ଶିଶୁପାଳ ହୋଇ ଫେରିଲେ ଆନ୍ଧ୍ର ଅଧିକାରୀ, ଆନ୍ଧ୍ରର ମେଗା ସ୍ୱାସ୍ଥ୍ୟମେଳାକୁ ଭଣ୍ଡୁର କଲା ପ୍ରଶାସନ

Advertisment
ଶିଶୁପାଳ ହୋଇ ଫେରିଲେ ଆନ୍ଧ୍ର ଅଧିକାରୀ, ଆନ୍ଧ୍ରର ମେଗା ସ୍ୱାସ୍ଥ୍ୟମେଳାକୁ ଭଣ୍ଡୁର କଲା ପ୍ରଶାସନ

୧୦ରୁ ଊର୍ଦ୍ଧ୍ବ ତେଲୁଗୁ ଫଳକ ଜବତ କଲା ପୁଲିସ
ଉପରସେମ୍ବୀରେ ଆନ୍ଧ୍ର-ଓଡ଼ିଶା ଅଧିକାରୀ ମୁହାଁମୁହିଁ
ସପ୍ତାହେ କୋଟିଆକୁ ଜଗିବେ ପୁଲିସ ଫୋର୍ସ

କୋରାପୁଟ/ପଟ୍ଟାଙ୍ଗି : ଆନ୍ଧ୍ରକୁ ଚକମା ଦେଲା ଓଡ଼ିଶା। କୋଟିଆର ତଳଗଞ୍ଜେଇ ପଦରରେ ଆନ୍ଧ୍ର ମେଗା ସ୍ୱାସ୍ଥ୍ୟମେଳା କରିବାକୁ ଯୋଜନା କରିଥିଲା। ତେବେ କୋରାପୁଟ ଜିଲ୍ଲା ପ୍ରଶାସନ ଏହାକୁ ଭଣ୍ଡୁର କରି ସେହି ଗ୍ରାମରେ ପଟ୍ଟାଙ୍ଗି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମାନ ସ୍ୱାସ୍ଥ୍ୟମେଳା ଆୟୋଜନ କରାଇଥିଲା। ଫଳରେ ଆନ୍ଧ୍ରର ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ମୁହଁ ମୋଡ଼ି ଶିଶୁପାଳ ହୋଇ ଫେରିଯିବାକୁ ବାଧ୍ୟ ହୋଇଥିଲେ। ସେହିପରି ଓଡ଼ିଶା ଭିତରେ ପ୍ରବେଶ କରି ବିଭିନ୍ନ ଗାଁରେ ତେଲୁଗୁ ଫଳକ ପୋତିବାକୁ ଯୋଜନା କରିଥିଲା ଆନ୍ଧ୍ର। ହେଲେ ଏହାକୁ ମଧ୍ୟ ପଣ୍ଡ କରିଛି କୋରାପୁଟ ଜିଲ୍ଲା ପ୍ରଶାସନ ଓ ପୁଲିସ। ଶୁକ୍ରବାର ଭୋର ସକାଳୁ ବିବାଦୀୟ କୋଟିଆ ଗ୍ରାମପୁଞ୍ଜରେ କୋରାପୁଟ ଜିଲ୍ଲା ପ୍ରଶାସନ ଏବଂ ପୁଲିସ ପହଞ୍ଚି ୧୦ରୁ ୧୨ଟି ତେଲୁଗୁ ଫଳକକୁ ଜବତ କରିଛନ୍ତି। ଜବତ ଫଳକଗୁଡ଼ିକ ଫଟ୍ଟାଙ୍ଗି ଥାନାକୁ ଆଣି ରଖିଥିବା ଜଣାପଡ଼ିଛି। ପୁଲିସ ପକ୍ଷରୁ ମାଡ଼କାର ଓ ତଳସେମ୍ବୀରେ ନାକା କରାଯାଇଥିବା ବେଳେ ଆସନ୍ତା ଏକ ସପ୍ତାହ ପାଇଁ କୋଟିଆକୁ ପୁଲିସ ଫୋର୍ସ ଜଗି ରହିବେ ବୋଲି ଜଣାପଡ଼ିଛି।

ଶୁକ୍ରବାର ଦିନ କୋଟିଆ ଗ୍ରାମପୁଞ୍ଜରେ ଦୁଇଟି କାର୍ଯ୍ୟକ୍ରମ କରିବାକୁ ପଡ଼ୋଶୀ ଆନ୍ଧ୍ର ଯୋଜନା କରିଥିଲା। ତଳଗଞ୍ଜେଇ ପଦର ଗ୍ରାମରେ ସ୍ବାସ୍ଥ୍ୟ ଶିବିର କରିବାକୁ ଥିଲା ବେଳେ ପ୍ରଶାସନିକ ଅଧିକାରୀମାନେ କୋଟିଆର ବିଭିନ୍ନ ଗ୍ରାମରେ ପହଞ୍ଚି ଆନ୍ଧ୍ରର ଫଳକ ଲଗାଇବା ସହ ଆନ୍ଧ୍ର ସରକାରଙ୍କ ବିଭିନ୍ନ ଯୋଜନା ସଂପର୍କରେ ସଚେତନ କରିବାକୁ ଯୋଜନା ରହିଥିଲା। ତେବେ ଏହି ଖବର କୋରାପୁଟ ପ୍ରଶାସନ ନିକଟରେ ପହଞ୍ଚି ଯାଇଥିଲା। ପରେ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁନାବେଡ଼ା ଏସ୍‌ଡିପିଓ, ପଟ୍ଟାଙ୍ଗି ବିଡିଓ, କୋରାପୁଟ ତହସିଲଦାର, ପଟ୍ଟାଙ୍ଗି ଆଇଆଇସି ପ୍ରମ୍ମୁଖ ପ୍ରାୟ ୪ ପ୍ଲାଟୁନ ଫୋର୍ସ ସହ ଉପରସେମ୍ବୀ ନିକଟରେ ପହଞ୍ଚି ନାକାବନ୍ଦୀ କରିଥିଲେ। ଫଳରେ ଆନ୍ଧ୍ରର ଏପିଡି (ଆଇଟିଡିଏ) ସଚିନ ନାଇଡୁ ଏକ ଟିମ୍ ସହ କୋଟିଆ ଅଞ୍ଚଳରେ ଅନୁପ୍ରବେଶ କରୁଥିବା ସମୟରେ ଉପରସେମ୍ବୀ ଗ୍ରାମ ନିକଟରେ ଓଡ଼ିଶା ଅଧିକାରୀମାନେ ଜଗି ରହି ଘୋର ବିରୋଧ କରିଥିଲେ। ଯାହାଫଳରେ ମୁହଁ ମୋଡ଼ି ଅଧାବାଟରୁ ଫେରିଯାଇଥିଲେ ଆନ୍ଧ୍ର ଅଧିକାରୀ। ସେହିପରି ଆନ୍ଧ୍ରକୁ ଚକମା ଦେବା ପରେ ପଟ୍ଟାଙ୍ଗି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତଳଗଞ୍ଜେଇ ପଦର ଗ୍ରାମରେ ମେଗା ସ୍ବାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା। ଫଳରେ ଆନ୍ଧ୍ରର ସ୍ବାସ୍ଥ୍ୟବିଭାଗ ଧୂଳିପଦର ଗ୍ରାମରେ ସ୍ବାସ୍ଥ୍ୟ ଶିବିର ଆୟୋଜନ କରି ହାତ ଗଣତି ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରି ନିରାଶରେ ଫେରିବାକୁ ପଡ଼ିଥିଲା। ପଟ୍ଟାଙ୍ଗି ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ତଲଗଞ୍ଜେଇ ପଦର ଗ୍ରାମ ଠାରେ ଆୟୋଜିତ ମେଗା ସ୍ବାସ୍ଥ୍ୟମେଳାରେ ୧୧୮ ଜଣ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା ବେଳେ ସେଥିମଧ୍ୟରୁ ୧୦୦ ଜଣଙ୍କୁ ଚକ୍ଷୁ ପରୀକ୍ଷା କରାଯାଇ ୬୨ ଜଣଙ୍କୁ ଚଷମା ପ୍ରଦାନ କରାଯାଇଥିଲା। ସେହିପରି ୫ ଜଣଙ୍କୁ ମୋତିଆବିନ୍ଦୁ ଅସ୍ତ୍ରୋପଚାର ନିମନ୍ତେ ଚିହ୍ନଟ କରାଯାଇଥିବା ସୂଚନା ମିଳିଛି। ସମସ୍ତଙ୍କୁ ମାଗଣା ଔଷଧ ପ୍ରଦାନ କରାଯିବା ସହିତ ରୋଗୀଙ୍କୁ ଗାଁରୁ ଆଣି ଚିକିତ୍ସା କରି ପୁଣି ଗାଁରେ ନେଇ ଛଡ଼ାଯାଇଥିବା ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ ଯେ ଗତକାଲି ଆନ୍ଧ୍ର ପୁଲିସ କୋଟିଆ ଅଞ୍ଚଳରେ ଅନୁପ୍ରବେଶ କରି କିଛି ବୃଦ୍ଧାଙ୍କୁ ଟଙ୍କା ବାଣ୍ଟିଥିଲା। ଏପରି ବାରମ୍ବାର ଲୁଚି ଛପି ଗଳାବାଟ ଦେଇ ଅନୁପ୍ରବେଶ କରି ବିଭ୍ରାଟ ସୃଷ୍ଟି କରୁଛି ଆନ୍ଧ୍ର। ଯାହାକୁ ନେଇ ଆନ୍ଧ୍ରର ଏଭଳି ଅନୁପ୍ରବେଶକୁ ସାଧାରଣରେ ତୀବ୍ର ବିରୋଧ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe