ଜଳେଶ୍ବର: ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ମଙ୍ଗଳବାର ଦିନ ଗିରଫ ହୋଇଥିବା ପୀଡ଼ିତାଙ୍କ ପୁରୁଷବନ୍ଧୁଙ୍କୁ ଆଜି କୋର୍ଟରେ ହାଜର କରିଥିଲା ଦୁର୍ଗାପୁର ପୁଲିସ। ପରେ ଅଦାଲତଙ୍କ ଅନୁମତିକ୍ରମେ ତାଙ୍କୁ ପୁଲିସ ୭ ଦିନିଆ ରିମାଣ୍ଡରେ ନେଇଛି। ପୁଲିସ ୧୦ ଦିନିଆ ରିମାଣ୍ଡ ମାଗିଥିବା ବେଳେ ଅଦାଲତ ୭ ଦିନ ପାଇଁ ଅନୁମତି ଦେଇଥିଲେ।
ଏବେ ଅନ୍ୟ ୫ ଅଭିଯୁକ୍ତଙ୍କ ସହ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ପୁରୁଷବନ୍ଧୁଙ୍କୁ ଆସନ୍ତା ୨୨ ତାରିଖ ଯାଏଁ ହାଜତରେ ଜେରା କରିବା ପାଇଁ ସମୟ ପାଇବ ପୁଲିସ। ୨୨ରେ ରିମାଣ୍ଡ ଅବଧି ସରିବା ପୂର୍ବରୁ ଏହି ଘଟଣାର ରହସ୍ୟ ଉନ୍ମୋଚନ କରିବାକୁ ପୁଲିସ କସରତ ଚଳାଇଛି। ସମସ୍ତ ଅଭିଯୁକ୍ତଙ୍କୁ ବିଳମ୍ବିତ ରାତି ଯାଏଁ ମାରାଥନ ଜେରା କରାଯାଉଛି। ସେମାନଙ୍କ ବୟାନ ଅନୁଯାୟୀ ୧୦ ତାରିଖ ରାତିର ପ୍ରତି ମିନିଟ୍ର ଘଟଣା ସଂପର୍କରେ ଅନୁଧ୍ୟାନ ସହ ପ୍ରମାଣ ଯୋଗାଡ଼ରେ ଲାଗିଛି ପୁଲିସ। ସୂଚନାଯୋଗ୍ୟ ଏହି ମାମଲାରେ ଗତ ସୋମବାର ଯାଏଁ ୫ଜଣଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିଥିଲା। ତେବେ ପୀଡ଼ିତାଙ୍କ ବୟାନ ପରେ ମଙ୍ଗଳବାର ଦିନ ଘଟଣା ନୂଆ ମୋଡ଼ ନେଇଥିଲା। ପୀଡ଼ିତାଙ୍କ ପୁରୁଷବନ୍ଧୁ ହିଁ ମୁଖ୍ୟ ଅଭିଯୁକ୍ତ ବୋଲି ଜଣାପଡ଼ିଥିଲା।
Follow Us