୬ ଦିନ ପରେ ଦୂର ହେଲା ବିଧାନସଭା ଅଚଳାବସ୍ଥା

Advertisment
୫ ଦିନ ହେଲା ବିଧାନସଭା ଅଚଳ, ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି

image source--odishaassembly.nic.in

ମନ୍ତ୍ରୀଙ୍କ ବିବୃତିକୁ ନେଇ ତାତିଲେ ବିରୋଧୀ
ନବୀନ ନିବାସ ଯିବା ଘଟଣାରେ ବିଜେପିକୁ କଟାକ୍ଷ କଲେ ନରସିଂହ
ଧାରଣା ଦେଲେ କଂଗ୍ରେସ ବିଧାୟକ

ଭୁବନେଶ୍ବର : ୬ ଦିନର ଅଚଳାବସ୍ଥା ପରେ ବିଧାନସଭା ସ୍ବାଭାବିକ ହୋଇଛି। କିନ୍ତୁ ଧାନ କିଣା ପ୍ରସଙ୍ଗରେ ଯୋଗାଣ ମନ୍ତ୍ରୀଙ୍କ ବିବୃତି ପରେ କିଛି ସମୟ ପାଇଁ ଧାନ ତାତି ଗୃହକୁ ଫେରିଥିଲା। କେବଳ ସେତିକି ନୁହେଁ, ଗତକାଲି ବିଜେପି ବିଧାୟକମାନେ ନବୀନ ନିବାସ ଯିବା ପ୍ରସଙ୍ଗକୁ ନେଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଶୂ୍ନ୍ୟକାଳରେ କଟାକ୍ଷ କରିଥିଲେ। ଆଉ ପରିଣାମ ହେଲା, ତାଙ୍କ ଭାଷଣ ବେଳେ ପାଟିତୁଣ୍ଡ କରିଥିଲେ ବିଜେପି ସଦସ୍ୟ। ବାଚସ୍ପତି ଶ୍ରୀ ମିଶ୍ରଙ୍କୁ ବସିବାକୁ ବାଧ୍ୟ କରିବାରୁ ଅସନ୍ତୁଷ୍ଟ ହୋଇ କଂଗ୍ରେସ ବିଧାୟକମାନଙ୍କ ସମେତ ଶ୍ରୀ ମିଶ୍ର ଗୃହ ମଧ୍ୟଭାଗରେ ଆସି ଧାରଣା ଦେଇଥିଲେ। ଫଳରେ ଗୃହ କାର୍ଯ୍ୟ ଚାଲିନାପାରିନଥିଲା। ଆଜି ବାଚସ୍ପତି ଗୃହକୁ ଏକାଧିକବାର ମୁଲତବୀ କରିବା ସହିତ ସର୍ବଦଳୀୟ ବୈଠକ ଡାକିଥିଲେ। ଶେଷରେ ବିଲମ୍ବିତ ଅପରାହ୍ନରେ ଗୃହ ପୁଣି ସ୍ବାଭାବିକ ହୋଇଥିଲା।

ଶୁକ୍ରବାର ସୁରୁଖୁରୁରେ ପ୍ରଶ୍ନକାଳ ଚାଲିଲା। ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଧାନ କିଣା ନେଇ ବିବୃତି ରଖିଲେ। ମନ୍ତ୍ରୀଙ୍କ ବିବୃତି ବିରୋଧୀଙ୍କୁ ସନ୍ତୁଷ୍ଟ କରିପାରିଲାନି। ଶୂନ୍ୟକାଳରେ କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ମିଶ୍ର କହିଥିଲେ, ଗତକାଲି ସର୍ବଦଳୀୟ ବୈଠକର ନିଷ୍ପତ୍ତି ଅନୁଯାୟୀ ମନ୍ତ୍ରୀ ଗୃହରେ ବିବୃତି ରଖିନାହାନ୍ତି। ପଞ୍ଜୀକୃତ ପ୍ରକୃତ ଚାଷୀମାନଙ୍କର ଧାନ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା କିଣାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି ସତ କିନ୍ତୁ ତାପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଲେଖିବା ଉଚିତ୍‌ ଥିଲା। ବିଜେପି ବିଧାୟକମାନଙ୍କୁ କଟାକ୍ଷ କରି ଶ୍ରୀ ମିଶ୍ର କହିଥିଲେ, ଗତକାଲି ବିଧାନସଭାରୁ ନବୀନ ନିବାସ ଯେଭଳି ହାଇଡ୍ରାମା ଦେଖିବାକୁ ମିଳିଲା ତାହା ଆଗରୁ କେବେ ବି ଆଖି ଦେଖି ନଥିଲା। ବାହାଘର ବରଯାତ୍ରୀ ଭଳି ନବୀନ ନିବାସ ଆଡ଼େ ଯାଇଥିଲେ ବିଜେପି ବିଧାୟକ। ସୁରକ୍ଷା ଦେବାକୁ ବିଜେଡି ବିଧାୟକମାନେ ବି ଯାଇଥିଲେ। କର୍ତ୍ତାଭଳି ମୁଖ୍ୟମନ୍ତ୍ରୀ ପାଛୋଟି ନେଇଥିଲେ। ସ୍ବାଗତ ସମ୍ବର୍ଦ୍ଧନା ପାଇଁ ଭଉଣୀମାନେ ଉପସ୍ଥିତ ଥିଲେ। ବିଜେପିର ବନ୍ଧୁମାନଙ୍କୁ ସ୍ବାଗତ କରିବା ପାଇଁ ନବୀନ ନିବାସ ଆଗରେ ମନ୍ତ୍ରୀମାନେ ବି ଥିଲେ। ମୁଖ୍ୟମନ୍ତ୍ରୀ ନେଇ ବସାଇଲେ ଚାଷୀଙ୍କ ସମ୍ପର୍କରେ ଆଲୋଚନା କଲେ। ବାହାରକୁ ଆସି ବିଜେପି ବନ୍ଧୁମାନେ ସର୍ବଦଳୀୟ ବୈଠକକୁ ଆସିବାକୁ ମୁଖ୍ୟମନ୍ତ୍ରୀ ରାଜି ହୋଇଥିବା କହିଲେ। ଏପରିକି ଚାଷୀଙ୍କ ସମସ୍ତ ଧାନ କିଣାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ମଧ୍ୟ କେତେକ ବିଧାୟକ କହିଲେ। କାଇଁ ଗତକାଲି ଅନୁଷ୍ଠିତ ସର୍ବଦଳୀୟ ବୈଠକକୁ ମୁଖ୍ୟମନ୍ତ୍ରୀ ତ ଆସିଲେ ନାହିଁ? ବିଜେ଼ଡି-ବିଜେପି ଭାଇ ଭାଇ ବୋଲି କଂଗ୍ରେସ କହୁଥିଲା। କିନ୍ତୁ ସେହି କଥା ଗତକାଲି ପ୍ରମାଣିତ ହୋଇଛି ବୋଲି ସେ କହିଥିଲେ।

ସମୟ ହୋଇଯିବାରୁ ବାଚସ୍ପତି ତାଙ୍କୁ ବସନ୍ତୁ ବୋଲି କହିଥିଲେ। କିନ୍ତୁ ଶ୍ରୀ ମିଶ୍ର ଶୁଣିନଥିଲେ। କହିଥିଲେ, ଯେଉଁ ଚାଷୀଙ୍କ ପ୍ରସଙ୍ଗରେ ୬ ଦିନ ହେଲା ଗୃହ ଅଚଳ ଥିଲା। ସେହି ପ୍ରସଙ୍ଗରେ ତାଙ୍କୁ କହିବାକୁ ସୁଯୋଗ ଦିଅନ୍ତୁ। ଏହି ସମୟରେ ବିରୋଧୀ ଦଳ ମୁଖ୍ୟ ସଚେତକ ପାଟି କରି ଶ୍ରୀ ମିଶ୍ର ଅଧିକ ସମୟ ନେଲେଣି ବୋଲି ଆପତ୍ତି ଉଠାଇଥିଲେ। ସଙ୍ଗେ ସଙ୍ଗେ ବିଜେପିର ଅନ୍ୟସମସ୍ତ ସଦସ୍ୟ ପାଟିକରିବାରୁ ବାଚସ୍ପତି ଶ୍ରୀ ମିଶ୍ରଙ୍କୁ ବସିବାକୁ ବାଧ୍ୟ କରିଥିଲେ। 'ମୋତେ କହିବାକୁ ସୁଯୋଗ ନ ଦେଲେ ଗୃହ କିପରି ଚାଲିବ' ବୋଲି କହି ଶ୍ରୀ ମିଶ୍ର ଦଳୀୟ ବିଧାୟକମାନଙ୍କ ସହିତ ଗୃହ ମଧ୍ୟଭାଗକୁ ଆସି ଧାରଣା ଦେଇଥିଲେ। କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ବାଚସ୍ପତିଙ୍କ ପୋଡ଼ିୟମ୍‌ ବାଡ଼େଇବା ସହିତ ବିଜେଡି-ବିଜେପି ଭାଇ ଭାଇ ବୋଲି ନାରାବାଜି କରିଥିଲେ। ବାଚସ୍ପତି ଶ୍ରୀ ପାତ୍ର ଯେତେ ନିବେଦନ କରିଥିଲେ ବି କଂଗ୍ରେସ ବିଧାୟକମାନେ ନିଜ ନିଜ ଆସନକୁ ଫେରିନଥିଲେ। ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଥିଲେ, ଗତକାଲି ବିଜେପି ବିଧାୟକମାନେ ନବୀନ ନିବାସ ଯାଇ ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଲୋଚନା କରିଛନ୍ତି। ଗୃହର ଅଚଳାବସ୍ଥା ନେଇ ମୁଖ୍ୟମନ୍ତ୍ରୀ କହିଥିଲେ, ବାଚସ୍ପତି ସର୍ବଦଳୀୟ ବୈଠକ ଡାକିବେ। ସର୍ବଦଳୀୟ ବୈଠକରେ ସମାଧାନର ରାସ୍ତା ବାହାରିବ। ଏହାସହିତ ବିରୋଧୀଙ୍କୁ ଗୃହ କାର୍ଯ୍ୟରେ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ। ଧାନ କିଣା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ କହିଥିଲେ, ଏ ନେଇ ସେ ବିଭାଗୀୟ ମନ୍ତ୍ରୀଙ୍କ ସହ ଆଲୋଚନା କରିବେ। କିନ୍ତୁ ସର୍ବଦଳୀୟ ବୈଠକରେ ଯୋଗ ଦେବା ନେଇ ମୁଖ୍ୟମନ୍ତ୍ରୀ କହିନଥିଲେ ବୋଲି ଶ୍ରୀ ଆରୁଖ ଗୃହରେ ସ୍ପଷ୍ଟ କରିଦେଇଥିଲେ।

କଂଗ୍ରେସ ବିଧାୟକମାନେ ଧାରଣା ପ୍ରତ୍ୟାହାର କରିବାକୁ ବାଚସ୍ପତି ଶ୍ରୀ ପାତ୍ର ବାରମ୍ବାର ଅନୁରୋଧ କରିଥିଲେ ବି ସେମାନେ ନିଜ ନିଜ ଆସନକୁ ଫେରିନଥିଲେ। ଫଳରେ ବାଚସ୍ପତି ପ୍ରଥମେ ଗୃହକୁ ମୁଲତବୀ ରଖି ସର୍ବଦଳୀୟ ବୈଠକ ଡାକିଥିଲେ। କିନ୍ତୁ ବିଜେପି ବିଧାୟକମାନେ ସର୍ବଦଳୀୟ ବୈଠକ ଯାଇନଥିଲେ। ଅପରାହ୍ନରେ ଅଚଳାବସ୍ଥା ଦୂର କରିବାକୁ ବାଚସ୍ପତି ଡାକିଥିବା ସର୍ବଦଳୀୟ ବୈଠକରେ ବିଜେପି ଯୋଗଦେଇଥିଲା।

ବିଶ୍ବସ୍ତ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ମଧ୍ୟାହ୍ନରେ ଗୃହ ମୁଲତବୀ ହେବା ପରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ଓ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ବିରୋଧରେ କିଛି କଥାକୁ ନେଇ ବଚସା ହୋଇଥିଲା। ଯାହାକୁ ନେଇ ଅପରାହ୍ନ ଅଧିବେଶନରେ କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ମିଶ୍ର ଗୃହର ସଦସ୍ୟମାନଙ୍କ ଭିତରେ ଏପରି ଆଚରଣ ଉଚିତ ନୁହେଁ ବୋଲି କହିଥିଲେ।

ବିଜେପି-କଂଗ୍ରେସ ସଦସ୍ୟମାନଙ୍କ ହୋହଲ୍ଲା ସମ୍ପର୍କରେ ଗୃହ ବାହାରେ ପ୍ରତିକ୍ରିୟା ରଖି ସରକାରୀ ଦଳ ମୁଖ୍ୟ ସଚେତିକା ପ୍ରମିଳା ମଲ୍ଲିକ କହିଥିଲେ, ଉଭୟ ଦଳ ନିଜ ପ୍ରଚାର ପ୍ରସାର ପାଇଁ ମାତିଛନ୍ତି। ନିଜ ନିଜ ଭିତରେ ଆକ୍ଷେପ ଓ ପ୍ରତିଆକ୍ଷେପ କରି ଗୃହକୁ ଅଚଳ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe