ଓଡ଼ିଆ ବିଶ୍ବବିଦ୍ୟାଳୟ: ନାମଲେଖା ସରିଲା, ସରିଲାନି କୋଠା ନିର୍ମାଣ

ଓଡ଼ିଆ ବିଶ୍ବବିଦ୍ୟାଳୟ: ନାମଲେଖା ସରିଲା, ସରିଲାନି କୋଠା ନିର୍ମାଣ

ପୁରୀ: ୨୦୧୮ ମସିହା ସେପ୍ଟେମ୍ବର ମାସରେ ରାଜ୍ୟ କ୍ୟା‌ବିନେଟ୍‌ରେ ଓଡ଼ିଆ ବିଶ୍ବବିଦ୍ୟାଳୟକୁ ମଞ୍ଜୁରି ମିଳିଥିଲା। ପ୍ରାୟ ୨୫ ଏକର ଜାଗାରେ ଓଡ଼ିଆ ବିଶ୍ବବିଦ୍ୟାଳୟ ନିର୍ମାଣ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କଲେ। ଏହି ବିଶ୍ବବିଦ୍ୟାଳୟ ଓଡ଼ିଆ ଭାଷାରେ ସ୍ନାତକୋତ୍ତର ପାଠ୍ୟକ୍ରମ ସହ ଇତିହାସ ଓ ଅନ୍ୟାନ୍ୟ ବିଷୟ ଉପରେ ଗବେଷଣାର ଶ୍ରେଷ୍ଠ ସ୍ଥାନ ପାଲଟିବ ବୋଲି କୁହାଯାଉଛି। ସେହିବର୍ଷ ଅକ୍ଟୋବର ୯ ତାରିଖରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମଦିନରେ ବକୁଳବନଠାରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ବିଶ୍ବବିଦ୍ୟାଳୟର ଭିତ୍ତିପ୍ରସ୍ତର ପକାଇଲେ। ଇତିମଧ୍ୟରେ ୫ ବର୍ଷ ପୂରିଛି। ଓଡ଼ିଆ ବିଶ୍ବବିଦ୍ୟାଳୟରେ ପ୍ରଥମ ବର୍ଷ ଛାତ୍ରଙ୍କ ନାମଲେଖା ଶେ‌ଷ ହୋଇଛି। କିନ୍ତୁ ଏ ପର୍ଯ୍ୟନ୍ତ ବିଶ୍ବବିଦ୍ୟାଳୟର ଗୋଟିଏ ବି କୋଠା ନିର୍ମାଣ ସରିନାହିଁ।

ରାଜ୍ୟ ସରକାର ଓବିସିସିକୁ ବିଶ୍ବବିଦ୍ୟାଳୟର କୋଠା ନିର୍ମାଣ ଦାୟିତ୍ବ ଦେଇଛନ୍ତି। ଓବିସିସି ଡିଭିଜନ୍‌-୨ ପକ୍ଷରୁ ୩୦‌ କୋଟି ୩୦ ଲକ୍ଷ ଟଙ୍କା ବ୍ୟୟରେ ବିଶ୍ବବିଦ୍ୟାଳୟ କୋଠାର ନିର୍ମାଣ କାର୍ଯ୍ୟ ଜାରି ରହିଛି। ୨୦୨୧ ଡିସେମ୍ବର ୮ ତାରିଖରୁ ନିର୍ମାଣ କାମ ଆରମ୍ଭ ହୋଇଥିବାବେଳେ ୧୮ ମାସ ଭିତରେ ଅର୍ଥାତ୍‌ ଚଳିତବର୍ଷ ଜୁନ୍‌ ୭ ତାରିଖ ସୁଦ୍ଧା କାମ ସାରିବାକୁ ସମୟ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ନିର୍ମାଣର ଅଗ୍ରଗତିକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ପ୍ରଶ୍ନବାଚୀ ଉଠାଇଛନ୍ତି। ଓଡ଼ିଆ ବିଶ୍ବବିଦ୍ୟାଳୟ ନିର୍ମାଣ ପାଇଁ ଆଉ କେତେ ବର୍ଷ ଲାଗିବ ବୋଲି ତାତ୍ସଲ୍ୟ କରିଛନ୍ତି।

publive-image

ଏସମ୍ପର୍କରେ ଓବିସିସି ଡିଭିଜନ୍‌-୨ ପ୍ରକଳ୍ପ ପରିଚାଳକ ସୁନ୍ଦର ମାଧବ ପାଢ଼ୀ କହିଛନ୍ତି, ଓଡ଼ିଆ ବିଶ୍ବବିଦ୍ୟାଳୟର ନିର୍ମାଣ କାର୍ଯ୍ୟ ଆଉ ଦୁଇ ମାସ ଭିତରେ ସରିଯିବ। ନକ୍ସାରେ କିଛିଟା ପରିବର୍ତ୍ତନ ସହ କିଛି ଅତ୍ୟାଧୁନିକ ଆସବାବପତ୍ର ଲାଗୁଥିବାରୁ ନିର୍ମାଣ କାର୍ଯ୍ୟରେ ବିଳମ୍ବ ହୋଇଛି। ତଥାପି ନିର୍ମାଣ କାର୍ଯ୍ୟ ନ ସରିବା ପର୍ଯ୍ୟନ୍ତ, ପାନ୍ଥନିବାସରେ ଅସ୍ଥାୟୀ ଭାବେ ପାଠପଢ଼ା ଚାଲିବାକୁ ସ୍ଥିର ହୋଇଛି। ସତ୍ୟବାଦୀ ଉତ୍କଳମଣି ଗୋପବନ୍ଧୁ ମହାବିଦ୍ୟାଳୟ ପରିସରରେ ଥିବା ଛାତ୍ରାବାସରେ ଛାତ୍ରଛାତ୍ରୀମାନେ ରହିବେ। ଏଥିପାଇଁ ଓବିସିସି ପକ୍ଷରୁ ପାନ୍ଥନିବାସର ଆବଶ୍ୟକ ପୁନରୁଦ୍ଧାର କାମ କରାଯାଉଛି। ଛାତ୍ରାବାସର ବି ଆବଶ୍ୟକ ପୁନରୁଦ୍ଧାର କାମ ଜାରି ରହିଛି। ପାନ୍ଥନିବାସରେ କୁଳପତିଙ୍କ ଚାମ୍ବର ସହ ଅନ୍ୟାନ୍ୟ ବ୍ୟବସ୍ଥା କରାଯାଇଛି। ପାଠପଢ଼ା ପାଇଁ ପାନ୍ଥନିବାସରେ ଓଡ଼ିଶା ବିଶ୍ବବିଦ୍ୟାଳୟ ପାଇଁ ଆସିଥିବା ଚେୟାର, ଟେବୁଲ୍‌ ସବୁ ପଡ଼ିବ। ପରେ ବିଶ୍ବବିଦ୍ୟାଳୟ କୋଠା ନିର୍ମାଣ ପରେ ଏଗୁଡ଼ିକୁ ସ୍ଥାନାନ୍ତର କରାଯିବ। ପାଠପଢ଼ା ଓ ଛାତ୍ରାବାସରେ ଛାତ୍ରଛାତ୍ରୀମାନେ ରହିବା ପାଇଁ ଆବଶ୍ୟକ ଶୌଚାଳୟର ମରାମତି, ରଙ୍ଗ କାମ, ପାଣି ପାଇଁ ଫିଲ୍‌ଟର ଆଦିର ବ୍ୟବସ୍ଥା କରାଯାଉଛି ବୋଲି ଶ୍ରୀ ପାଢ଼ୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe