ସ୍ନାନପୂର୍ଣ୍ଣିମାରେ ମୁକ୍ତିଲାଭ କଲା ନିଆରା ଭଜନ ‘ଜଗାରେ’... ସାମ୍ବାଦିକତାରୁ ସଂଗୀତର ଯାତ୍ରା ଆରମ୍ଭ କଲେ ବନ୍ଦନା ମିଶ୍ର

ପବିତ୍ର ସ୍ନାନଯାତ୍ରା ଅବସରରେ ଜଗତର ନାଥ ଜଗନ୍ନାଥଙ୍କ ପାଇଁ ମୁକ୍ତିଲାଭ କରିଛି ଭାବଭକ୍ତି ଭରା ଏକ ଭିନ୍ନ ଧରଣର ଭଜନ ‘ଜଗାରେ’ । ୟୁଟ୍ୟୁବରେ ଏହି ଭଜନ ମୁକ୍ତିଲାଭ କରିଥିବା ବେଳେ ଏଥିରେ କଣ୍ଠଦାନ କରିଛନ୍ତି ସମ୍ବାଦ ପରିବାରର ସଦସ୍ୟ ତଥା ଯୁବ ସାମ୍ବାଦିକା ବନ୍ଦନା ମିଶ୍ର...

jagare 2

Photograph: (sambad.in)

ଭୁବନେଶ୍ବର: ତୁ ସିନା ବଡ଼ ଦିଅଁ ମୁଁ ଅଭାଗାରେ... ଜଗାରେ... ଜଗାରେ... କିଏ କହିଲା ଜଗନ୍ନାଥ ଡାକ ଶୁଣନ୍ତିନି ବୋଲି, କିଏ କହିଲା ତାର କାନ ନାହିଁ ବୋଲି... ଆରେ ସିଏ ପରା ଡାକେ ହାତର ଦେବତା, ଡାକିଦେଲେ ଶୁଣେ । ସିଏ ପରା ଚକ୍ଷୁଶ୍ରବା... କାନ ନଥାଉ ସିଏ ଆଖିରେ ଶୁଣେ, ଆଖିରେ ଦେଖେ... 

ପବିତ୍ର ସ୍ନାନପୂର୍ଣ୍ଣିମାରେ ଜଗା କେବଳ ସୁବାସିତ ଜଳରେ ଭିଜିନି ବରଂ ଭକ୍ତର ଗୀତ ଶୁଣି ଭିଜିଛି । ଭାବରେ ଜୁଡୁବୁଡୁ ଭକ୍ତଟି ସିନା ପୁରୀ ଯାଇପାରିନି ହେଲେ ସୁଦୂର ଭୁବନେଶ୍ବରରୁ ତା ଆପଣାର ଠାକୁର ପାଇଁ ଆଖି ଭିଜେଇ ଲୁହରେ ଲେଖି ଦେଇଛି ଭଜନ, ତା ବତୁରା କଣ୍ଠରେ ଗାଇ ଦେଇଛି ଭାବବିନୋଦିଆ ପାଇଁ ପ୍ରଥମ ସଂଗୀତ... ଆଃ କେଡେ ସୌଭାଗ୍ୟ କହିଲେ, ଆଜିର ଦିନରେ ଜଗନ୍ନାଥଙ୍କ ପାଇଁ ଗୀତଟିଏ କରିବା ।

ହଁ ଆଜ୍ଞା-ପବିତ୍ର ସ୍ନାନଯାତ୍ରା ଅବସରରେ ଜଗତର ନାଥ ଜଗନ୍ନାଥଙ୍କ ପାଇଁ ମୁକ୍ତିଲାଭ କରିଛି ଭାବଭକ୍ତି ଭରା ଏକ ଭିନ୍ନ ଧରଣର ଭଜନ ‘ଜଗାରେ’ । ବରଦା ବ୍ଲେସିଂସ୍ ବ୍ୟାନରରେ ଏହି ଭଜନ ମୁକ୍ତିଲାଭ କରିଥିବା ବେଳେ ଏଥିରେ କଣ୍ଠଦାନ କରିଛନ୍ତି ସମ୍ବାଦ ପରିବାରର ସଦସ୍ୟ ତଥା ଯୁବ ସାମ୍ବାଦିକା ବନ୍ଦନା ମିଶ୍ର । ଏହା ତାଙ୍କ ଜୀବନର ପ୍ରଥମ ଗୀତ ଓ ପ୍ରଥମ ଭଜନ ହୋଇଥିବା ବେଳେ ଏଥିରେ ସେ କଣ୍ଠଦାନ ସହ ଗୀତ ମଧ୍ଯ ଲେଖିଛନ୍ତି । ଜୀବନର ପ୍ରଥମ ଗୀତ କୋଟି ଓଡିଆଙ୍କ ମଉଡମଣି, ଆମ ଆରାଧ୍ଯ ଦେବତା ଶ୍ରୀଜଗନ୍ନାଥଙ୍କୁ ତାଙ୍କର ଭକ୍ତିର ଅର୍ଘ୍ୟ ବୋଲି ସେ କହିଛନ୍ତି । 

jagare
Photograph: (sambad.in)

ତେବେ ସ୍ବର ସଂଯୋଜନାର ଭାର ବନ୍ଦନାଙ୍କ ଭାଇ ବିକ୍ରମ ମିଶ୍ର ତୁଲାଇଥିବା ବେଳେ ଡି. ଅଶେଷ ଆରେଞ୍ଜମେଣ୍ଟସ୍ ଏବଂ ମିକ୍ସିଂ ମାଷ୍ଟରିଙ୍ଗ ଦାୟିତ୍ବ ତୁଲାଇଛନ୍ତି । ସୁକେଶ ରଞ୍ଜନ ପାଢୀ ପ୍ରଯୋଜିତ ଏହି ଗୀତ ସମ୍ବାଦ ଭବନରେ ଉନ୍ମୋଚିତ ହୋଇଛି । ଉନ୍ମୋଚନ ସମାରୋହରେ କନଜ ନ୍ୟୁଜର ସିଇଓ ତଥା ସ୍ବନାମଧନ୍ୟ ବରିଷ୍ଠ କଣ୍ଠଶିଳ୍ପୀ ରତିକାନ୍ତ ଶତପଥୀ, ସମ୍ବାଦ-କନକ ନ୍ୟୁଜର ବାର୍ତ୍ତା ସମ୍ପାଦକ ଭବାନୀ ଶଙ୍କର ତ୍ରିପାଠୀ, ସମ୍ବାଦର ଫିଚର ସମ୍ପାଦକ ଧୃତିକାମ ମହାନ୍ତି, ସମ୍ବାଦ ସାହିତ୍ୟ ଘର ରାଜ୍ୟ ସଂଯୋଜିକା ଡ. ଶୁଭଶ୍ରୀ ଲେଙ୍କା, ରେଡିଓ ଚକଲେଟର ପ୍ରୋଗ୍ରାମ୍ ହେଡ ସଂଗ୍ରାମ ମିଶ୍ରଙ୍କ ସହ ସମ୍ବାଦର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ।

ସଂଗୀତ ଏକ ପ୍ରାରବ୍ଧ, ଜଗା ପାଖରୁ ସଂଗୀତର ଯାତ୍ରା ଆରମ୍ଭ କରିଥିବାରୁ କଣ୍ଠଶିଳ୍ପୀ ବନ୍ଦନା ମିଶ୍ରଙ୍କୁ ଉପସ୍ଥିତ ଅତିଥିମାନେ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଆଗାମୀ ସଂଗୀତର ଯାତ୍ରା ସଫଳ ହେଉ ବୋଲି ସମସ୍ତେ ଅଭିନନ୍ଦନ ଜଣାଇଛନ୍ତି ।

ଗୀତ ଶୁଣିବାକୁ କ୍ଲିକ୍ କରନ୍ତୁ-

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe