ହ୍ମପୁର: ପୁରୁଷ ଓ ମହିଳା ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ବ। ଉଭୟଙ୍କୁ ନେଇ ସଂସାର ରଥ ଆଗକୁ ବଢ଼ିବ। କେବଳ ପୁରୁଷ ହିଁ ରୋଜଗାର କରିବେ ତାହା ନୁହେଁ, ବର୍ତ୍ତମାନ ମହିଳାମାନେ ମଧ୍ୟ ନିଜର ଦକ୍ଷତା ପ୍ରତିପାଦିତ କରୁଛନ୍ତି। ଶିକ୍ଷା ଓ ରୋଜଗାର ମା’ମାନଙ୍କୁ ଅଧିକ ସୁଦୃଢ଼ ଏବଂ ସଶକ୍ତ କରିବ ବୋଲି ବ୍ରହ୍ମପୁର ମହାନଗର ନିଗମ ମେୟର ସଂଘମିତ୍ରା ଦଳାଇ ‘ସମ୍ବାଦ’ ବ୍ରହ୍ମପୁର ସଂସ୍କରଣ ତରଫରୁ ଆୟୋଜିତ ଓଡ଼ିଶା-୫୦ ଗ୍ରାମୀଣ ମହିଳା ଉଦ୍ୟୋଗୀ ସମାବେଶରେ ମତବ୍ୟକ୍ତ କରିଛନ୍ତି।
ଗଞ୍ଜାମ କଳା ପରିଷଦର କବିସୂର୍ଯ୍ୟ ରଙ୍ଗମଞ୍ଚରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଶ୍ରୀମତୀ ଦଳାଇ ସଂଘର୍ଷ ପରେ ହିଁ ସଫଳତା ମିଳିବ ବୋଲି କହିଛନ୍ତି। ପରିଶ୍ରମ କରି ଯେଉଁ ଅର୍ଥ ଉପାର୍ଜନ କରୁଛେ ତା’ର ଠିକ୍ ବିନିଯୋଗ ଆବଶ୍ୟକ। ‘ସମ୍ବାଦ’ର ଓଡ଼ିଶା-୫୦ କାର୍ଯ୍ୟକ୍ରମକୁ ସେ ପ୍ରଶଂସା କରିବା ସହ ମହିଳା ଉଦ୍ୟୋଗୀଙ୍କ ପାଇଁ ଏହା ବେଶ ଉପଯୋଗୀ ହେବ ବୋଲି କହିଥିଲେ।
ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ପୁଅମାନଙ୍କ ଭଳି ଝିଅମାନେ ମଧ୍ୟ ସବୁ କ୍ଷେତ୍ରରେ ନିଜକୁ ପ୍ରତିଷ୍ଠିତ କରି ପାରିଛନ୍ତି ବୋଲି କହିଥିଲେ। ଝିଅମାନେ ଆଉ ଅବଳା ନାହାନ୍ତି। ଯଦି ଝିଅମାନଙ୍କ ପାଖରେ ଶିକ୍ଷା ଓ ରୋଜଗାର ଥିବ ସେମାନଙ୍କୁ କେହି ହରାଇ ପାରିବେ ନାହିଁ। ଏଣୁ ନିଜକୁ ଶିକ୍ଷିତ ଓ ରୋଜଗାରକ୍ଷମ କରିବାକୁ ସେ ମା’ମାନଙ୍କୁ ଆହ୍ବାନ କରିଥିଲେ।
ପ୍ରାରମ୍ଭରେ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ର ନିର୍ଦ୍ଦେଶିକା ଡ.ମୋନିକା ନୈୟାର ପଟ୍ଟନାୟକ ଓଡ଼ିଶା-୫୦ କାର୍ଯ୍ୟକ୍ରମର ଆୟୋଜନ ଓ ଲକ୍ଷ୍ୟ ଉପରେ ସୂଚନା ଦେଇଥିଲେ। ମହିଳାମାନେ କିଭଳି ସ୍ବାବଲମ୍ବୀ ହୋଇ ପାରିବେ ସେ ଉଦ୍ଦେଶ୍ୟ ନେଇ ଗତ ୨୦୨୦ରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ମହିଳା ଉଦ୍ୟୋଗୀମାନେ ତାଙ୍କ ଉଦ୍ୟୋଗ ପାଇଁ ଋଣ ଓ ଉତ୍ପାଦିତ ସାମଗ୍ରୀର ବିକ୍ରି ପାଇଁ ଚିନ୍ତାରେ ରହିଥାନ୍ତି। ସେହି ଚିନ୍ତାକୁ ଦୂର କରିବା ସହିତ ଉଚିତ ମାର୍ଗଦର୍ଶନ କରିବା ହେଉଛି ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ବୋଲି କହିଥିଲେ। ଦ୍ବିତୀୟ ଅଧିବେଶନରେ ଆୟୋଜିତ ମତ ବିନିମୟ କାର୍ଯ୍ୟକ୍ରମରେ ଅତିଥି ଭାବେ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତିଭାସନ୍, ବିଏମ୍ସି କମିସନର୍ ପ୍ରଥମେଶ ଅରବିନ୍ଦ ରାଜସିର୍କେ ଯୋଗ ଦେଇଥିଲେ। ‘ସମ୍ବାଦ’ ବ୍ରହ୍ମପୁର ସଂସ୍କରଣ ଶାଖା ପରିଚାଳକ ସୁଶୀଲ କୁମାର ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ମହାନଗର ସଂସ୍କରଣ ସଂଯୋଜକ ପ୍ରମୋଦ ପଟ୍ଟନାୟକ ସଂଯୋଜନା କରିଥିଲେ।
Follow Us