲା...

Ommcom News

ଭୁବନେଶ୍ବର: ଗତକାଲି ଅପରାହ୍ଣରେ ଆଲବମ୍ କୁଇନ ଦୀପାଙ୍କର ପରଲୋକ ହୋଇଛି। .ତେବେ କିଛି ଦିନ ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଯାଇଥିବା ନେଇ ଚର୍ଚ୍ଚା ହୋଇଥିଲା।

ଦୀପା ନିଜ ଆଣ୍ଠୁ ପର୍ଯ୍ୟନ୍ତ ପଡ଼ୁଥିବା ଚୁଟିକୁ ନେଇ ଭାରି ଚର୍ଚ୍ଚିତ ‌ଥିଲେ। ଦୀପା ଥରେ ହାଇଦ୍ରାବାଦରେ ସୁଟିଂ କାମରେ ବ୍ୟସ୍ତ ଥାଆନ୍ତି। ଦିନେ ଓଡ଼ିଶାରେ ପ୍ରଚାର ହୋଇଗଲା ଦୀପାଙ୍କ ଚୁଟି ଫ୍ୟାନ ଭିତରେ ଗୁଡ଼େଇ ହେଇ ତାଙ୍କ ବେକ କଟି ଯାଇଛି। ତେଣୁ କିଛି ଲୋକେ ତାଙ୍କ ପାଇଁ ଶୋକ ବି ଆରମ୍ଭ କରିଦେଇଥିଲେ। ମାତ୍ର ‌ଦୀପା ନିଜେ ପରିବାରକୁ ଫୋନ୍‌ କରି ଆଶ୍ବାସନା ଦେଇଥିଲେ। ସେ ଓଡ଼ିଶା ଫେରିବା ପରେ ଲୋକେ ଜାଣିବାକୁ ପାଇଥିଲେ ଯେ ଦୀପାଙ୍କର କିଛି ହୋଇନାହିଁ।

publive-image

ଶେଷ ଇଚ୍ଛା ଥିଲା ମା’ଙ୍କ ଦାହ ସ୍ଥାନରେ ଶେଷକୃତ୍ୟ
ଦୀପାଙ୍କ ମା’ କ୍ୟାନ୍ସରରେ ମୃତ୍ୟୁବରଣ କରିଥିଲେ। ମା’ଙ୍କୁ ବହୁତ ଭଲ ପାଉଥିବା ଦୀପା ଯେବେ ନିଜେ କ୍ୟାନ୍ସର ପୀଡ଼ିତ ‌ହେଇ ଚିକିତ୍ସିତ ହେଉଥିଲେ ସେତେବେଳେ କହିଥିଲେ ମତେ ମୋ’ ମା’ଙ୍କ ଦାହ ହୋଇଥିବା ସ୍ଥାନରେ ଦାହ କରିବ। ଏଥିସହ ତାଙ୍କ ୧୨ ବର୍ଷର ଝିଅକୁ ଭଲ ମଣିଷ କରିବାକୁ ସେ ସ୍ବାମୀ ମନୀନ୍ଦ୍ରନାଥ ଦତ୍ତଙ୍କୁ କହିଥିବା ବେଳେ ମନୀନ୍ଦ୍ର ଏହାକୁ ପୂରଣ କରିବେ ବୋଲି କହିଛନ୍ତି।

ସମ୍ବଲପୁରୀ ଗୀତରେ ଆମେ ଦୁହେଁ ଦର୍ଶକଙ୍କ ପସନ୍ଦ ଥିଲୁ
ରଙ୍ଗବତୀ ରଙ୍ଗେଇ ନାନୀ.., ତୋ’ର ଲମ୍ବା ବେଣୀ.., ଭାଇର ଶଳା... ଭଳି ହିଟ୍‌ ଆଲବମ୍‌ ତାଙ୍କ ସହ କରିଛି। ସମ୍ବଲପୁରୀ ଗୀତରେ ଆମ ଦୁହିଁଙ୍କ ଯୋଡ଼ି ଦର୍ଶକଙ୍କୁ ପସନ୍ଦ ଆସୁଥିଲା ବୋଲି ଆମକୁ ବାରମ୍ବାର ସୁଯୋଗ ମିଳିଥିଲା। ସେ ବହୁତ ହସଖୁସି, ମିଶାଣିଆ, ମଜାଳିଆ ପ୍ରକୃତିର ଥିଲେ। ଶେଷରେ ନିୟତିର ଇଚ୍ଛା ଆ‌ଗରେ ସେ ହାର୍‌ ମାନିଲେ। ଆଗପଛ ହୋଇ ଆଲବମ୍‌କୁ ଆସିଥିଲୁ।
ସୁମନ (ଆଲବମ୍‌ ଅଭିନେତା)

ସବୁ ହିଟ୍‌ ଗୀତରେ ଦୀପା ମୋ’ ନାୟିକା ଥିଲେ
ଦୀପା ସାହୁଙ୍କ ସହ ସବୁଠୁ ଅଧିକ ଆଲବମ୍‌ରେ ଅଭିନୟ କରିଛି। ସୌଭାଗ୍ୟ ଯେ ତାଙ୍କ ସହ ଅଭିନୀତ ସବୁ ଆଲବମ୍‌ ହିଟ୍‌ ଥିଲା। ଟେକା ମାରି ଝଡ଼େଇ ଦେବି ଜହ୍ନଲୋ.. ଗୀତରେ ଦର୍ଶକ ଆମକୁ ଆଜି ବି ମନେ ରଖିଛନ୍ତି। ୨୦୦୨-୦୩ ବେଳକୁ ତାଙ୍କ ସହ ମୋ’ର ଦେଖା ହୋଇଥିଲା। ସବୁ ହିଟ୍‌ ଗୀତରେ ଦୀପା ମୋ’ ନାୟିକା ଥିଲେ। ଆଜି ବି ମୋ’ର ବିଶ୍ବାସ ହେଉନି ଦୀପା ନାହାନ୍ତି ବୋଲି। ବ୍ୟକ୍ତିଗତ ଭାବେ ମୋ’ର ବଡ଼ କ୍ଷତି ହୋଇଛି।
ଦେବାଶିଷ (ଅଭିନେତା)

publive-image Sambad English

ଦୀପାଙ୍କୁ ସମ୍ମାନ ଦେଉ
ଦୀପାଙ୍କ ବିୟୋଗ କଳାକାର ପରିବାରର ଶୋକକୁ ଦ୍ବିଗୁଣିତ କରିଦେଇଛି। ଆଲବମ୍‌ରେ ଆମେ ୨୦୦୨ରେ ‘ମେଡ୍‌ ଇନ୍‌ ଓଡ଼ିଶା’ରେ ଆମେ ଦୁଇ ଭିନ୍ନ ଗୀତରେ ପ୍ରବେଶ କରିଥିଲୁ। ତେବେ ସମସ୍ତେ ଦୀପାଙ୍କୁ ସମ୍ମାନ ଦେଉ। ଦୀପା ଜଣେ ଭଲ ଅଭିନେତ୍ରୀ, ଭଲ ମା’ ଓ ଭଲ ପତ୍ନୀ ଥିଲେ। ସମୟ ଆଗରୁ ଦୀପା ଚାଲିଯିବା ସବୁଠୁ ଦୁଃଖ ଦେଇଛି। କାରଣ ଦୀପା ଅନେକ କିଛି କରିପାରିଥାଆନ୍ତେ। ଭଗବାନଙ୍କ କଠୋର ନିଷ୍ପତ୍ତି ଆଗେ ଆମେ କ’ଣ ବା କରିପାରିବୁ।
ସବ୍ୟସାଚୀ ମିଶ୍ର (ଅଭିନେତା)

ବାନ୍ଧବୀ ଭାବେ ଭଲ ସମ୍ପର୍କ ଥିଲା
ଯଦିଓ ଦୀପା ଜଣେ ସ୍ବୟଂସମ୍ପୂର୍ଣ୍ଣା ଅଭିନେତ୍ରୀ ଥିଲେ, ମାତ୍ର ସେ ମୋ’ର ଜଣେ ଭଲ ବାନ୍ଧବୀ ଥିଲା। ବନ୍ଧୁ ପ୍ରଶାନ୍ତଙ୍କ ସହ ମିଶି ଦୀପାଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍‌ ଆଣିଥିଲୁ। କଳାକାର ବନ୍ଧୁମାନେ ମଧ୍ୟ ସହଯୋଗର ହାତ ବଢ଼ାଇଥିଲେ। ଗତକାଲି ତାଙ୍କୁ ଦେଖିବାକୁ ଆସିବି ବୋଲି ଚିନ୍ତା କରିଥିଲି। କିନ୍ତୁ ଦେଖିବା ଆଗରୁ ସେ ଚାଲିଗଲେ।
ଅଖିଳ କୁମାର ପଟ୍ଟନାୟକ (ଅଭିନେତା)

ବଡ଼ ଭଉଣୀକୁ ହରେଇଲି
୨୦୦୫ ମସିହାରୁ ଆମେ ଏକାଠି କାମ କରିବାକୁ ସୁଯୋଗ ପାଇଛୁ। ବିଭିନ୍ନ ମଞ୍ଚ କାର୍ଯ୍ୟକ୍ରମ କରିଛୁ। ପରବର୍ତୀ ସମୟରେ ମୋ’ ମା’ ତାଙ୍କୁ ଝିଅ କରିଥିଲେ। ତେଣୁ ସେ ମୋ’ ବଡ଼ ଭଉଣୀ ହୋଇ ଯାଇଥିଲେ। ହସ୍ପିଟାଲ୍‌ରେ ଥିବା ବେଳେ ତାଙ୍କର ଦୃଢ଼ ଇଚ୍ଛାଶକ୍ତି ଦେଖି ଲାଗୁଥିଲା କିଛି ହେବନି। ମାତ୍ର ସେ ଚାଲିଗଲେ। ବଡ଼ ଭଉଣୀକୁ ହରାଇବାର ଦୁଃଖ ବୟାନ କରିପାରିବିନି।
ବିଦୁସ୍ମିତା (ଅଭିନେତ୍ରୀ)

ବିଭିନ୍ନ ମହଲରେ ଶୋକ
ଦୀପାଙ୍କ ବିୟୋଗରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଶୋକ ପ୍ରକାଶ କରି କହିଛନ୍ତି, ଦୀପା ଓଡ଼ିଆ ଆଲବମ୍‌ ଜଗତରେ କଳାର ନିଖୁଣ ଛାପ ଦ୍ବାରା ଅନେକ ଦର୍ଶକଙ୍କୁ ବାନ୍ଧି ରଖି ପାରିଥିଲେ। ତାଙ୍କ ବିୟୋଗରେ ଆଲବମ୍‌ ଜଗତରେ ଅପୂରଣୀୟ କ୍ଷତି ଘଟିଲା। ଶୋକସନ୍ତପ୍ତ ପରିବାରବର୍ଗକୁ ସମବେଦନା ସହ ସେ ଅମର ଆତ୍ମାର ସଦଗତି କାମନା କରିଛନ୍ତି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କହିଛନ୍ତି, ଦୀପା ଆଲବମ୍‌ ଜଗତର ଆଗଧାଡ଼ିର କଳାକାର ଥିଲେ। ଅକାଳ ବିୟୋଗ କଳାଜଗତ ପାଇଁ ବିରାଟ କ୍ଷତି। ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଦୁଃଖ ପ୍ରକାଶ ସହ ପରିବାରବର୍ଗଙ୍କୁ ଗଭୀର ସମବେଦନା ଓ ଦିବଙ୍ଗତ ଆତ୍ମାର ସଦଗତି କାମନା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe