ଜମି ଠକେଇ ମାମଲା: ସିନେ ପ୍ରଯୋଜକ ଅନାମ ସାହୁଙ୍କ ଜାମିନ ଖାରଜ

Advertisment
ଜମି ଠକେଇ ମାମଲା: ସିନେ ପ୍ରଯୋଜକ ଅନାମ ସାହୁଙ୍କ ଜାମିନ ଖାରଜ

କଟକ : ଓଡ଼ିଆ ସିନେମା ପ୍ରଯୋଜକ ଅନାମ ଚରଣ ସାହୁଙ୍କ ଜାମିନ ଖାରଜ ହୋଇଛି। ଜମି ଯୋଗାଇ ଦେବାକୁ କହି ଟଙ୍କା ହଡପ ମାମଲାରେ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ଦ୍ୱାରା ୨୦୧୭, ଅଗଷ୍ଟ ୮ରୁ ଗିରଫ ହୋଇ ଜେଲରେ ଥିବା ଶ୍ରୀ ସାହୁ କଟକ ସ୍ୱତନ୍ତ୍ର ଡେଜିଗନେଟେଡ୍‌ କୋର୍ଟରେ ଜାମିନ ପାଇଁ ଆବେଦନ କରିଥିଲେ। ଶ୍ରୀ ସାହୁ ଜଣେ ପ୍ରଭାବଶାଳୀ ବ୍ୟକ୍ତି ହୋଇଥିବା ବେଳେ ତାଙ୍କୁ ଜାମିନ ପ୍ରଦାନ କରାଗଲେ ତଦନ୍ତ ପ୍ରକ୍ରିୟା ବାଧାପ୍ରାପ୍ତ ହେବ ବୋଲି ଶୁଣାଣି ସମୟରେ ସରକାରଙ୍କ ପକ୍ଷରୁ ସ୍ପେଶାଲ ପବ୍ଲିକ୍‌ ପ୍ରସିକ୍ୟୁଟର ସୁବ୍ରତ କୁମାର ମହାନ୍ତି ଯୁକ୍ତି ଦର୍ଶାଇଥିଲେ। ମାମଲାର ତଦନ୍ତ ସରି ନଥିବା ଦୃଷ୍ଟିରୁ ଅଦାଲତ ତାଙ୍କ ଜାମିନ ଖାରଜ କରିଥବା ଜଣା ପଡିଛି।

ମାମଲାର ବିବରଣୀରୁ ପ୍ରକାଶ ଯେ, ସେଭେନ୍‌ ହିଲ୍ସ ଇଷ୍ଟେଟ ପ୍ରାଇଭେଟ ଲିମିଟେଡ୍‌ ସଂସ୍ଥାର ଜମି କିଣାବିକା ଜାଲିଆତିରେ ଶ୍ରୀ ସାହୁ ଦ୍ୱିତୀୟ କ୍ଷମତାପତ୍ର ହାସଲ କରି ପୁରୀ ଜିଲ୍ଲା ପିପିଲି ତହସିଲ ଅନ୍ତର୍ଗତ ମାଟିଆପଡ଼ା ମୌଜାରେ ଥିବା ଜମିକୁ ଲିଙ୍ଗରାଜ ଇନଫ୍ରାଷ୍ଟକଚରକୁ ବିକ୍ରି କରିଥିବା ଅଭିଯୋଗ ରହିଛି। ଏକ୍ରାଇମବ୍ରାଞ୍ଚ ଏହି ଜମି ଜାଲିଆତି ମାମଲାରେ ସେଭେନ୍ସ ହିଲ୍ସ ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ଏମ୍‌.ଏସ୍‌.ଶ୍ରୀନିବାସ ରାଓଙ୍କ ସହିତ ଲିଙ୍ଗରାଜ ସଂସ୍ଥାର ପଦାଧିକାରୀଙ୍କୁ ଗିରଫ କରିଥିଲା। ଶ୍ରୀ ସାହୁ ୬ଟି ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜନା କରିଥିବା ଜଣା ପଡିଛି।

ଡାକ୍ତର ସୁଧା ସେଠୀଙ୍କ ଜାମିନ ନାମଞ୍ଜୁର

କଟକ : ରାଜ୍ୟ ଚିକିତ୍ସା ପାଣ୍ଠି(ଓଏସ୍‌ଟିଏଫ୍‌) ହେରଫେର ମାମଲାରେ ଭିଜିଲାନ୍ସ ଦ୍ୱରା ଗିରଫ ହୋଇ ଜେଲ୍‌ ଯାଇଥିବା ଏସ୍‌ସିବି ମେଡିକାଲ କଲେଜ କ୍ଲିନିକାଲ ହେମାଟୋଲୋଜି ବିଭାଗ ସହକାରୀ ପ୍ରଫେସର ତଥା ଓଏସ୍‌ଟିଏଫ୍‌ର ନୋଡାଲ ଅଫିସର ଡାକ୍ତର ସୁଧା ସେଠୀଙ୍କ ଜାମିନ ଖାରଜ ହୋଇଛି। କଟକ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ ତାଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି। ଭିଜିଲାନ୍ସ ପକ୍ଷରୁ ସ୍ପେଶାଲ ପବ୍ଲିକ୍‌ ପ୍ରସିକ୍ୟୁଟର ଜମେଶ୍ୱର ମିଶ୍ର ମାମଲା ପରିଚାଳନା କରୁଥିଲେ। ପ୍ରକାଶ ଯେ ଡାକ୍ତର ସେଠୀଙ୍କ ବିରୋଧରେ ସରକାରୀ ପଦବିର ଅପବ୍ୟବହାର, ନିର୍ଦ୍ଦିଷ୍ଟ ଔଷଧ କମ୍ପାନି ପ୍ରତି ଅହେତୁକ ଅନୁକମ୍ପା ପ୍ରଦର୍ଶନ, ରାଜକୋଷକୁ ଆର୍ଥିକ କ୍ଷତି ପହଞ୍ଚାଇବା, ଠକେଇ, ଅର୍ଥ ତୋଷରପାତ, ଅପରାଧିକ ଷଡଯନ୍ତ୍ର ଭଳି ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ମାମଲା ରୁଜୁ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe