ସୋନାଙ୍କ ସ୍ୱରରେ ବିକୃତ ହେଲା ‘ଆହେ ନୀଳ ଶଇଳ’ : ପ୍ରତିବାଦର ସ୍ୱର ଉଠିଲା

Advertisment
ସୋନାଙ୍କ ସ୍ୱରରେ ବିକୃତ ହେଲା ‘ଆହେ ନୀଳ ଶଇଳ’ : ପ୍ରତିବାଦର ସ୍ୱର ଉଠିଲା

ଭୁବନେଶ୍ୱର : ପ୍ରତିଟି ଓଡ଼ିଆଙ୍କ ତୁଣ୍ଡରେ ଥିବା ଲୋକପ୍ରିୟ ଜଗନ୍ନାଥ ଭଜନ ‘ଆହେ ନୀଳ ଶଇଳ... ଗୀତକୁ କଦର୍ଥ କରି ସମାଲୋଚିତ ହୋଇଛନ୍ତି କଣ୍ଠଶିଳ୍ପୀ ସୋନା ମହାପାତ୍ର। ବଲିଉଡ୍‌ ସଂଗୀତ ଜଗତରେ ପତିଆରା ସୃଷ୍ଟି କରି ଚର୍ଚିତ ହୋଇଥିବା ଓଡ଼ିଆ ଝିଅ ସୋନା ଏହି ଭଜନର କିଛି ଶବ୍ଦକୁ ଭୁଲ ଉଚ୍ଚାରଣ କରିବା ପରେ ସମାଲୋଚନାର ଶରବ୍ୟ ହୋଇଛନ୍ତି। ସାଲବେଗଙ୍କୁ ‘ସାଲେବେଗ’, ଚରଣକୁ ‘ଚରଣେ’, ଜଣାଣକୁ ‘ଜନାନ’ ଏବଂ କଲକୁ ‘କଳ’ ବୋଲି ଉଚ୍ଚାରଣ କରିବା ପରେ ବୁଦ୍ଧିଜୀବୀ ଓ ଜଣାଶୁଣା ବ୍ୟକ୍ତିବିଶେଷ ଏନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ସୋନା ଏହି ଭଜନଟିକୁ ଗତବର୍ଷ ମୁମ୍ବାଇର ଏକ ସଂଗୀତ ସମ୍ମେଳନରେ ଗାଇଥିବା ବେଳେ ସୋମବାର ଏହାକୁ ୟୁ-ଟ୍ୟୁବ୍‌ରେ ଛାଡ଼ିବା ପରେ ବିବାଦ ଆରମ୍ଭ ହୋଇଛି।

ଏନେଇ ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ ପରିଜା ଟ୍ଵିଟ କରି ପ୍ରତିକ୍ରିୟାରେ କହିଛନ୍ତି ଯେ, ଏଭଳି ଗାୟନ ସ୍ପଷ୍ଟ ଦିବାଲୋକରେ ଏକ ପ୍ରସିଦ୍ଧ ଓ ଅନନ୍ୟ ଭଜନକୁ ଦୁଷ୍କର୍ମ କରିବା ସଦୃଶ। ତେଣୁ ପ୍ରଭୁ ଜଗନ୍ନାଥ ତାଙ୍କୁ ନ୍ୟାୟ ଦେବେ ବୋଲି ଉଲ୍ଲେଖ କରିଛନ୍ତି। ଏହାର ଉତ୍ତରରେ ସୋନା ଲେଖିଛନ୍ତି, ଜଗନ୍ନାଥ ବହୁତ ଉଦାରଚେତା, ସ୍ନେହୀ, କ୍ଷମାଶୀଳ ଓ ବିଶାଳ ହୃଦୟର ଦେବତା। ତେଣୁ ସେ ଭାବନାକୁ ବୁଝନ୍ତି ଅର୍ଥକୁ ନୁହେଁ। ଅଭିନେତ୍ରୀ ତଥା ବିଜେପି ନେତ୍ରୀ ପିଙ୍କି ପ୍ରଧାନ ଟ୍ଵିଟ୍‌ କରି ଲେଖିଛନ୍ତି ମୁଁ ଆପଣଙ୍କ ପ୍ରତିଭାଙ୍କୁ ସମ୍ମାନ ଦେଉଛି। ମାତ୍ର ଏଭଳି ଉଚ୍ଚାରଣ କରି ଓଡ଼ିଆଙ୍କୁ ଲଜ୍ଜିତ କରନ୍ତୁ ନାହିଁ।

କବି କେଦାର ମିଶ୍ର ମଧ୍ୟ ସୋନାଙ୍କୁ ଟ୍ଵିଟ୍‌ କରି ‘ଓଡ଼ିଆ ଭାଷା ଓ ସଂସ୍କୃତିକୁ ଅଭ୍ୟାସଗତ ଭାବେ ଅପମାନିତ କରିବା ତାଙ୍କର ପ୍ରକୃତି ପାଲଟିଯାଇଛି’ ବୋଲି ଲେଖିଛନ୍ତି। ବଲିଉଡ୍‌ରେ ଏବେ ତାଙ୍କର ପତିଆରା ନଥିବା ବେଳେ ଓଡ଼ିଶାରେ ନିଜକୁ ପ୍ରାସଙ୍ଗିକ କରି ରଖିବା ସହ ଏକରକମର ନକରାତ୍ମକ ପ୍ରଚାର ଚାହାନ୍ତି ବୋଲି ଶ୍ରୀ ମିଶ୍ର କହିଛନ୍ତି। ବିଶିଷ୍ଟ କଣ୍ଠଶିଳ୍ପୀ ତଥା ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ ନିର୍ବାହୀ ସଂଗୀତା ଗୋସାଇଁ କହିଛନ୍ତି ଯେ, ଆହେ ନୀଳ ଶଇଳ.. ପ୍ରତିଟି ଓଡ଼ିଆଙ୍କ ଅସ୍ଥିମଜ୍ଜାଗତ ଗୀତ। ସୋନା ମହାପାତ୍ର ଜଣେ ବହୁତ ଭଲ କଣ୍ଠଶିଳ୍ପୀ ଏଥିରେ ଦ୍ୱିମତ ନାହିଁ କିନ୍ତୁ ଏହି ଗୀତ ଚୟନ କରିବା ଆଗରୁ ଏହାକୁ ତନ୍ନତନ୍ନ କରି ବୁଝି ତା’ର ସ୍ୱର, ଭାଷା ଓ ଭାବକୁ ଦୃଷ୍ଟିରେ ରଖି ଗାଇବା ଉଚିତ୍‌ ବୋଲି ସେ କହିଛନ୍ତି। ସପ୍ତଦଶ ଶତାବ୍ଦୀରେ ଭକ୍ତ ସାଲବେଗଙ୍କ ରଚିତ ‘ଆହେ ନୀଳ ଶଇଳ...କୁ ଭଜନ ସମ୍ରାଟ ଭିକାରୀ ବଳ ଗାଇ ଓଡ଼ିଆ ଜନମାନସରେ ଏହାକୁ ଉଚ୍ଚ ସୋପାନରେ ପହଞ୍ଚାଇଥିବା ବେଳେ ସୋନାଙ୍କ କଣ୍ଠରେ ଏହି ଗୀତକୁ କଦର୍ଥ କରିବା ଅନେକ ଓଡ଼ିଆ ଗ୍ରହଣ କରିପାରିନାହାନ୍ତି। ଅନ୍ୟ ପକ୍ଷରେ ସୋନା ନିଜ ପ୍ରତିକ୍ରିୟାରେ ଉଲ୍ଲେଖ କରିଛନ୍ତି ଯେ, ମୋ ନିଜ ରାଜ୍ୟର ବ୍ୟକ୍ତିମାନଙ୍କର ମୋ ପ୍ରତି ଏ ଛଳନା ମତେ ଆଘାତ ଦେଇଛି। ସବୁବେଳେ ତାଙ୍କୁ ଏମିତି ବିରୋଧ କରାଯିବା ଶୋଭନୀୟ ନୁହେଁ ବୋଲି ସେ କହିଛନ୍ତି। ତେବେ ସୋନା ମହାପାତ୍ର ଖାଲି ଏବେ ନୁହେଁ ଆଗରୁ ମଧ୍ୟ ପ୍ରସିଦ୍ଧ ଲୋକପ୍ରିୟ ଓଡ଼ିଆ ସଂଗୀତ ‘ରଙ୍ଗବତୀ’ ଗୀତର ସ୍ୱର ଓ ଭାଷାକୁ ବିକୃତ କରି ଗାଇଥିବା ଅଭିଯୋଗ ହୋଇଥିଲା। ରଙ୍ଗବତୀ ଗୀତର ମୂଳ ଲେଖକ ଓ ଗାୟକଙ୍କ ଅନୁମତି ନେଇନଥିବା ଅଭିଯୋଗ ହୋଇଥିଲା।

ସୋନା ମହାପାତ୍ରଙ୍କ ବିରୋଧରେ ଥାନାରେ ଅଭିଯୋଗ

ପୁରୀ : ଶ୍ରୀଜଗନ୍ନାଥଙ୍କ ଭଜନକୁ କଦର୍ଥ କରି ଗାଇଥିବା ଗାୟିକା ସୋନା ମହାପାତ୍ରଙ୍କ ବିରୋଧରେ ସିଂହଦ୍ଵାର ଥାନାରେ ଆଜି ଅଭିଯୋଗ ହୋଇଛି। ପୁରୀ ସଚେତନ ନାଗରିକ ମଞ୍ଚ ପକ୍ଷରୁ ପ୍ରସନ୍ନ ଦାଶ ଏହି ଅଭିଯୋଗ କରିଛନ୍ତି। ଶ୍ରୀ ଦାଶଙ୍କ ଅନୁସାରେ, ଗାୟିକା ସୋନା ମହାପାତ୍ର ଶ୍ରୀଜଗନ୍ନାଥଙ୍କ ଭଜନକୁ କଦର୍ଥ କରି ଗାଇବା ଦ୍ଵାରା ଅଗଣିତ ଜଗନ୍ନାଥ ପ୍ରେମୀଙ୍କ ମନରେ ଗଭୀର ଆଘାତ ପହଞ୍ଚିଛି। ବ୍ୟକ୍ତିଗତ ଫାଇଦା ହାସଲ ପାଇଁ ସୋନା ଜଗନ୍ନାଥଙ୍କ ଭଜନକୁ କଦର୍ଥ କରି ଭିନ୍ନ ଶୈଳୀରେ ଗାଇ ଜଗନ୍ନାଥ ଭଜନର ଗାରିମା ନଷ୍ଟ କରିଥିବାରୁ ତାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ସେ ସିଂହଦ୍ଵାର ଥାନା ଅଧିକାରୀଙ୍କୁ ନିବେଦନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe