ସୀମାରେ ଅସ୍ତିତ୍ବ ଖୋଜୁଛି ଓଡ଼ିଆ ଶିକ୍ଷା: ରାୟଗଡ଼ାରେ ବନ୍ଦ ପଡ଼ିଛି ୧୧ଟି ବିଦ୍ୟାଳୟ, ପିଲା ଯାଉଛନ୍ତି ଆନ୍ଧ୍ର

Advertisment
ସୀମାରେ ଅସ୍ତିତ୍ବ ଖୋଜୁଛି ଓଡ଼ିଆ ଶିକ୍ଷା: ରାୟଗଡ଼ାରେ ବନ୍ଦ ପଡ଼ିଛି ୧୧ଟି ବିଦ୍ୟାଳୟ, ପିଲା ଯାଉଛନ୍ତି ଆନ୍ଧ୍ର

ରାୟଗଡା: ଶିକ୍ଷା ଲାଭ କରିବା ସମସ୍ତଙ୍କର ମୌଳିକ ଅଧିକାର। କିନ୍ତୁ ରାୟଗଡା ଆନ୍ଧ୍ର ସୀମାବର୍ତ୍ତୀ ଅଚଂଳରେ ଏହା ବ୍ୟତିକ୍ରମ ଦେଖିବାକୁ ମିଳିଛି। ଜିଲ୍ଲା ଶିକ୍ଷା ବିଭାଗର ଅବହେଳା ଓ ଉଦାସୀନତା ଯୋଗୁଁ ସୀମାନ୍ତର ଆଦିବାସୀ ଛାତ୍ରଛାତ୍ରୀ ଓଡ଼ିଆ ଛାଡି ତେଲୁଗୁ ପଢ଼ୁଛନ୍ତି, ଯାହାକୁ ନେଇ ଅଭିବାବକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଆନ୍ଧ୍ର-ଓଡ଼ିଶା ସୀମାନ୍ତରେ ବିଦ୍ୟାଳୟ ଗୁଡିକ ୫ ବର୍ଷରୁ ଊର୍ଦ୍ଧ୍ବ ସମୟ ହେଲାଣି ବନ୍ଦ ରହିଛି। ବିଦ୍ୟାଳୟ ବନ୍ଦ ରହିବା କାରଣରୁ ବିଦ୍ୟାଳୟ ଗୁଡିକ ଭାଙ୍ଗିରୁଜି ଯାଇ ଭୂତ କୋଠି ପଲଟିଯାଇଛି। ରାଜ୍ୟ ସରକାରଙ୍କ ନିର୍ଦେଶକ୍ରମେ ଯେଉଁ ସ୍କୁଲରେ ୨୫ରୁ କମ୍ ପିଲା ଅଛନ୍ତି ସେହି ସ୍କୁଲକୁ ବନ୍ଦ କରିବାକୁ ନିର୍ଦେଶ ଦେଇଥିଲେ। ସେହି କାରଣରୁ ସୀମାନ୍ତର ୧୧ଟି ସ୍କୁଲରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା କମ ରହିଥିବା ଦର୍ଶାଇ ବନ୍ଦ କରିଦିଆଯାଇଥିଲା। ବର୍ତ୍ତମାନ ସେଇ ଅଚଂଳରେ ପିଲାଙ୍କ ସଂଖ୍ୟା ବୃଦ୍ଧି ପାଇଥିଲେ ସୁଦ୍ଧା ବିଦ୍ୟାଳୟ ଖୋଲାଯାଉନାହିଁ।

publive-image

ବର୍ତ୍ତମାନ ଆନ୍ଧ୍ର-ଓଡିଶା ସୀମାନ୍ତ ଗ୍ରାମରେ ଥିବା ଛାତ୍ରଛାତ୍ରୀ କୌଣସି ଉପାୟ ନପାଇ ପଡୋଶୀ ଆନ୍ଧ୍ରକୁ ଯାଇ ସେଠାରେ ତେଲୁଗୁ ଭାଷା ଶିକ୍ଷା ଲାଭ କରୁଛନ୍ତି। ବର୍ତ୍ତମାନ ସୀମାନ୍ତରେ ଥିବା ଛାତ୍ରଛାତ୍ରୀ ଏବେ ଓଡିଆ ଭୁଲି ଗଲେଣି। ଆନ୍ଧ୍ରର ଛାପ ଓଡ଼ିଶାରେ ପଡିଲାଣି। ସୀମାନ୍ତ ଗ୍ରାମଗୁଡିକରେ ଲୋକେ ଓଡ଼ିଆ ବଦଳରେ ତେଲୁଗୁରେ କଥାବାର୍ତ୍ତା ହେବାକୁ ପସନ୍ଦ କରୁଛନ୍ତି। ଏହାର ପ୍ରଭାବ ପିଲାଙ୍କ ଉପରେ ପଡିଛି। ଓଡ଼ିଶାରେ ସ୍କୁଲ ନଥଇବାରୁ ଓଡିଆ ବଦଳରେ ତେଲୁଗୁ ଶିକ୍ଷା ଲାଭ କରିବା ପାଇଁ ପରିବାର ପକ୍ଷରୁ ମଧ୍ୟ ବାଧ୍ୟ କରାଯାଉଛି। ସୀମାରେ ଓଡିଆ ଅସ୍ତିତ୍ବ ହରାଇ ସାରିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଯଥାଶୀଘ୍ର ବନ୍ଦ ଥିବା ବିଦ୍ୟାଳୟକୁ ଖୋଲିବା ପାଇଁ ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ନେତା, ମନ୍ତ୍ରୀ ଓ ବିଭାଗୀୟ ଅଧିକାରୀଙ୍କୁ ଗୁହାରି କଲେ ମଧ କେହି ଶୁଣୁନଥିବା ଅଭିଭାବକ ମାନେ ଅଭିଯୋଗ କରିଛନ୍ତି।ଯାହାକୁ ନେଇ ଅଭିଭାବକଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

ଓଡିଆ ଶିକ୍ଷା ଲାଭ ପାଇଁ ଜିଲ୍ଲା ପ୍ରଶାସନ ଓ ଶିକ୍ଷା ବିଭାଗ ଗୁରୁତ୍ୱ ନଦେବା କାରଣରୁ ସୀମାନ୍ତରେ ରହୁଥିବା ଓଡିଆ ଛାତ୍ରଛାତ୍ରୀ ବାଧ୍ୟ ହୋଇ ପଡୋଶୀ ଆନ୍ଧ୍ରକୁ ଯାଇ ସେଠାରେ ନାମ ଲେଖାଇ ତେଲୁଗୁ ଶିଖିବାକୁ ବାଧ୍ୟ ହଉଛନ୍ତି। ଆନ୍ଧ୍ର-ଓଡିଶା ସୀମାନ୍ତରେ ଥିବା ଓଡିଶାର ୧୧ଟି ବିଦ୍ୟାଳୟ ଦୀର୍ଘ ବର୍ଷ ହେଲାଣି ବନ୍ଦ ହୋଇ ପଡିରହିଛି। ସେଗୁଡିକ ହେଲା ଗାଜିଗାଁ ପଚାଂୟତର ଜଙ୍ଗେଶୁ ଗ୍ରାମରେ ପ୍ରାଥମିକ ବିଦ୍ୟାଳୟ ବନ୍ଦ ପଡିଥିବା ବେଳେ କେରେଡା ପଚାଂୟତର ତୁଳସି ବାଲସା ଓ ଚିନାପେଡମ, ଜେମାଦେଇପେଣ୍ଠ ପଚାଂୟତର କନ୍ଧଝିମିଡି ଓ ସାନରାଇସିଂ, ହାଟଶେଷଖାଲ ପଚାଂୟତର କେଶେଡା ଓ ରଣାଗୁଡା, ବୈରାଗିହାଲୁଆ ପଚାଂୟତର ସାନଲୁକୁଟି ଓ ବଡଲୁକୁଟି, ତାଡମା ପଚାଂୟତର ହଲୁକି ଏବଂ ଉର୍ଜଗୁଡାରେ ବିଦ୍ୟାଳୟ ବନ୍ଦ ରହିଛି।

publive-image

ସେହିପରି ଜିଲ୍ଲାରେ ସମୁଦାୟ ୧୮୧୪ଟି ବିଦ୍ୟାଳୟରୁ ୩୮୮ଟି ବିଦ୍ୟାଳୟ ବନ୍ଦ ରହିଛି। ଏନେଇ ଜିଲ୍ଲା ଶିକ୍ଷାଧିକାରୀ ପୂର୍ଣ୍ଣ ଚନ୍ଦ୍ର ବରିହା କହିଛନ୍ତି ଯେ ଜିଲ୍ଲାପାଳଙ୍କୁ ରିପୋର୍ଟ ଦିଆଯାଇଛି ଯଥାଶୀଘ୍ର ପଦକ୍ଷେପ ଗ୍ରହଣ କରାଯିବ।ଅନ୍ୟ ଦିଗରେ ରାୟଗଡା ବିଧାୟକ ମକରନ୍ଦ ମୁଦୁଲି କହିଛନ୍ତି ଯେ ଏନେଇ ସରକାରଙ୍କୁ ଅବଗତ କରାଯାଇଛି ଯଥାଶୀଘ୍ର ସରକାର ପଦକ୍ଷେପ ଗ୍ରହଣ କରିବେ। ସମୟ ଉପଯୋଗୀ ପଦକ୍ଷେପ ଗ୍ରହଣ ନକରାଗଲେ ଆଗାମୀ ଦିନରେ ଆହୁରି ଅନେକ ବିଦ୍ୟାଳୟ ବନ୍ଦ ହୋଇଯିବା ଆଶଙ୍କା ରହିଥିବା ବେଳେ ସୀମାନ୍ତରେ ଓଡ଼ିଆ ଶିକ୍ଷା ଲୋପ ପାଇଜିବ ଏଥିରେ ସନ୍ଦେହ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe