ସିନେ ଆକାଶରୁ ଖସିଗଲା ‘ଉଲ୍‌କା’, ପରଲୋକରେ ରାଜୁ ମିଶ୍ର

ସିନେ ଆକାଶରୁ ଖସିଗଲା ‘ଉଲ୍‌କା’, ପରଲୋକରେ ରାଜୁ ମିଶ୍ର

ଭୁବନେଶ୍ୱର : ସିନେ ଆକାଶରୁ ଖସି ପଡ଼ିଛି ଆଉ ଏକ ‘ଉଲ୍‌କା’। ଭୁଶୁଡ଼ି ଯାଇଛି ଓଡ଼ିଆ ସିନେ ଜଗତର ସୁବର୍ଣ୍ଣ ଯୁଗର ଆଉ ଏକ ମହାଦ୍ରୁମ। ଆକାଶରେ ଲୀନ ହୋଇଯାଇଛନ୍ତି ‘ଉଲ୍‌କା’ ଚଳଚ୍ଚିତ୍ରର ରୂପକାର ରାଜୁ ମିଶ୍ର। ଆଜି ୭୧ ବର୍ଷ ବୟସରେ ବିଦାୟ ନେଇଛନ୍ତି ଓଡ଼ିଆ ସିନେ ଜଗତର ସିନେମାଟୋଗ୍ରାଫିର ଟ୍ରେଣ୍ଡ୍‌ ସେଟର ତଥା ଅଲ୍‌ରାଉଣ୍ଡର। ଆଜି ପୂର୍ବାହ୍ନ ୧୧ଟା ୧୦ରେ ହୃଦଘାତରେ ତାଙ୍କର ପରଲୋକ ହୋଇଯାଇଛି। ତାଙ୍କ ମୃତ୍ୟୁ ବି ଠିକ୍‌ ସିନେମା ଢଙ୍ଗରେ ଆସିଥିଲା। ସକାଳ ପର୍ଯ୍ୟନ୍ତ ସବୁ ଠିକ୍‌ ଥିଲା। ବ୍ୟାଙ୍କ୍‌କୁ ଯାଇ ଘରକୁ ଫେରି ବସିଥିଲେ। ଛାତିରେ ଯନ୍ତ୍ରଣା ହେବାରୁ ଆମ୍ରି ହସ୍ପିଟାଲ୍‌ ନିଆଗଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ୍ୟୁ ଖବର ପ୍ରଚାରିତ ହେବା କ୍ଷଣି ଓଡ଼ିଆ ସିନେ ଜଗତରେ ଶୋକର ଛାୟା ଖେଳି ଯାଇଛି।

ସିନେ ଦୁନିଆରେ ସେ ଏକାଧାରାରେ ଥିଲେ ସିନେମାଟୋଗ୍ରାଫର, ନିର୍ଦେଶକ, ସଂଗୀତ ନିର୍ଦେଶକ, କାହାଣୀକାର ଓ ସଂଳାପକାର। ସିନେମାରେ ଗିମିକ୍‌ ଓ ମାନିଆ ଭରି ଦୀର୍ଘ ୪ ଦଶନ୍ଧି ଧରି ଓଡ଼ିଆ ଚଳଚ୍ଚିତ୍ରକୁ ବହୁ କାଳଜୟୀ ଫିଲ୍ମ ଭେଟି ଦେଇଥିବା ରାଜ ଗୋପାଳ ଓରଫ୍‌ ରାଜୁ ମିଶ୍ର ୧୯୪୯ ମସିହା ଅକ୍ଟୋବର ୨୬ ତାରିଖରେ ଜନ୍ମ ଗ୍ରହଣ କରିଥିଲେ। ଜଟଣୀସ୍ଥିତ ଗୋପବନ୍ଧୁ ନଗରରେ ଏକ ସଂଗୀତମୟ ପରିବାରରେ ତାଙ୍କର ଜନ୍ମ ହୋଇଥିଲା। ମା’ ସୁମତି ଦେବୀ ଥିଲେ କଣ୍ଠଶିଳ୍ପୀ। ବାପା ବିମଳ ମିଶ୍ର ଥିଲେ ତବଲା ବାଦକ। ଉଭୟ ଅଲ୍‌ ଇଣ୍ଡିଆ ରେଡିଓର ସ୍ବୀକୃତିପ୍ରାପ୍ତ କଳାକାର। ତେଣୁ ସକାଳ ପାହିଲେ ରାଜୁଙ୍କର ସଂଗୀତ ସହ ଭେଟ ହେଉଥିଲା। ବଂଶାନୁକ୍ରମିକ ସୂତ୍ରରୁ ତାଙ୍କଠାରେ ସଂଗୀତ କଳା ବିକଶିତ ହୋଇଥିଲା। ଜଟଣୀ ହାଇସ୍କୁଲ୍‌ରେ ପାଠ ପଢ଼ା ସାଙ୍ଗକୁ ନିରାକାରପୁର କଲେଜ୍‌ରେ ଶିକ୍ଷା ସମାପ୍ତ କରିଥିଲେ। ମାତ୍ର ପିଲାବେଳୁ ଫଟୋ ଉଠାଇବାର ସୌକ ପାଇଁ ସେ ପୁନେସ୍ଥିତ ଫିଲ୍ମ ଟ୍ରେନିଂ ଇନ୍‌ଷ୍ଟିଚ୍ୟୁଟ୍‌ (ଏଫ୍‌ଟିଆଇ)ରେ ସିନେମାଟୋଗ୍ରାଫିରେ ଶିକ୍ଷାଲାଭ କଲେ। ‌

ପ୍ରଥମେ ‘ସର୍ବସାକ୍ଷୀ’ ନାମରେ ଏକ ମରାଠୀ ଚଳଚ୍ଚିତ୍ରରେ ସିନେମାଟୋଗ୍ରାଫି କରିଥିଲେ। ଏ ଫିଲ୍ମଟି ରାଷ୍ଟ୍ରୀୟ ପୁରସ୍କାର ଲାଭ କଲା। ଏହାପରେ ଓଡ଼ିଶା ଚାଲି ଆସି ଓଡ଼ିଆ ଚଳଚ୍ଚିତ୍ର ସାମ୍ରାଜ୍ୟକୁ ଭେଟି ଦେଲେ ଗୋଟେ ପରେ ଗୋଟେ କାଳଜୟୀ ଚିତ୍ର। ଅଶି ଦଶକରେ ଦୀର୍ଘ ୧୦ ବର୍ଷ ଧରି ସେ ରାଜ୍‌ କରିଥିଲେ। ୧୯୮୧ ମସିହାରେ ତାଙ୍କର ପ୍ରଥମ ଓଡ଼ିଆ ଫିଲ୍ମ ‘ଉଲ୍‌କା’ ମୁକ୍ତିଲାଭ କରିଥିଲା। ପରେ ଜୋର ଜାର୍‌ ମୂଲକ ତାର, ସାଗର ଗଙ୍ଗା, ସତ ମିଛ, ପୁଅ ମୋର କଳା ଠାକୁର, ମମତା ମାଗେ ମୂଲ, ରୁପା ଗାଁ’ର ସୁନା କନିଆ, ପଥର ଖସୁଛି ବଡ଼ ଦେଉଳୁ, ସଂହ ବାହିନୀ, ହରିଭାଇ ହାରେନା, ଜୀବନ ମୃତ୍ୟୁ, ଚକା ଆଖି ସବୁ ଦେଖୁଛି ଭଳି ୪୦ରୁ ଊର୍ଧ୍ବ ସିନେମା ଭେଟି ଦେଇଥିଲେ। ସିନେମାଟୋଗ୍ରାଫି ଓ ନିର୍ଦେଶନା ଭଳି ଦାୟିତ୍ବ ନିଭାଇଥିବା ୧୪ ଫିଲ୍ମ ରାଷ୍ଟ୍ରୀୟ ପୁରସ୍କାର ଲାଭ କରିଥିଲା। ଆସାମୀ, ହିନ୍ଦୀ ଓ ବଙ୍ଗଳା ଫିଲ୍ମରେ ବି ନିର୍ଦେଶନା ଓ ସିନେମାଟୋଗ୍ରାଫି କରିଥିଲେ। ଶେଷ ଓଡ଼ିଆ ଫିଲ୍ମ ଥିଲା ‘କୋଟିଏରେ ଗୋଟିଏ ମନ’। ଏହାବ୍ୟତୀତ ‘ଅଭିମାନିନୀ ଏ ଅମାନିଆ ଢେଉ.. ଭଳି କାଳଜୟୀ ସଂଗୀତ ସହ ୬ଟି ଫିଲ୍ମରେ ସଂଗୀତ ନିର୍ଦେଶନା ଦେଇଥିଲେ।

ଓଡ଼ିଆ ସିନେ ଜଗତର ବହୁ ଅଗ୍ରଣୀ ଅଭିନେତା ଓ ନିର୍ଦେଶକ ସୃଷ୍ଟି କରିବାରେ ତାଙ୍କର ମହତ୍ତ୍ବପୂର୍ଣ୍ଣ ଭୂମିକା ଥିଲା। ପ୍ରଥମ ଓଡ଼ିଆ ଭାବେ ୨୦୧୭ରେ ୬୪ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରର ଅଧ୍ୟକ୍ଷ ହୋଇ ଓଡ଼ିଶାକୁ ଗୌରବାନ୍ବିତ କରିଥିଲେ। ୨୦୧୩ ମସିହାରେ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବ ଇଣ୍ଡିଆନ ପାନାରୋମାରେ ଜୁରି ସଦସ୍ୟ ଭାବେ ଦାୟିତ୍ବ ନିଭାଇଥିଲେ। ୨୦୧୩ରେ ସେ ଓଡ଼ିଆ ଚଳଚ୍ଚିତ୍ରର ସର୍ବୋଚ୍ଚ ସମ୍ମାନ ଜୟଦେବ ପୁରସ୍କାର ଲାଭ କରିଥିଲେ। ମୃତ୍ୟୁ ଖବର ପାଇବା ପରେ କିଛି କଳାକାର ଜଟଣୀସ୍ଥିତ ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ। ମରଶରୀର ନିକଟରେ ପତ୍ନୀ ପ୍ରତିମା ମଞ୍ଜରୀ ମିଶ୍ର, ପୁଅ ପୁନିତ ମିଶ୍ର ଓ ଅନ୍ୟ ପରବାର ସ୍ବଜନ ଉପସ୍ଥିତ ଥିଲେ। ବଡ଼ପୁଅ ମୋହିତ ମିଶ୍ର ଜର୍ମାନିରେ ରହୁଥିବାରୁ ପହଞ୍ଚି ପାରିନାହାନ୍ତି। ପୁରୀ ସ୍ବର୍ଗଦ୍ବାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ‌ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe