ଶିଶୁ ଯୌନ ଶୋଷଣରେ ଓଡ଼ିଶା ଚତୁର୍ଥ

ଆରମ୍ଭ ହେଲା ଓ୍ଵାର୍ଲଡ ଭିଜନ ଇଣ୍ଡିଆର ଜାତୀୟ ଅଭିଯାନ

ଶିଶୁ ଯୌନ ଶୋଷଣରେ ଓଡ଼ିଶା ଚତୁର୍ଥ

Photo by : nyoooz.com

ଭୁବନେଶ୍ୱର : ଶିଶୁ ଯୌନ ଶୋଷଣରେ ଭାରତ ବିଶ୍ୱରେ ଦ୍ୱିତୀୟ। ପୁଣି ଦେଶ ଭିତରେ ଓଡ଼ିଶା ଚତୁର୍ଥ ସ୍ଥାନରେ ରହିଛି। ଏନ୍‌ସିଆର୍‌ବି ତଥ୍ୟ ଅନୁଯାୟୀ, ୨୦୧୫ରେ ଭାରତରେ ଶିଶୁ ଦୁଷ୍କର୍ମ ବାବଦରେ ୧୦ ହଜାର ୮୫୪ଟି ମାମଲା ରୁଜୁ ହୋଇଥିବାବେଳେ ୧୦୫୨ ମାମଲା ସହ ଓଡ଼ିଶା ଏହି ତାଲିକାର ତୃତୀୟ ସ୍ଥାନରେ ରହିଛି। ଶିଶୁ ଯୌନ ନିର୍ଯାତନା ନିରାକରଣ ଆଇନର ତଥ୍ୟ ଅନୁଯାୟୀ ପ୍ରତି ୧ ଲକ୍ଷ ଶିଶୁରେ ପ୍ରାୟ ୭ ହଜାର ଶିଶୁ ଏଭଳି ନିର୍ଯ୍ୟାତନାର ଶିକାର ହେଉଛନ୍ତି। ପୁଣି ୨୦୧୪ରେ ୭୫୩ ଶିଶୁ ଦୁଷ୍କର୍ମ ମାମଲା ରୁଜୁ ହୋଇଥିବା ବେଳେ ୨୦୧୫କୁ ତାହା ବଢ଼ି ୧୦୫୨ଟି ରୁଜୁ ହୋଇଛି। ବର୍ଷେ ଭିତରେ ଶିଶୁ ଯୌନ ନିର୍ଯାତନା ପ୍ରାୟ ୬୭% ବଢ଼ିଛି। ପୁଣି ଲୋକଲଜ୍ଜା, ସଚେତନତା ଅଭାବ ତଥା ଅଶିକ୍ଷା କାରଣରୁ ପ୍ରାୟ ୭୦% ମାମଲା ପଞ୍ଜୀକୃତ ହୋଇପାରୁନାହିଁ ବୋଲି ୨୦୦୭ରେ କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ରିପୋର୍ଟ କହୁଛି।

ଗତ କିଛି ଦିନ ହେଲା ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କ ଭାଇରାଲ୍‌ ଭିଡିଓ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଥିବା ବେଳେ ‘ଓ୍ଵାଲର୍ଡ ଭିଜନ ଇଣ୍ଡିଆ(ଡବ୍ଲ୍ୟୁଭିଆଇ)’ର ଏକ କାର୍ଯ୍ୟକ୍ରମରେ ପ୍ରସ୍ତୁତ ଏଭଳି ସାଂଘାତିକ ତଥ୍ୟ ସମାଜର ଦୁଃସ୍ଥିତିକୁ ସ୍ପଷ୍ଟ କରୁଛି। ସମାଜରେ ଘଟୁଥିବା ଶିଶୁ ଯୌନ ଶୋଷଣ ଓ ନିର୍ଯାତନାକୁ ରୋକି ୨୦୨୧ ସୁଦ୍ଧା ଦେଶକୁ ଏକ ଶିଶୁ ଅନୁକୂଳ ରାଷ୍ଟ୍ରରେ ପରିଣତ କରିବା ଉଦ୍ଦେଶ୍ୟରେ ଡବ୍ଲ୍ୟୁଭିଆଇ ପକ୍ଷରୁ ଜାତୀୟ ଅଭିଯାନ ଆରମ୍ଭ ହୋଇଛି। ଆଜି ଭୁବନେଶ୍ୱରଠାରେ ଏହି ଅଭିଯାନ ‘ଶିଶୁ ଯୌନ ଶୋଷଣ ସମାପ୍ତ ପାଇଁ ସମସ୍ତ ଭାରତୀୟଙ୍କ ସହଯୋଗ ଲୋଡ଼ା’ର ଉଦ୍‌ଘାଟନ ଅବସରରେ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା, ଓଏସ୍‌ସିପିସିଆର୍‌ର ଅଧ୍ୟକ୍ଷା କସ୍ତୁରୀ ମହାପାତ୍ର, ଓ କର୍ପୋରେଟର ନବକିଶୋର ବେହେରା ପ୍ରମୁଖ ଏଥିରେ ଅତିଥି ଭାବେ ଯୋଗ ଦେଇଥିଲେ। ୭ ହଜାର ସହର, ସହରାଭିମୁଖୀ ଗ୍ରାମାଞ୍ଚଳ ଓ ଗ୍ରାମଞ୍ଚଳରେ ଏହି କାର୍ଯ୍ୟକ୍ରମକୁ ସାମିଲ କରିବା ଅନୁଷ୍ଠାନର ଲକ୍ଷ୍ୟ ରହିଛି ବୋଲି ଓ୍ଵାଲର୍ଡ ଭିଜନ୍‌ ଇଣ୍ଡିଆର ମୁଖ୍ୟ ଆଡ୍‌ଭୋକେସି ମିଖାଇଲ୍‌ ପ୍ରଧାନ ସୂଚନା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe