ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା: ଦୁଷ୍କର୍ମ କରିଥିଲା ପୁରୁଷବନ୍ଧୁ, କ୍ରାଇମ୍‌ ସିନ୍ ରିକ୍ରିଏସନ୍‌ କରାଗଲା

ପଶ୍ଚିମବଙ୍ଗ ଦୁର୍ଗାପୁରସ୍ଥିତ ଘରୋଇ ମେଡିକାଲ କଲେଜରେ ପଢ଼ୁଥିବା ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ପୀଡ଼ିତାଙ୍କ ପୁରୁଷବନ୍ଧୁଙ୍କୁ ଆଜି ପୁଲିସ ଗିରଫ କରିଛି। ଆଜି ସମସ୍ତ ୫ ଅଭିଯୁକ୍ତ ଓ ପୁରୁଷବନ୍ଧୁଙ୍କୁ ପାରାନଗଞ୍ଜ ଜଙ୍ଗଲର କାଲାବାଡ଼ି ଶ୍ମଶାନ....

dagdgagdazcvvcv

ଜଳେଶ୍ୱର/କୋଲକାତା: ପଶ୍ଚିମବଙ୍ଗ ଦୁର୍ଗାପୁରସ୍ଥିତ ଘରୋଇ ମେଡିକାଲ କଲେଜରେ ପଢ଼ୁଥିବା ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ପୀଡ଼ିତାଙ୍କ ପୁରୁଷବନ୍ଧୁଙ୍କୁ ଆଜି ପୁଲିସ ଗିରଫ କରିଛି। ଆଜି ସମସ୍ତ ୫ ଅଭିଯୁକ୍ତ ଓ ପୁରୁଷବନ୍ଧୁଙ୍କୁ ପାରାନଗଞ୍ଜ ଜଙ୍ଗଲର କାଲାବାଡ଼ି ଶ୍ମଶାନ ନିକଟକୁ ନେଇ କ୍ରାଇମ୍‌ ସିନ୍ ରିକ୍ରିଏସନ୍‌ କରିଛି ଦୁର୍ଗାପୁର ନ୍ୟୁଟାଉନ୍‌ସିପ୍ ଥାନା ପୁଲିସ। ପୀଡ଼ିତାଙ୍କ ଅଭିଯୋଗମୁତାବକ ପୁରୁଷ ବନ୍ଧୁଙ୍କ ସହ ବାହାରକୁ ଯାଇଥିବା ସମୟରେ ସେ ଦୁଷ୍କର୍ମ କରିଥିଲେ। କ୍ରମାଗତ ନିର୍ଯାତନା ଦେବା ସହ ଆକ୍ରମଣ କରିଥିଲା ବୋଲି ପୀଡ଼ିତା କହିଛନ୍ତି। ଆସନ୍ତାକାଲି ସକାଳେ ଅଭିଯୁକ୍ତକୁ କୋର୍ଟରେ ହାଜର କରାଯିବ ବୋଲି ପୁଲିସ କହିଛି। ପୀଡ଼ିତାଙ୍କ ପିତାଙ୍କ ଅଭିଯୋଗ ଆଧାରରେ ପୁରୁଷବନ୍ଧୁକୁ ମୁଖ୍ୟ ଅଭିଯୁକ୍ତ ଭାବେ ପୁଲିସ ଦର୍ଶାଇଛି। ଏଥିସହ ଦୁଷ୍କର୍ମ ସମୟରେ ଅନ୍ୟ ପାଞ୍ଚ ଅଭିଯୁକ୍ତଙ୍କ ଉପସ୍ଥିତି ପ୍ରମାଣିତ ହୋଇଛି ବୋଲି ପୁଲିସ ସ୍ପଷ୍ଟ କରିଛି। ପୀଡ଼ିତା ନିଜ ବୟାନରେ କହିଛନ୍ତି, ତାଙ୍କୁ ଜଙ୍ଗଲରେ ଦୁଷ୍କର୍ମ କରାଯାଇଛି। ସେ ଚିତ୍କାର କରିବାରୁ ଅଭିଯୁକ୍ତମାନେ କହିଥିଲେ, ଯଦି ଚିତ୍କାର କରିବ ସେମାନେ ଆହୁରି ଅଧିକ ଲୋକଙ୍କୁ ଡା‌କିବେ। ଏହି ମାମଲାରେ ମୋଟ ୬ ଜଣ ଗିରଫ ହୋଇଛନ୍ତି। କଲେଜରେ କାମ କରୁଥିବା ଜଣେ ପୂର୍ବତନ ସିକ୍ୟୁରିଟି ଗାର୍ଡ, ହସ୍ପିଟାଲରେ କାମ କରୁଥିବା ଜଣେ ବ୍ୟକ୍ତିଙ୍କ ସମେତ ୫ ଜଣ ଗତକାଲି ସୁଦ୍ଧା ଗିରଫ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ପୁରୁଷବନ୍ଧୁ ଗିରଫ ହୋଇଛି। ସମସ୍ତ ଅଭିଯୁକ୍ତଙ୍କୁ ପୁଣିଥରେ ଅପରାଧସ୍ଥଳକୁ ନେଇ କ୍ରାଇମ୍‌ ସିନ୍‌ ରିକ୍ରିଏସନ୍‌ କରାଯିବ ବୋଲି ପୁଲିସ କହିଛି।

କ୍ରାଇମ୍‌ ସିନ୍ ରିକ୍ରିଏସନ୍‌ କରାଗଲା
ଫରେନ୍‌ସିକ୍‌ ଲ୍ୟାବ୍‌କୁ ଗଲା ଅଭିଯୁକ୍ତଙ୍କ ପୋଷାକ
ସମସ୍ତଙ୍କର ମିଛଧରା ପରୀକ୍ଷା ହେବ
ହାଇକୋର୍ଟ ଗଲେ ବିଜେପି, କଲେଜ କର୍ତ୍ତୃପକ୍ଷ

ଆଜି ପ୍ରଥମେ ପୀଡ଼ିତାଙ୍କ ପୁରୁଷବନ୍ଧୁକୁ ଘଟଣାସ୍ଥଳକୁ ନିଆଯାଇଥିଲା। ପୀଡ଼ିତା ଓ ପୁରୁଷବନ୍ଧୁ ଜଙ୍ଗଲକୁ କେମିତି ଆସିଲେ, କେଉଁ ପରିସ୍ଥିତିରେ ପୀଡ଼ିତାଙ୍କୁ ଛାଡ଼ି ସେଠାରୁ ଦୌଡ଼ି ପଳାଇଲେ ଏବଂ ସେହି ରାତିରେ ପୁଣି କାହିଁକି ଘଟଣାସ୍ଥଳକୁ ଫେରିଥିଲେ, ସେ ନେଇ ଡେମୋ ଦେଖାଇଥିଲା ଅଭିଯୁକ୍ତ। ଏହି ଘଟଣାର ଜଣେ ପ୍ରତ୍ୟକ୍ଷଦର୍ଶୀ, ଯାହାଙ୍କୁ ପୁଲିସ ସାକ୍ଷୀ ଭାବେ ଉପସ୍ଥାପନ କରୁଛି, ତାଙ୍କୁ ମଧ୍ୟ ଘଟଣାସ୍ଥଳକୁ ନିଆଯାଇଥିଲା। ଦ୍ବିତୀୟ ପର୍ଯ୍ୟାୟରେ ୫ ଅଭିଯୁକ୍ତଙ୍କୁ ଧରି ଘଟଣାସ୍ଥଳକୁ ନେଇଥିଲା ପୁଲିସ। ଆସନସୋଲ-ଦୁର୍ଗାପୁର କମିସନରେଟ୍‌ ପୁଲିସ ଡିସିପି ଅଭିଷେକ ଗୁପ୍ତାଙ୍କ ତତ୍ତ୍ବାବଧାନରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଏହି ପ୍ରକ୍ରିୟା ଶେଷ ହୋଇଛି। ପୁଲିସର ସୂଚନା ଅନୁଯାୟୀ ୫ ଅଭିଯୁକ୍ତଙ୍କ ମଧ୍ୟରୁ ରିଆଜୁଦ୍ଦିନ ପୂର୍ବରୁ ଉକ୍ତ ମେଡିକାଲ କଲେଜରେ ସୁରକ୍ଷା କର୍ମୀ ଭାବେ କାର୍ଯ୍ୟ କରୁଥିଲା। ଅନ୍ୟତମ ଅଭିଯୁକ୍ତ ପପୁ ବାଉରୀ ଏଠାରେ ରାଜମିସ୍ତ୍ରି ଭାବେ କାର୍ଯ୍ୟ କରିଥିଲା। ରିମାଣ୍ଡରେ ଥିବା ସମସ୍ତ ୫ ଅଭିଯୁକ୍ତ ଓ ଛାତ୍ରୀଙ୍କ ପୁରୁଷବନ୍ଧୁକୁ ପ୍ରଥମେ ଜଣ ଜଣ କରି ଓ ପରେ ସାମନାସାମନି ଜେରା କରାଯାଇଥିଲା। ଜେରା ସମୟରେ ସେମାନଙ୍କର କିଛି ବୟାନ ମେଳ ଖାଇନଥିଲା। ତେବେ ପୁଲିସର ପ୍ରଶ୍ନବାଣରେ ଘାଇଲା ହୋଇ ଅଭିଯୁକ୍ତମାନେ ସବୁ ସତ ଓଗାଳି ଦେଇଥିଲେ ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି। ପୁରୁଷବନ୍ଧୁ ସମେତ ସମସ୍ତ ଅଭିଯୁକ୍ତଙ୍କ ମିଛଧରା ପରୀକ୍ଷା (ଲାଏ ଡିଟେକ୍ସନ୍‌ ଟେଷ୍ଟ) ହେବ ବୋଲି ପୁଲିସ ସୂତ୍ରରୁ ଜଣାପଡ଼ିଛି। ସେହିପରି ଘଟଣା ଘଟିଥିବା ରାତିରେ ଅଭିଯୁକ୍ତମାନେ ପରିଧାନ କରିଥିବା ପୋଷାକ ସହ ସେମାନଙ୍କ ଘରୁ ମିଳିଥିବା ଅନ୍ୟାନ୍ୟ ନମୁନାକୁ ପରୀକ୍ଷା ପାଇଁ ଫରେନ୍‌ସିକ୍‌ ଲ୍ୟାବ୍‌କୁ ପଠାଯାଇଛି। ଏଥିସହ ଅଭିଯୁକ୍ତମାନଙ୍କ ଡିଏନ୍‌ଏ ପରୀକ୍ଷା ପାଇଁ ମଧ୍ୟ କୋର୍ଟରୁ ଅନୁମତି ଅଣାଯିବ ବୋଲି ଡିସିପି ଅଭିଷେକ ଗୁପ୍ତା ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ଏହି ଦୁଷ୍କର୍ମ ମାମଲାକୁ ନେଇ କୋଲକାତା ହାଇକୋର୍ଟରେ ଦୁଇଟି ଆବେଦନ କରାଯାଇଛି। ଦୁର୍ଗାପୁର ସିଟି ସେଣ୍ଟର ନିକଟରେ ଗଣଦୁଷ୍କର୍ମ ଘଟଣାର ପ୍ରତିବାଦରେ ବିଜେପି ଆସନ୍ତା ୧୯ ତାରିଖ ଯାଏଁ ଧାରଣା ଦେବାକୁ ଚାହୁଛି। ହେଲେ ସ୍ଥାନୀୟ ପୁଲିସ ଏହାକୁ ଅନୁମତି ଦେଉନାହିଁ। ତେଣୁ ପଶ୍ଚିମବଙ୍ଗ ବିଜେପି ଏନେଇ କୋଲକାତା ହାଇକୋର୍ଟଙ୍କ ହସ୍ତକ୍ଷେପ ଲୋଡ଼ିଛି। ସେହିପରି ଦୁର୍ଗାପୁର ମେଡିକାଲ କଲେଜ ସମ୍ମୁଖରେ ବିଭିନ୍ନ ରାଜନୈତିକ ଦଳ ଓ ସାମାଜିକ ସଙ୍ଗଠନର କର୍ମକର୍ତ୍ତା ଗହଳି କରୁଥିବାରୁ କଲେଜର ପାଠପଢ଼ା ପ୍ରଭାବିତ ହେଉଛି। ଏଥିସହ ଗୁରୁତ୍ବପୂର୍ଣ୍ଣ ବିଭାଗର ସ୍ବାସ୍ଥ୍ୟସେବା ବାଧାପ୍ରାପ୍ତ ହେଉଛି। ତେଣୁ କଲେଜର ସ୍ବାଭାବିକ ସ୍ଥିତି ଫେରାଇ ଆଣିବାକୁ ମାନ୍ୟବର ହାଇକୋର୍ଟ ପଦକ୍ଷେପ ନିଅନ୍ତୁ ବୋଲି କଲେଜ କର୍ତ୍ତୃପକ୍ଷ ଆବେଦନ କରିଛନ୍ତି। ହାଇକୋର୍ଟ ଦୁଇଟି ଯାକ ଆବେଦନ ଗ୍ରହଣ କରିଥିବା ବେଳେ ଶୁଣାଣି ଆରମ୍ଭ ହୋଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe