ରୋଷେୟାଙ୍କ ପୁଅ ପାଇଲେ ଆଇଏସ୍‌ଏସ୍‌

Advertisment

୨୦୦୫ ମସିହା ପରେ ଏହି କୃତିତ୍ୱ ହାସଲ କରିବାରେ ସେ ହେଉଛନ୍ତି ଏକମାତ୍ର ଓଡ଼ିଆ

୨୦୦୫ ମସିହା ପରେ ଏହି କୃତିତ୍ୱ ହାସଲ କରିବାରେ ସେ ହେଉଛନ୍ତି ଏକମାତ୍ର ଓଡ଼ିଆ

ରୋଷେୟାଙ୍କ ପୁଅ ପାଇଲେ ଆଇଏସ୍‌ଏସ୍‌

ପର୍ଜଙ୍ଗ : ସର୍ବ ଭାରତୀୟ ପରିସଂଖ୍ୟାନ ସେବା (ଆଇଏସ୍ଏସ୍‌) ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଛନ୍ତି ଓଡ଼ିଆ ପୁଅ ଡକ୍ଟର ପ୍ରଭାତ ଦାସ । ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ବ୍ଲକ ସାଆନ୍ଦା ପଞ୍ଚାୟତ ତଳବେରଣା ଗାଁର ପ୍ରଫୁଲ୍ଲ ଦାସଙ୍କ ପୁଅ ପ୍ରଭାତ ସଂପ୍ରତି ବୌଦ୍ଧ ସରକାରୀ ମହାବିଦ୍ୟାଳୟରେ ଜଣେ ଅଧ୍ୟାପକ ଭାବେ କାର୍ଯ୍ୟରତ। ୨୦୦୫ ମସିହା ପରେ ଏହି କୃତିତ୍ୱ ହାସଲ କରିବାରେ ସେ ହେଉଛନ୍ତି ଏକମାତ୍ର ଓଡ଼ିଆ। ପ୍ରଭାତଙ୍କ ଏହି କୃତିତ୍ୱ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସାଂସଦ ମହେଶ ସାହୁଙ୍କ ସମେତ ବିଭିନ୍ନ ମହଲରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି।

୧୯୯୧ ଜାନୁଆରି ଦୁଇ ତାରିଖରେ ଜନ୍ମିତ ଡକ୍ଟର ଦାସ ତଳବେରଣା ଗାଁ ସ୍କୁଲ୍‌ରେ ପ୍ରାଥମିକ ଶିକ୍ଷାଗ୍ରହଣ କରିଥିଲେ। ପରେ ସାଆନ୍ଦା ହାଇସ୍କୁଲ୍‌ରୁ ମାଟ୍ରିକ ପରୀକ୍ଷାରେ ଦ୍ବିତୀୟ ଶ୍ରେଣୀ ଏବଂ ସାଆନ୍ଦା କଲେଜରୁ ଯୁକ୍ତ ଦୁଇ କଳାରେ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ। ପରେ ଢେଙ୍କାନାଳ ସରକାରୀ ମହାବିଦ୍ୟାଳୟରୁ ରାଜନୀତି ବିଜ୍ଞାନ ସମ୍ନାନ ସହ ଡିଷ୍ଟିଙ୍କସନ୍‌ରେ ସ୍ନାତକ ଡିଗ୍ରି ହାସଲ କରିଥିଲେ। ଉତ୍କଳ ବିଶ୍ବବିଦ୍ୟାଳୟରୁ ଷ୍ଟାଟିଟିକ୍ସରେ ପ୍ରଥମ ଶ୍ରେଣୀରେ ‌ସ୍ନାତକୋତ୍ତର ଡିଗ୍ରି ଏବଂ ପରେ ଏମ. ଫିଲ୍ ଓ ପିଏଚ୍‌ଡି ଲାଭ କରିଥିଲେ। ୨୦୧୯ ଡିସେମ୍ବର ୪ ତାରିଖରେ ପ୍ରଭାତ ସରକାରୀ ମହାବିଦ୍ୟାଳୟରେ ଅଧ୍ୟାପନା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ। ଏବେ ସେ ବୌଦ୍ଧ କଲେଜରେ ଅଧ୍ୟାପକ ଭାବେ କାର୍ଯ୍ୟରତ l ଗତ ମାସ ୨୮ ତାରିଖରେ ସେ ବୌଦ୍ଧ କଲେଜର ଅଧ୍ୟକ୍ଷ ପ୍ରକାଶ ବେହେରାଙ୍କ କନ୍ୟା ଦୀପିକା ବେହେରାଙ୍କୁ ବିବାହ କରିଛନ୍ତି l ଦୀପିକା ପଦାର୍ଥ ବିଜ୍ଞାନରେ ଏମଏସ୍‌ସି ପାସ୍‌ କରିବା ପରେ ଏବେ ଆଇଏଏସ୍‌ ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ଅନ୍ୟପକ୍ଷରେ ପ୍ରଭାତଙ୍କ ବାପା ପ୍ରଫୁଲ୍ଲ ଅତି ଗରିବ ଶ୍ରେଣୀର। ସେ ତାଳଚେର ଅଞ୍ଚଳରେ ରୋଷେୟା ଭାବେ କାମ କରନ୍ତି l ମା ଝରଣା ଦାସ ସାଧାରଣ ଗୃହିଣୀ l ବଡ଼ ଭାଇ କଣ୍ଟାବଣିଆର ଟାଟା ବିଏସ୍‌ଏଲ୍‌ କମ୍ପାନିରେ ଜଣେ ଶ୍ରମିକ ରୂପେ କାର୍ଯ୍ୟରତ। ତାଙ୍କର ଜଣେ ମାତ୍ର ଭଉଣୀ ବିବାହିତା l

ଏହି ଅବସରରେ ପ୍ରଭାତ ‘ସମ୍ବାଦକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଏକ ଅତି ଗରିବ ପରିବାରରେ ମୋର ଜନ୍ମ। ଜମିବାଡ଼ି ନାହିଁ କହିଲେ ଚଳେ। ତିନି ଭାଇଭଉଣୀଙ୍କୁ ନେଇ ଆମ ପାଂଚଜଣିଆ ପରିବାରକୁ ଚଳାଇବା କଷ୍ଟକର ହେବାରୁ ବାପା ତାଳଚେର ସାଉଥବଲଣ୍ଡା ଅଂଚଳରେ ବିଭିନ୍ନ ମେସ୍‌ରେ ରହି ରୋଷେୟା ଭାବେ କାମ କରନ୍ତି l ସେଥିରୁ ମିଳୁଥିବା ହାତଗଣତି କିଛି ଟଙ୍କାରେ ଆମମାନଙ୍କୁ ପାଠପଢାଇବା ଅତି କଷ୍ଟଦାୟକ। ଏଭଳି ପରିସ୍ଥିତିରେ ବଡ଼ ଚାକିରି କରି ବାପାଙ୍କୁ ସହାୟତା କରିବା ଲାଗି ପିଲାବେଳୁ ଲକ୍ଷ୍ୟ ରଖିଥିଲି। ହେଲେ ମାଟ୍ରିକ ଓ ଯୁକ୍ତ ଦୁଇର କ୍ରମାଗତ ବିଫଳତା ମୋତେ କିଛି କାଳ ଲାଗି ଢେର୍‌ ବିଚଳିତ କରି ପକାଇଥିଲା। ଚିହ୍ନା ଲୋକଙ୍କ ଟାହିଟାପରା କଟା ଘାରେ ଲୁଣ ଦେଲା ଭଳି ହୋଇଥିଲା। ହେଲେ ମନକୁ ଦୃଢ କରି ବି.ଏ ପଢିଲି ଆଉ ସଫଳତା ପାଇଲି। ଆଉ ତା ପରଠାରୁ ପ୍ରତିଟି ପରୀକ୍ଷାରେ ସଫଳ ହୋଇ ଚାଲିଲି। ଜୀବନର ଏହି ଗୁରୁତ୍ବପୂର୍ଣ୍ଣ ଲମ୍ବା ରାସ୍ତାରେ ଘୋର ଆର୍ଥିକ ଅନଟନ ସାଙ୍ଗକୁ ଚିହ୍ନା ପରିଚିତ, ସାଙ୍ଗସାଥୀମାନଙ୍କ ଟାହିଟାପରା ମୋତେ ଅତିମାତ୍ରାରେ ବ୍ୟଥିତ କରିଥାଏ ସିନା ଏହାକୁ ନେଇ କେବେ ମୁଁ ଭାଂଗି ପଡ଼ିନାହିଁ। ମୋ ଧାର୍ଯ୍ୟ ଲକ୍ଷ୍ୟର ଏକ ଗୁରୁତ୍ବପୂର୍ଣ୍ଣ ସୋପାନରେ ସଫଳ ହୋଇଛି। ଏବେ ଏକମାତ୍ର ଲକ୍ଷ୍ୟ ଆଇଏଏସ୍‌ l ଆଶା, ଏଥିରେ ବି ସଫଳ ହେବି ବୋଲି ଦୃଢୋକ୍ତି କରିଛନ୍ତି ସେହି ତଥାକଥିତ ଗରିବ, ଗାଉଁଲି ପ୍ରଭାତ ଓରଫ ଡ. ପ୍ରଭାତ ଦାସ l ସଠିକ୍‌ ଢଙ୍ଗରେ ରାସ୍ତା ଚାଲିଲେ ଲକ୍ଷ୍ୟ ହାସଲରେ ଦାରିଦ୍ର୍ୟ କେବେ ବି ପ୍ରତିବନ୍ଧକ ହୋଇପାରେ ନାହିଁ ବୋଲି ତାଙ୍କର ମତ। ଥରେ, ଅଧେ ବାଟ ହୁଡ଼ିଗଲେ ଯେ ପୁଣି ଲକ୍ଷ୍ୟସ୍ଥଳରେ ପହଂଚି ହେବନାହିଁ, ଏଭଳି ଭାବିବା ମଧ୍ୟ ସଂପୂର୍ଣ୍ଣ ଭୁଲ୍‌ ବୋଲି ସେ ପରପିଢିଙ୍କୁ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe