Advertisment

‘ଓଡ଼ିଶାରେ ଏଥର ଓଡ଼ିଆ ମୁଖ୍ୟମନ୍ତ୍ରୀ’: କବିସୂର୍ଯ୍ୟନଗରରେ ହିମନ୍ତ, ସାନଖେମୁଣ୍ଡି ଓ ଦଶପଲ୍ଲାରେ ଭଜନଲାଲ୍‌

Advertisment
ଆନନ୍ଦପୁର ରାଜନୀତି: ବିଧାୟକଙ୍କ ବିରୋଧୀ ଓ ସମର୍ଥକଙ୍କ ସମାବେଶ

Shutterstock

କବିସୂର୍ଯ୍ୟନଗର/ପାଟପୁର/ଦଶପଲ୍ଲା: ଆଜି ଗଞ୍ଜାମର କବିସୂର୍ଯ୍ୟନଗର କବିସୂର୍ଯ୍ୟନଗରରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଓ ସାନଖେମୁଣ୍ଡି ଓ ଦଶପଲ୍ଲାରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ୍‌ ବିଜେପି ପ୍ରାର୍ଥୀଙ୍କ ନିମନ୍ତେ ନିର୍ବାଚନ ପ୍ରଚାର କରିଛନ୍ତି। ଆଜି ପୂର୍ବାହ୍ନରେ ଆସାମ ମୁଖ୍ୟମନ୍ତ୍ରୀ ବିଶ୍ବଶର୍ମା କବିସୂର୍ଯ୍ୟନଗର ବଡ଼ଆଗୁଳସ୍ଥିତ ପଡ଼ିଆରେ ଅନୁଷ୍ଠିତ ସଂକଳ୍ପ ସମାବେଶରେ ଯୋଗ ଦେଇ ବିଧାନସଭା ଓ ଲୋକସଭା କ୍ଷେତ୍ରରେ ବିଜେପିକୁ ବିପୁଳ ଭୋଟ ଦେଇ ବିଜୟୀ କରିବାକୁ ନିବେଦନ କରିଥିଲେ। ସେ କହିଲେ, ବିଜେଡି ସରକାର ଓଡ଼ିଶାରେ ବହୁ ବର୍ଷ ଶାସନ କରିଥିଲେ ହେଁ କୌଣସି ବିକାଶ ନ କରି କେବଳ ଓଡ଼ିଶାବାସୀଙ୍କୁ ମିଛ ପ୍ରତିଶ୍ରୁତି ଦେଇ ଚାଲିଛନ୍ତି । ଏ ମାଟିରୁ ବିଜେଡିକୁ ଫୋପାଡ଼ି ବିଜେପିକୁ ସରକାର ଗଢ଼ିବାକୁ ସୁଯୋଗ ଦେବାକୁ ଅନୁରୋଧ କରିଥିଲେ। ସମାବେଶରେ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ନାୟକ ଉପସ୍ଥିତ ଥିଲେ।

ସେହିପରି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ୍‌ ଶର୍ମା ସାନଖେମୁଣ୍ଡି ବିଧାନସଭା କ୍ଷେତ୍ରର ଜଗନ୍ନାଥପୁର ଛକ ପଡ଼ିଆରେ ଆୟୋଜିତ ସମାବେଶରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରି ସମବେତ କର୍ମୀ ଓ ଜନତାଙ୍କୁ ଉଦ୍‌ବୋଧନ ଦେଇଥିଲେ। ସେ କହିଲେ, ଓଡ଼ିଶାରେ ୨୫ ବର୍ଷ ଗୋଟିଏ ସରକାରକୁ ଶାସନ ସୁଯୋଗ ଦେଇଛନ୍ତି। ବିଜେପିକୁ ଥରେ ସୁଯୋଗ ଦେଲେ ବିକାଶ ଦୁଇଗୁଣ ହେବ। ବର୍ତ୍ତମାନ ଓଡ଼ିଶାରେ ସରକାର ବଦଳାଇବା ସମୟ ଆସିଛି। ଆପଣଙ୍କ ଭାଷା ସମସ୍ୟା ବୁଝୁଥିବା ଜଣେ ଓଡ଼ିଆ ମୁଖ୍ୟମନ୍ତ୍ରୀ ହେବେ। ୨୫ ବର୍ଷ ଭ୍ରଷ୍ଟାଚାର ଓ ଲୁଟ କରୁଥିବା ନବୀନ ସରକାରର ପରିବର୍ତ୍ତନ ଆବଶ୍ୟକ। ନବୀନବାବୁ ଓଡ଼ିଆଙ୍କୁ ଭରସା କରିପାରୁନଥିବା ଜ୍ୱଳନ୍ତ ଉଦାହରଣ ଆପଣ ଦେଖିପାରୁଛନ୍ତି ବୋଲି ରାଜସ୍ଥାନ ମୁଖ୍ୟମନ୍ତ୍ରୀ କହିଛନ୍ତି। ଗଞ୍ଜାମର ଖଲ୍ଲିକୋଟରେ ବିଜେପି କର୍ମୀଙ୍କୁ ବୀଭତ୍ସ ହତ୍ୟା ଘଟଣାକୁ ଶ୍ରୀ ଶର୍ମା ଘୋର ନିନ୍ଦା କରି କହିଛନ୍ତି। ଏପରି ଘଟଣା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ, ଆକ୍ରମଣ ଓ ହିଂସାରେ ବିଜେପି ଭୟଭୀତ ହେବନାହିଁ। ବିଜେପି ସରକାରକୁ ଆସିଲେ ପୁରୀ ଜଗନ୍ନାଥ ମନ୍ଦିରର ରତ୍ନଭଣ୍ଡାରର ଚାବି ଖୋଜି ବାହାର କରିବେ ବୋଲି କହିଥିଲେ। ଏହି ସମାବେଶରେ ଆସିକା ସାଂସଦ ପ୍ରାର୍ଥିନୀ ଅନିତା ଶୁଭଦର୍ଶିନୀ, ସାନଖେମୁଣ୍ଡି ବିଧାନସଭା ପାର୍ଥୀ ଉତ୍ତମ କୁମାର ପାଣିଗ୍ରାହୀ ମଞ୍ଚାସୀନ ଥିଲେ।

ସେହିପରି ଦଶପଲ୍ଲା ନିର୍ବାଚନମଣ୍ତଳୀର ନେତାଜୀ ମୈଦାନଠାରେ ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇ ବିଜେଡି ଓ କଂଗ୍ରେସ ଉପରେ ପ୍ରବଳ ବର୍ଷିଛନ୍ତି ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭଜନଲାଲ୍ ଶର୍ମା। ରାଜ୍ୟରେ ଦୀର୍ଘ ୨୫ ବର୍ଷ ସରକାର କରି ଆସୁଥିବା ବିଜେଡିର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଆ କହି ପାରୁନଥିବା ନେଇ କଟାକ୍ଷ କରିଥିଲେ। ସେହିଭଳି ଏହି ସଭାରେ କଂଗ୍ରେସ ଉପରେ ମଧ୍ୟ ବର୍ଷିଥିଲେ। ଆସନ୍ତା ୨୦ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଥିବା ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପୁଣି ଥରେ ସରକାରରେ ବସାଇବା ଏବଂ ରାଜ୍ୟରେ ବିଜେପି ସରକାର ଗଠନ ପାଇଁ କନ୍ଧମାଳ ସାଂସଦ ପ୍ରାର୍ଥୀ ସୁକାନ୍ତ କୁମାର ପାଣିଗ୍ରାହୀ ଏବଂ ବିଧାନସଭା ପ୍ରାର୍ଥୀ ରାଘବ ମଲିକଙ୍କୁ ୨ଟି ପଦ୍ମଫୁଲ ଚିହ୍ନରେ ଭୋଟଦେଇ ଜୟଯୁକ୍ତ କରିବା ପାଇଁ ନିବେଦନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe