Advertisment

ମେଦିନପୁରରେ ଏବେ ବି ବଞ୍ଚିଛି ଓଡ଼ିଆ କଳାସଂସ୍କୃତି: ପ୍ରତିଘରେ ରହିଛି ଓଡ଼ିଆ ପୋଥି ଓ ଭାଗବତ ଟୁଙ୍ଗି

Advertisment

୭୦ ପ୍ରତିଶତ ଲୋକଙ୍କ କଥିତ ଭାଷା ଓଡ଼ିଆ, ମୋହନପୁରରେ ରହିଛି ୩ ଶହ ବର୍ଷର ଜଗନ୍ନାଥ ମନ୍ଦିର

୭୦ ପ୍ରତିଶତ ଲୋକଙ୍କ କଥିତ ଭାଷା ଓଡ଼ିଆ, ମୋହନପୁରରେ ରହିଛି ୩ ଶହ ବର୍ଷର ଜଗନ୍ନାଥ ମନ୍ଦିର

ମେଦିନପୁରରେ ଏବେ ବି ବଞ୍ଚିଛି ଓଡ଼ିଆ କଳାସଂସ୍କୃତି: ପ୍ରତିଘରେ ରହିଛି ଓଡ଼ିଆ ପୋଥି ଓ ଭାଗବତ ଟୁଙ୍ଗି

ଜଳେଶ୍ୱର: ପଶ୍ଚିମବଙ୍ଗ ରାଜ୍ୟରେ ଥିବା ମେଦିନପୁର ଜିଲ୍ଲାରେ ଏବେ ବି ବଞ୍ଚିଛି ଓଡ଼ିଶାର କଳା ଓ ସଂସ୍କୃତି। ନିଆରା ଭାଇଚାରାରେ ବାନ୍ଧି ହୋଇ ରହିଛନ୍ତି ଓଡ଼ିଶା ଓ ମେଦିନାପୁର ଅଧିବାସୀ। ଏକଦା ଓଡ଼ିଶାର ରାଜତନ୍ତ୍ର ଅଧୀନରେ ପଶ୍ଚିମବଙ୍ଗର ମେଦିନପୁର ଜିଲ୍ଲା ରହିଥିଲା। ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ବେଳେ ମେଦିନପୁର ଜିଲ୍ଲା ଓଡ଼ିଶା ସହ ମିଶିବା ପାଇଁ ସ୍ଥିର ହୋଇଥିଲା। କାନ୍ଥି (ଏବେ ପଶ୍ଚିମବଙ୍ଗରେ) ଅଞ୍ଚଳର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ବୀରେନ୍ଦ୍ର ସାସମଲ ଏହି ମିଶ୍ରଣ ପାଇଁ କଥାବାର୍ତ୍ତା କରୁଥିଲେ। ମାତ୍ର ହଠାତ କଥାବାର୍ତ୍ତାର ଅନ୍ତ ଘଟିଲା। ଓଡ଼ିଶାରେ ମିଶି ପାରିଲାନି ମେଦିନାପୁର ଜିଲ୍ଲା। ବର୍ତ୍ତମାନ ମେଦିନାପୁର ଜିଲ୍ଲା ସିନା ପଶ୍ଚିମବଙ୍ଗରେ ରହିଛି, କିନ୍ତୁ ସେଠାରେ ଓଡ଼ିଆ କଳାସଂସ୍କୃତି ଉଜ୍ଜୀବିତ ରହିଛି। ଓଡ଼ିଆଙ୍କ ବଡ଼ଠାକୁର ଜଗନ୍ନାଥଙ୍କ ନାଁରେ ଏବେ ବି ତିଆରି ହେଉଛି ମେଦିନପୁର ଅଧିବାସୀଙ୍କ ଜନ୍ମ ଜାତକ। ମେଦିନପୁରର ପ୍ରତିଟି ଘରେ ରହିଛି ଓଡ଼ିଆ ପୋଥି ଓ ପୁରାଣ। କାନ୍ଥି,ଏଗ୍ରା, ମୋହନପୁର, ଦାନ୍ତୁନ, ଦୀଘା ଓ ରାମନଗର ଆଦି ଅଞ୍ଚଳରେ ୭୦ ପ୍ରତିଶତ ଲୋକଙ୍କ କଥିତ ଭାଷା ହେଉଛି ଓଡ଼ିଆ।

ଓଡ଼ିଆ ସିନେମା, ଓଡ଼ିଆ ସଙ୍ଗୀତ ଏଠାକାର ଅଧିବାସୀଙ୍କର ପ୍ରଥମ ପସନ୍ଦ। ସବୁଠାରୁ ବଡ଼ କଥା ହେଉଛି, ଉକ୍ତ ଅଞ୍ଚଳରେ ୩୦ ପ୍ରତିଶତ ଓଡ଼ିଆ ଓ ବଙ୍ଗାଳୀ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଖଡଗପୁର, ତମଲୁକର ମହିଷାଦଳଠାରେ ରହିଛି ଜଗନ୍ନାଥ ମନ୍ଦିର। ପୁରୀ ମୁକ୍ତିମଣ୍ଡପରୁ ଅନୁମତି ମିଳିଲେ, ଏଠାରେ ରଥଯାତ୍ରା ପାଳନ ହୁଏ। ମୋହନପୁରରେ ମଧ୍ୟ ରହିଛି ୩ ଶହ ବର୍ଷର ଜଗନ୍ନାଥ ମନ୍ଦିର। କାନ୍ଥିଠାରୁ ୧୯ କିମି ଦୂର ରସୁଲପୁର ଘାଟରେ ରହିଛି ବଳଭଦ୍ର ଜିଉ ମନ୍ଦିର। କଥିତ ଅଛି, ୩ ଶହ ବର୍ଷ ତଳେ ପୁରୀର ବଳଭଦ୍ର ଦେବ ଗଙ୍ଗାସାଗର ମେଳାକୁ ଯିବା ରାସ୍ତାରେ ଏଠାରେ ପ୍ରଭୁ ହିଁ ବିଶ୍ରାମ ନେଇଥିଲେ। ସେହିଦିନଠାରୁ ଏଠାରେ ବଳଭଦ୍ର ଜିଉ ପୂଜା ପାଉଛନ୍ତି। ରୀତିନୀତି ଅନୁଯାୟୀ, ଜଣେ ଓଡ଼ିଆ ପୂଜକ ବଂଶାନୁକ୍ରମେ ମନ୍ଦିରର ପୂଜକ ଦାୟିତ୍ୱ ତୁଲାଇ ଆସୁଛନ୍ତି। ସେହିପରି ବିଶ୍ବ ପ୍ରସିଦ୍ଧ ଶୈବପୀଠ ଚନ୍ଦନେଶ୍ବର ଚଡ଼କ ଯାତ୍ରାରେ ୬୦ ପ୍ରତିଶତରୁ ଅଧିକ ବଙ୍ଗାଳୀ ଶ୍ରଦ୍ଧାଳୁ ଉପବିତ ଧାରଣ କରନ୍ତି। ମେଦିନପୁର ଜିଲ୍ଲାର ଗାଁ ଗାଁରେ ରହିଛି ଭାଗବତ ଟୁଙ୍ଗି। ସେଥିମଧ୍ୟରୁ ବହୁ ପୁରାତନ ଭାଗବତ ଟୁଙ୍ଗିରେ ପୁରୀ, କଟକ ଓ ଯାଜପୁର ଅଞ୍ଚଳର ପଣ୍ଡିତମାନେ ସ୍ଥାୟୀ ଭାବେ ବସବାସ କରି ପୁରୁଷାନୁକ୍ରମେ ସେବାପୂଜା କରି ଆସୁଛନ୍ତି। ପ୍ରବାସୀ ହୋଇଥିଲେ ମଧ୍ୟ ମେଦିନାପୁର ଜିଲ୍ଲାବାସୀଙ୍କ ସହ ଓଡ଼ିଆମାନଙ୍କର ସାଂସ୍କୃତିକ, କଳାତ୍ମକ ଓ ଧାର୍ମିକ ସମ୍ପର୍କ କେବେ ମଧ୍ୟ ପ୍ରଭାବିତ ହୋଇନାହିଁ, ବରଂ ସୁଦୃଢ଼ ହୋଇଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe