ଗୁଜରାତରେ ଓଡ଼ିଆ ଶ୍ରମିକ ମୃତ, ଦୁଇ ଦିନ ପରେ ଗାଁକୁ ଫେରିଲା ଶବ

Advertisment
ସର୍ପାଘାତରେ ନାବାଳିକା ମୃତ

ରୁପ୍ରା: ନିଜ ଅଞ୍ଚଳରେ କୌଣସି କାମଧନ୍ଦା  ମିଳୁ ନଥିବାରୁ ଅଞ୍ଚଳର ଶ୍ରମିକମାନେ ଦାଦନ ଭାବେ ଅନ୍ୟ ରାଜ୍ୟକୁ ଯାଉଛନ୍ତି। ସେମାନଙ୍କ ମଧ୍ୟରୁ କିଛି ଶ୍ରମିକ ଶବ ହୋଇ ଭିଟାମାଟିକୁ ଫେରୁଥିବା ବେଳେ ଅନେକ ଶ୍ରମିକଙ୍କ ଶବ ଗାଁକୁ ମଧ୍ୟ ଆସିପାରୁ ନାହିଁ। ସୂଚନାଯୋଗ୍ୟ, କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ମୁସ୍କୁଟି ପଞ୍ଚାୟତ ଥୁଆପଦର ଗ୍ରାମର ପୁରୁନ୍ଦର ଧରୁଆ ଓ ଛାୟାବତୀ ଧରୁଆଙ୍କ ବଡ଼ପୁଅ ୪୫ ବର୍ଷ ବୟସ୍କ ଚନ୍ଦ୍ରଶେଖର ଧରୁଆ ଦାଦନ ଶ୍ରମିକ ଭାବରେ ଗୁଜରାତର ଅହମ୍ମଦାବାଦକୁ ମାସକ ତଳେ ଯାଇଥିଲେ। ନିଜ ଗ୍ରାମର ପ୍ରାୟ ୧୩ଜଣଙ୍କ ସମେତ ନର୍ଲା, ସିନାଙ୍ଗ ଓ ଡମପଦର ଗ୍ରାମର ଲୋକଙ୍କ ସହ ମିଶି ଯାଇଥିଲେ ଚନ୍ଦ୍ରଶେଖର। ସେଠାରେ ଏକ କୋଠା ନିର୍ମାଣ ପାଇଁ ଶ୍ରମିକ ଭାବରେ କାମ କରୁଥିବା ବେଳେ ଗୁରୁବାର ଦିନ କୋଠା ଉପରକୁ ଲୁହାରଡ୍ ଚଢ଼ାଉଥିଲେ।

ଏହି ସମୟରେ ଏକ ଲୁହାରଡ୍ ଉପରୁ ଖସିପଡ଼ି ଚନ୍ଦ୍ରଶେଖରଙ୍କ କପାଳରେ ବାଜି ଭିତରକୁ ପଶି ଯାଇଥିଲା। ସେଠାରେ କାମ କରୁଥିବା ଲୋକେ ସଙ୍ଗେ ସଙ୍ଗେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ମାତ୍ର ଚିକିତ୍ସାଧୀନ ଅବସ୍ଥାରେ କିଛି ସମୟ ପରେ ଚନ୍ଦ୍ରଶେଖରଙ୍କ ଦେହାନ୍ତ ହୋଇଥିଲା। ଏହି ଖବର ଜଣାପଡ଼ିବା ପରେ ପରିବାର ତଥା ପରିଚିତ ମହଲରେ ଶୋକର ଛାୟା ଖେଳିଯାଇଛି। ଉକ୍ତ ସଂସ୍ଥା ପକ୍ଷରୁ ଚନ୍ଦ୍ରଶେଖରଙ୍କ ମୃତ ଶରୀରକୁ ଆମ୍ବୁଲାନ୍ସ ଯୋଗେ ଭିଟାମାଟିକୁ ପଠାଇବାର ବ୍ୟବସ୍ଥା କରାଯାଇଥିଲା। ଚନ୍ଦ୍ରଶେଖରଙ୍କ ପାର୍ଥିବ ଶରୀର ଧରି ସେଠାରେ ଥିବା ଥୁଆପଦର ଗ୍ରାମର ଲୋକନାଥ କୁମୁରା, ମୁନୀନ୍ଦ୍ର ପାତ୍ର, ଫିରୋଜ ଧରୁଆ ଓ ସୁଶାନ୍ତ ମାଝୀ ଶନିବାର ଅପରାହ୍ନରେ ଗ୍ରାମରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ଦେଖା ଦେଇଥିଲା। ରୋଜଗାରିଆ ପୁ୍ଅକୁ ହରାଇ ପରିବାର ସଦସ୍ୟ ସ୍ତବ୍ଧ ହୋଇ ଯାଇଛନ୍ତି। ପରିବାର ବର୍ଗଙ୍କ ସୂଚନା ମୁତାବକ ଚନ୍ଦ୍ରଶେଖର ଦୁଇ ପୁଅ ଝିଅଙ୍କୁ ପାଠ ପଢ଼ାଇବା ପାଇଁ ଅଧିକ ଅର୍ଥ ଉପାର୍ଜନ କରିବାକୁ ଗୁଜରାତ ଯାଇଥିବା ବେଳେ ବର୍ତ୍ତମାନ ଶବ ହୋଇ ଫେରିଛନ୍ତି। ଘରେ ତାଙ୍କର ବାପା ଓ ମା'ଙ୍କ ସମେତ ପତ୍ନୀ କ୍ଷିତିସୂତା, ବଡଝିଅ ଲିପସା ଓ ଏକମାତ୍ର ପୁଅ ଅଶୋକ ଅଛନ୍ତି। ନିଜ ଜମିରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe