ଜୟପୁର: ଓଡ଼ିଆ ଭାଷାର ସୁରକ୍ଷା ଓ ବହୁଳ ପ୍ରସାର ପାଇଁ ସରକାର ଗୁରୁତ୍ବ ଦେଉଛନ୍ତି। ଏଥିପାଇଁ ବ୍ୟାବସାୟିକ ପ୍ରତିଷ୍ଠାନଗୁଡ଼ିକରେ ଓଡ଼ିଆରେ ନାମଫଳକ ଲେଖାଯିବା ବାଧ୍ୟତାମୂଳକ କରିଛନ୍ତି। ଜୟପୁର ପୌରାଞ୍ଚଳରେ ଥିବା ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକ କିନ୍ତୁ ଏହି ନିୟମକୁ ଫୁ କରି ଉଡ଼ାଇ ଦେଇଛନ୍ତି। ଯେଉଁଆଡ଼େ ଆଖି ବୁଲାଇଲେ ଇଂରାଜିରେ ନାମ ଫଳକ ଲେଖାଯାଇଥିବା ଦେଖାଯାଉଛି। ଏଥିପାଇଁ ଜରିମାନା ଆଦାୟ କରାଯିବା ନିୟମ ଥିଲେ ବି ତାହା କାର୍ଯ୍ୟକାରୀ ହେଉନାହିଁ।
ସୂଚନା ଅନୁଯାୟୀ, ୨୦୨୩ ଅକ୍ଟୋବର ୩୧ ତାରିଖ ପୂର୍ବରୁ ବ୍ୟାବସାୟିକ ପ୍ରତିଷ୍ଠାନରେ ଓଡ଼ିଆରେ ନାମ ଫଳକ ଲଗାଇବା ବାଧ୍ୟତମୂଳକ କରାଯାଇ ଜୟପୁର ପୌରପାଳିକା ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ବ୍ୟବସାୟୀମାନଙ୍କୁ ଏଥିପାଇଁ କରାଇବାକୁ ଯୁଗ୍ମ ଶ୍ରମ ଆଯୁକ୍ତଙ୍କ ପକ୍ଷରୁ ଜୟପୁର ପୌର ପରିଷଦକୁ ନିର୍ଦ୍ଦେଶ ଦିଆଯାଇଥିଲା ବ୍ୟବସାୟ ପ୍ରତିଷ୍ଠାନରେ ଓଡ଼ିଆରେ ନାମଫଳକ ନଥିଲେ ସମ୍ପୃକ୍ତ ମାଲିକଙ୍କଠାରୁ ସର୍ବନିମ୍ନ ୧ ହଜାର ଟଙ୍କାରୁ ସର୍ବାଧିକ ୨୫ ହଜାର ଟଙ୍କା ଜରିମାନା ଆଦାୟ କରାଯିବ ବୋଲି ନିୟମ କରାଯାଇଥିଲା।
୨୦୧୮ ମସିହା ଏପ୍ରିଲ ୧ରୁ ବ୍ୟବସାୟ ପ୍ରତିଷ୍ଠାନର ନାମ ଫଳକ ଓଡ଼ିଆରେ ଲେଖାଯିବ ବୋଲି ରାଜ୍ୟ ସରକାର ନିୟମ ପ୍ରଣୟନ କରିଥିଲେ। ଓଡ଼ିଆରେ ନାମ ଫଳକ ଲେଖି ନଥିବା ବ୍ୟାବସାୟିକ ପ୍ରତିଷ୍ଠାନ ଓ କାର୍ଯ୍ୟାଳୟରେ ଶ୍ରମ ବିଭାଗ ଏବଂ ଓଡ଼ିଆ ଭାଷା ପ୍ରତିଷ୍ଠାନ ଚଡ଼ଉଚ୍ଚରି କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଥିଲା। ସଂପୃକ୍ତ ସଂସ୍ଥାକୁ କାରଣଦର୍ଶାଅ ନୋଟିସ ଦେବା ସହ ପ୍ରଥମେ ୧ ହଜାର ଟଙ୍କା ଜରିମାନା ଆଦାୟ କରିଥିଲା। କିନ୍ତୁ ଜୟପୁର ପୌର ପ୍ରଶାସନ ଓ ଶ୍ରମ ବିଭାଗ ପକ୍ଷରୁ କିଛି ସ୍ଥାନରେ ଚଢ଼ାଉ କରି କିଛି ଜରିମାନା ଆଦାୟ କରାଯାଇଥିଲା। ସଂପ୍ରତି ଯଥା ପୂର୍ବଂକୁ ତଥା ପରଂ ଅବସ୍ଥାରେ ରହିଛି ଜୟପୁର ସହର।
ଏ ସଂପର୍କରେ ତାଳଚେର ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକଙ୍କୁ ପଚାରିବାରୁ ସେ କହିଛନ୍ତି ‘ଓଡ଼ିଆରେ ନାମ ଫଳକ ଲେଖିବା ପାଇଁ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନକୁ ନୋଟିସ୍ କରାଯାଇଛି। ସେହିପରି କୋରାପୁଟ ଜିଲ୍ଲା ଶ୍ରମ ଅଧିକାରୀ ବୃନ୍ଦାବନ ସେଠୀ କହିଛନ୍ତି, ଗତମାସରେ ସହରର ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନରେ ଚଢ଼ଉ କରାଯାଇ ଓଡ଼ିଆରେ ନାମ ଫଳକ ଲେଖିବା ପାଇଁ ମାଲିକମାନଙ୍କୁ ସଚେତନ କରାଯିବା ସହ ନୋଟିସ୍ ଦିଆଯାଇଛି। ଯେଉଁମାନେ ଏଥିରେ ଖିଲାପ କରିଛନ୍ତି, ଆଗାମୀ ଦିନରେ ତାଙ୍କଠାରୁ ଜରିମାନା ଆଦାୟ କରାଯିବ ବୋଲି ଶ୍ରୀ ସେଠୀ ସୂଚନା ଦେଇଛନ୍ତି। ନିର୍ବାଚନ ସରିବା ପର୍ଯ୍ୟନ୍ତ କିଛି ପଦକ୍ଷେପ ନ ନେବାକୁ ସରକାରଙ୍କ ପକ୍ଷରୁ କୁହାଯାଇଛି। ନିର୍ବାଚନୀ କାମରେ ବ୍ୟସ୍ତ ରହି ଏହି ଅଧିକାରୀ ମାନେ ବି ମା ମାଟି ଓ ମାତୃଭାଷାର ସୁରକ୍ଷା କଥାକୁ ଭୁଲି ଯାଇଛନ୍ତି।
Follow Us