ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତ ଚିହ୍ନଟ, ୩ କୋର୍ଟଚାଲାଣ, ଜଣେ ଅଟକ

ପଶ୍ଚିମବଙ୍ଗ ବର୍ଦ୍ଧମାନ ଜିଲ୍ଲା ଦୁର୍ଗାପୁରସ୍ଥିତ ଏକ ଘରୋଇ ମେଡିକାଲ କଲେଜରେ ପଢ଼ୁଥିବା ବାଲେଶ୍ବର ଜିଲ୍ଲା ଜଳେଶ୍ବରର ଏମ୍‌ବିବିଏସ୍‌ ଦ୍ବିତୀୟ ବର୍ଷର ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ମୋଟ ୫ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି ପୁଲିସ।

dgadgdazvc

ଜଳେଶ୍ବର: ପଶ୍ଚିମବଙ୍ଗ ବର୍ଦ୍ଧମାନ ଜିଲ୍ଲା ଦୁର୍ଗାପୁରସ୍ଥିତ ଏକ ଘରୋଇ ମେଡିକାଲ କଲେଜରେ ପଢ଼ୁଥିବା ବାଲେଶ୍ବର ଜିଲ୍ଲା ଜଳେଶ୍ବରର ଏମ୍‌ବିବିଏସ୍‌ ଦ୍ବିତୀୟ ବର୍ଷର ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ମୋଟ ୫ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି ପୁଲିସ। ଏହି ଘଟଣାରେ ଆଜି ୩ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜଣଙ୍କୁ ଦୁର୍ଗାପୁର ଥାନାରେ ଅଟକ ରଖି ଜେରା ଚାଲିଛି। ଦୁର୍ଗାପୁର ପୁଲିସର ସୂଚନା ଅନୁଯାୟୀ ସମସ୍ତ ଅଭିଯୁକ୍ତ ମେଡିକାଲ କଲେଜକୁ ଲାଗିଥିବା ଜଙ୍ଗଲ ଆଖପାଖ ଅଞ୍ଚଳର। ପୀଡ଼ିତାଙ୍କ ପାଖରୁ ଛଡ଼ାଇ ନେଇଥିବା ମୋବାଇଲ୍‌ ଫୋନ୍‌କୁ ଟ୍ରାକିଂ କରି ପାରାନଗଞ୍ଜ ଜଙ୍ଗଲରୁ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ସେକ୍‌ ରିଆଜଦ୍ଦିନ, ସେକ୍‌ ଫିର୍‌ଦୋସ ଓ ଅପୁ ବାଉରୀ। ଆସାନସୋଲ-ଦୁର୍ଗାପୁର ପୁଲିସ ଏବଂ ସ୍ପେସାଲ୍ ଇନ୍‌ଭେଷ୍ଟିଗେସନ୍‌ ଟିମ୍ (ଏସ୍‌ଆଇଟି) ଅଭିଯୁକ୍ତଙ୍କୁ ବହୁ ସମୟ ଧରି ଜେରା କରିବା ପରେ ‌ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ପୁଲିସ ପାରାନଗଞ୍ଜ ଜଙ୍ଗଲରେ ଡ୍ରୋନ୍‌ ସହାୟତାରେ ତଲାସି ଅଭିଯାନ ଚଳାଇଥିବା ବେଳେ ଦୁଷ୍କର୍ମ ହୋଇଥିବା ସ୍ଥାନକୁ ଘେରାବନ୍ଦୀ କରି ରଖିଛି। ପୀଡ଼ିତାଙ୍କ ମୋବାଇଲ୍‌କୁ ଯାଞ୍ଚ ପାଇଁ କୋଲକାତା ଫରେନ୍‌ସିକ୍‌ ଲ୍ୟାବ୍‌କୁ ପଠାଇଛି। ମେଡିକାଲ କଲେଜର ସିସିଟିଭି ଫୁଟେଜ୍‌କୁ ଜବତ କରାଯାଇଛି। ଶୁକ୍ରବାର ରାତି ୭ଟା ୫୮ ମିନିଟ୍‌ରୁ ୯ଟା ୩୧ ମିନିଟ୍ ମଧ୍ୟରେ କଲେଜ ପରିସର ଓ ଛାତ୍ରୀ ନିବାସ ସମ୍ମୁଖ ସିସିଟିଭି ଦୃଶ୍ୟକୁ ତନ୍ନତନ୍ନ କରି ଅନୁଧ୍ୟାନ କରାଯାଉଛି। ୨୦୧୩ ମସିହାରେ ଜଙ୍ଗଲ ଅଞ୍ଚଳରେ ପ୍ରତିଷ୍ଠା ହୋଇଥିବା ଏହି ମେଡିକାଲ୍‌ କଲେଜର ସୁରକ୍ଷା ବ୍ୟବସ୍ଥା ନେଇ ମଧ୍ୟ ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍‌ ସମୀକ୍ଷା କରୁଛି। ସେହିପରି ଦୁର୍ଗାପୁର ଡେପୁଟି ମାଜିଷ୍ଟ୍ରେଟ୍‌ ରଞ୍ଜନା ରାୟ ପୀଡ଼ିତାଙ୍କୁ ଡାକ୍ତରଖାନାରେ ଭେଟି ସାନ୍ତ୍ବନା ଦେବା ସହ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି। ପୀଡ଼ିତା ନିଶ୍ଚିତ ନ୍ୟାୟ ପାଇବେ ବୋଲି ମମତା ସରକାର ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି।

ଫରେନ୍‌ସିକ୍‌ ଲ୍ୟାବ୍‌କୁ ଗଲା ପୀଡ଼ିତାଙ୍କ ମୋବାଇଲ୍‌ 
ଦୁର୍ଗାପୁରରେ ବାଲେଶ୍ବର ଜିଲ୍ଲା ପ୍ରଶାସନର ଟିମ୍‌
ଝିଅର ଜୀବନ ପ୍ରତି ବିପଦ ଅଛି: ବାପା
ମମତା ସରକାରଙ୍କୁ ଘେରିଲେ ବିରୋଧୀ
ପଶ୍ଚିମବଙ୍ଗରେ ବିକ୍ଷୋଭ, ଆନ୍ଦୋଳନ, ରାସ୍ତାରୋକ

ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶରେ ବାଲେଶ୍ବର ଜିଲ୍ଲା ପ୍ରଶାସନର ଏକ ଦୁଇଜଣିଆ ଟିମ୍ ଦୁର୍ଗାପୁରରେ ପହଞ୍ଚି ପୀଡ଼ିତାଙ୍କ ବାପାମାଆଙ୍କୁ ସାକ୍ଷାତ କରିଛି। ଏହି ଅସମୟରେ ଓଡ଼ିଶା ସରକାର ପୀଡ଼ିତାଙ୍କ ପରିବାର ସହ ରହିଛନ୍ତି ବୋଲି ଟିମ୍‌ର ସଦସ୍ୟମାନେ କହିଛନ୍ତି। ପୀଡ଼ିତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସାମାନ୍ୟ ସୁଧାର ଆସିଥିଲେ ବି ସେ ମାନସିକ ଭାବେ ଭାଙ୍ଗିପଡ଼ିଛନ୍ତି। ଏପରିକି କଥା ହେବା କିମ୍ବା ବିଛଣାରୁ ଉଠିବା ଅବସ୍ଥାରେ ନାହାନ୍ତି। ଦୁର୍ଗାପୁରରେ ଝିଅ ସୁରକ୍ଷିତ ନୁହେଁ। ତେଣୁ ତା’ର ସୁରକ୍ଷା ଏବଂ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ପଶ୍ଚିମବଙ୍ଗ ସରକାର ଝିଅକୁ ଭୁବନେଶ୍ୱର ପଠାଇ ଦିଅନ୍ତୁ ବୋଲି ପୀଡ଼ିତାଙ୍କ ବାପା କହିଛନ୍ତି। ଅନ୍ୟପଟେ ଗଣଦୁଷ୍କର୍ମ ଘଟଣାକୁ ନେଇ ପଶ୍ଚିମବଙ୍ଗରେ ରାଜନୀତି ଜୋର୍‌ ଧରିଛି। ମମତାଙ୍କ ଟିଏମ୍‌ସି ସରକାରରେ ଛାତ୍ରୀମାନେ ସମ୍ପୂର୍ଣ୍ଣ ଅସୁରକ୍ଷିତ ହୋଇପଡ଼ିଥିବା ଅଭିଯୋଗ କରି ବିଜେପି, ସିପିଆଇ (ଏମ୍‌) ଓ କଂଗ୍ରେସ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଆନ୍ଦୋଳନ, ବିକ୍ଷୋଭ ଓ ରାସ୍ତାରୋକ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe