ଗୋଆରେ ଓଡ଼ିଆ ମହିଳା ଶ୍ରମିକଙ୍କୁ ହତ୍ୟା : ୧୫ ଦିନ ହେଲା ଶବ ଆସି ପାରୁନି

Advertisment
ପାଟଣାଗଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ରୋଗୀଙ୍କ ମୃତ୍ୟୁ, କର୍ମଚାରୀଙ୍କ ଅବହେଳା ଅଭିଯୋଗ

www.indiatimes.com

ପାଟପୁର : ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ ଓ ପାଟପୁର ଥାନା ଅଧୀନ ଟି.ଗୋବିନ୍ଦପୁର ପଞ୍ଚାୟତ ବୋରେଇପାହାଡ଼ ଗ୍ରାମର ସାବିତ୍ରୀ ଶବର ନାମକ ଜଣେ ଓଡ଼ିଆ ମହିଳା ଶ୍ରମିକଙ୍କୁ ଗୋଆରେ ହତ୍ୟା କରାଯାଇଛି। ଗତ ୭ ତାରିଖରେ ସାବିତ୍ରୀଙ୍କୁ ହତ୍ୟା କରା ଯାଇଥିବା ବେଳେ ଆଇନର ପେଞ୍ଚ ଓ ପ୍ରଶାସନର ଅବହେଳା ଯୋଗୁଁ ବର୍ତ୍ତମାନ ସୁଦ୍ଧା ତାଙ୍କ ଶବ ସେଠାରୁ ଘରକୁ ଆସିପାରୁନି। ଗୋଆର ପୋର୍‌‌ଭୋରିମ୍ ଥାନା ପୁଲିସ ଶବକୁ ଜବତ କରିବା ସହ ଜଣେ ଓଡ଼ିଆ ଯୁବକକୁ ଅଟକ ରଖି ପଚରାଉଚରା କରୁଛି।

ମିଳିଥିବା ସୂଚନାନୁସାରେ, ସାବିତ୍ରୀ କିଛି ବର୍ଷ ତଳେ ନିଜ ଗ୍ରାମର କାଳିକ ବଡ଼ରଇତଙ୍କୁ ବିବାହ କରିଥିଲେ। କିନ୍ତୁ ୪ ବର୍ଷ ହେଲା କାଳିକ ନିଖୋଜ ଅଛନ୍ତି। ଫଳରେ ସାବିତ୍ରୀ ତାଙ୍କର ଗୋଟିଏ ଝିଅ ବନିତା ଓ ଦୁଇ ପୁଅର ଭରଣପୋଷଣ ପାଇଁ ଚିନ୍ତା କରି ବାଲିପଦର ଅଞ୍ଚଳର ଜଣେ ଯୁବକ ସହ ଗୋଆ ପଳାଇଥିଲେ। ବନିତା ବର୍ତ୍ତମାନ ନିମପଲ୍ଲୀ ସେବାଶ୍ରମରେ ୪ର୍ଥ ଶ୍ରେଣୀରେ ପଢ଼ୁଥିବା ବେଳେ ଦୁଇ ପୁଅ ସଂପର୍କୀୟଙ୍କ ଘରେ ରହି ପଢ଼ୁଛନ୍ତି।

ସାବିତ୍ରୀ ଗୋଆରେ ଜଣଙ୍କ ଘରେ କାମ କରୁଥିଲେ। ହେଲେ ଅଧିକ ମଜୁରି ଦେବାର ପ୍ରଲୋଭନ ଦେଖାଇ ସଂପୃକ୍ତ ଯୁବକ ଜଣକ ସେଠାରୁ ଡାକି ଆଣି ଆଉ ଏକ ପ୍ରତିଷ୍ଠାନରେ ନିୟୋଜିତ କରାଇଥିଲା। ‌ହେଲେ ସେ ମଜୁରି ଠକୁଥିବାରୁ ସାବିତ୍ରୀ ଏହାର ପ୍ରତିବାଦ କରିଥିଲେ। ଗତ ୭ ତାରିଖରେ ସାବିତ୍ରୀଙ୍କୁ ହତ୍ୟା କରା ଯାଇଥିଲା। ତେବ‌େ ଏଥିରେ ଉକ୍ତ ଯୁବକଙ୍କ ସହ ଅନ୍ୟ କେଉଁ ମାନଙ୍କ ସଂପୃକ୍ତି ରହିଛି ଏନେଇ ସେଠାକାର ପୁଲିସ ଅଧିକ ତଦନ୍ତ ଚଳାଇଛି।

ଏହି ହତ୍ୟାକାଣ୍ଡ ସମ୍ପର୍କରେ ଗୋଆ ପୁଲିସ ଜଣାଇବା ପରେ ଗତ ୧୨ ତାରିଖରେ ଶବ ନେବାକୁ ସାବିତ୍ରୀଙ୍କ ଭାଇ ତମାସଙ୍କୁ ଫୋନ୍ କରି ସୂଚନା ଦେଇଥିଲେ। ଗତକାଲି ପରିବାରବର୍ଗ ଶବ ଫେରାଇ ଆଣିବାକୁ ପାଟପୁର ଥାନା ଅଧିକାରୀ ଅଜୟ କୁମାର ବାରିକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ସେଠାରୁ ଶବ ଆଣିବା ଦିଗରେ ପଦକ୍ଷେପ ନିଆଯିବ ବୋଲି ଥାନା ଅଧିକାରୀ ପ୍ରତିଶ୍ରୁତି ଦେଇଥିଲେ। ତେବେ ଭାଇ ତମାସ ଓ ସଂପର୍କୀୟମାନେ ସେଠାରେ ପହଞ୍ଚି ଅପେକ୍ଷା କଲା ପରେ ମଧ୍ୟ ପ୍ରଶାସନ ଆଡୁ କିଛି ପଦକ୍ଷେପ ନିଆଗଲାନି। ଫଳରେ ପରିବାରବର୍ଗ ସେଠାରେ ହିଁ ଶବଦାହ କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe