ଫଳ ଉତ୍ପାଦନ ବୃଦ୍ଧି ଲକ୍ଷ୍ୟରେ ଓଡ଼ିଶା, ଅଭାବୀ ବିକ୍ରି ହେଉଛି ସମସ୍ୟା

Advertisment
ଇଏମ୍‌ଆଇରେ ମିଳିବ ଆମ୍ବ

Medical News Today

ଭୁବନେଶ୍ବର : ଓଡ଼ିଶାରେ ୩.୬ ଲକ୍ଷ ହେକ୍ଟର ଜମିରେ ଫଳ ଚାଷ କରାଯାଏ। ଫଳ ଚାଷରେ ଦେଶରେ ରାଜ୍ୟର ସ୍ଥାନ ସପ୍ତମ। ଆଗାମୀ ଦିନରେ ହେକ୍ଟର ପିଛା ଉତ୍ପାଦନ ହାର ୭ରୁ ୧୩ ଟନ୍‌ ବୃଦ୍ଧିର ଲକ୍ଷ୍ୟ ରହିଥିବା କହିଛନ୍ତି କେନ୍ଦ୍ରୀୟ ଉଦ୍ୟାନ ଗବେଷଣା କେନ୍ଦ୍ରର ପ୍ରମୁଖ ବୈଜ୍ଞାନିକ ଡ. ଗୋବିନ୍ଦ ଆଚାର୍ଯ୍ୟ। ଏଥିପାଇଁ କମିଟି ମଧ୍ୟ ଗଠିତ ହୋଇଛି। ଏଣେ କିନ୍ତୁ ଦସେରି ଆମ୍ବ ବଜାରରେ କିଲୋ ପ୍ରତି ୨୦୦ରୁ ଅଧିକ ଟଙ୍କାରେ ବିକ୍ରି ହୋଇଥିଲା। କିନ୍ତୁ ଚାଷୀଙ୍କୁ ୪୦ରୁ ୫୦ ଟଙ୍କା ମିଳିଥିବା କହିଛନ୍ତି କଳାହାଣ୍ଡି ଚାଷୀ। ଡଙ୍ଗରିଆ କନ୍ଧ ଉତ୍ପାଦିତ ସପୁରିର ଚାହିଦା କାହିଁରେ କେତେ। କିନ୍ତୁ ଚାଷୀ ୭ରୁ ୧୦ ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ ହୋଇଥିବା କହିଛନ୍ତି ରାୟଗଡ଼ା ଚାଷୀ। ଏଭଳି ସ୍ଥିତିରେ ଧାନ ଭଳି ଫଳର ଏମଏସ୍‌ପି କାହିଁକି ନିର୍ଧାରଣ କରାଯାଉ ନାହିଁ ବୋଲି ପ୍ରଶ୍ନ ଉଠିଛି।

ଡ୍ରାଗନ ଫ୍ରୁଟ, ବଡ଼ ବରକୋଳି ଚାଷର ଚାହିଦା ବଢୁଛି
କାର୍ଯ୍ୟକ୍ଷମ ହେଉନି ପ୍ରୋସେସିଂ ୟୁନିଟ୍
ଫଳର ଏମଏସ୍‌ପି ପାଇଁ ଦାବି

publive-image

ଓଡ଼ିଶାରେ ମୁଖ୍ୟତଃ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀ ଫଳ ଚାଷ କରନ୍ତି। ଏଠାରେ ସର୍ବାଧିକ ୨ ଲକ୍ଷ ୧୮ ହଜାର ହେକ୍ଟରର ଆମ୍ବ, ୨୫ ହଜାର ୭୦୦ ହେକ୍ଟରର କାଗଜି ଲେମ୍ବୁ, ୨୩ ହଜାର ୬୦୦ ହେକ୍ଟରର କଦଳୀ, ୧୪ ହଜାର ୮୦୦ ହେକ୍ଟରର ପିଜୁଳି, ୧୩ ହଜାର ୫୦୦ ହେକ୍ଟର ଜମିରେ ପଣସ ଉତ୍ପାଦନ ହୁଏ। ଅପରପକ୍ଷରେ ଅମୃତଭଣ୍ଡା, ଚିକି, ସପୁରି, ଲିଚିର ଉତ୍ପାଦନ ବୃଦ୍ଧି ପାଇବାରେ ଲାଗିଛି। ଓଡ଼ିଶାରେ ଆମ୍ବରେ କେବଳ ଆମ୍ବ୍ରପଲି ଉତ୍ପାଦିତ ହେଉଥିବାରୁ ଗୋଲାପ ଖାସ, କେଶର, ବାଇଗଣ ପଲେଇ, ଦସେରି, ତୋଟାପରି ଫଳ ପାଇଁ ପ୍ରୋତ୍ସାହନ ଦିଆଯାଉଛି। ଡ୍ରାଗନ ଫ୍ରୁଟ, ବଡ଼ ବରକୋଳି ଭଳି ବର୍ତ୍ତମାନର ଚାହିଦା ଥିବା ଫଳ ଉତ୍ପାଦନ ପାଇଁ ଚାଷ ଆରମ୍ଭ ହୋଇଛି। ଆଗାମୀ ଦିନରେ ରାମବୁଟାନ ଭଳି ଆଉ କିଛି ଫଳ ଚାଷ ପାଇଁ ସରକାର ଯୋଜନା ଆରମ୍ଭ କରିଛନ୍ତି। ଫଳ ଚାରା ପାଇଁ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼େ। ସ୍ଥାନୀୟ ଚାଷୀଙ୍କୁ ୪୦ ଲକ୍ଷରୁ ଅଧିକ ଚାରାର ଆବଶ୍ୟକତା ଥାଏ। ରାଜ୍ୟରେ ୨୫ରୁ ୩୦ ଲକ୍ଷ ଚାରା ଯୋଗାଣର ବ୍ୟବସ୍ଥା ରହିଛି। ଓୟୁଏଟି ସମେତ ବିଭିନ୍ନ ସଂସ୍ଥା ସହାୟତାରେ ଓଡ଼ିଶା ୫ ବର୍ଷରେ ଚାରାରେ ଆତ୍ମନିର୍ଭରଶୀଳ ହେବା ପାଇଁ ଲକ୍ଷ୍ୟ ରଖିଛି। ଏଥିସହିତ ଗୋଟିଏ ଜମିରେ କେବଳ ଗୋଟିଏ ପ୍ରକାର ଫଳ ନଲଗାଇ ଏକାଧିକ ଫଳ ଗଛ ଲଗାଯାଉଛି। ଏଥିରେ ମୁଖ୍ୟତଃ ଆମ୍ବ ସହିତ ସପୁରି ଲଗାଇବା ଉପରେ କିଛି ବର୍ଷ ହେଲା ଚାଷୀମାନେ ଗୁରୁତ୍ବ ଦେଉଛନ୍ତି। ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ, ମିସନ ଫର ଇଣ୍ଟିଗ୍ରେସନ ଜରିଆରେ ଜଳସେଚନର କରାଯାଉଥିବା କୁହାଯାଏ।

publive-image Mashable

କଳାହାଣ୍ଡି ଚାଷୀ ଦେବେଶ ମାଧବ ସିଂଙ୍କ କହିବା କଥା ହେଉଛି, ଚାରା ଯୋଗାଣ ଠାରୁ ବିକ୍ରି ପର୍ଯ୍ୟନ୍ତ ଫଳ ଚାଷର ପ୍ରତ୍ୟେକ କ୍ଷେତ୍ରରେ ସମସ୍ୟା ରହିଛି। ଅନ୍ୟପକ୍ଷରେ ଫଳ ଚାଷ ପାଇଁ ଉଦ୍ୟାନ ବିଭାଗର ଅନେକ ଯୋଜନା ରହିଥିବା କୁହାଯାଏ। କିନ୍ତୁ ଆବେଦନ କଲେ ଲାଭ ମିଳେନାହିଁ। ଏହାଛଡ଼ା ରାଜ୍ୟରେ ମାର୍କେଟିଂରେ ସର୍ବାଧିକ ସମସ୍ୟା। ଚଳିତ ବର୍ଷ ଆମ୍ବ ବଜାରରେ ଚଢ଼ା ଦରରେ ବିକ୍ରି ହେଲେ ମଧ୍ୟ ଚାଷୀଙ୍କୁ ଲାଭ ମିଳିଲା ନାହିଁ। ଏଠାରେ ମଧ୍ୟ ପ୍ରୋସେସିଂ ୟୁନିଟ ନାହିଁ। ଆମ୍ବ ଆଚାର କରିବାକୁ କୁହାଯାଏ। ମାତ୍ର ମେସିନ ମିଳେ ନାହିଁ। ରାୟଗଡ଼ା, କଳାହାଣ୍ଡିରେ ବ୍ୟାପକ ସପୁରି ଉତ୍ପାଦିତ ହୁଏ। ତେଣୁ ବିଷମ କଟକରେ ପ୍ରୋସେସିଂ ୟୁନିଟ ପାଇଁ ଭୂମି ପୂଜନ ହେଲା କିନ୍ତୁ ବର୍ଷ-ବର୍ଷ ପରେ ମଧ୍ୟ ଏହା କାର୍ଯ୍ୟକ୍ଷମ ହେଉନଥିବା ଅଭିଯୋଗ ହେଉଛି। ଓରମାସ ମଧ୍ୟ ଉପଯୁକ୍ତ ଭାବରେ ମାର୍କେଟିଂ କରୁନଥିବା ବିଭିନ୍ନ ଫଳଚାଷୀ ଅଭିଯୋଗ କରନ୍ତି। ଧାନ ମଣ୍ଡି ଭଳି ଫଳ ମଣ୍ଡି ବ୍ୟବସ୍ଥା କଲେ ଫଳ ଉତ୍ପାଦନ ବଢ଼ିବ ଏବଂ ରାଜ୍ୟକୁ ଅନ୍ୟ ଉପରେ ନିର୍ଭର ହେବାକୁ ପଡ଼ିବ ନାହିଁ ବୋଲି ଚାଷୀମାନେ କହିଛନ୍ତି। ବୈଜ୍ଞାନିକ ଡ. ଗୋବିନ୍ଦ ଆଚାର୍ଯ୍ୟ କହିଛନ୍ତି ମାର୍କେଟିଂ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୩୫୦ ଏଫପିଓ ଗଠନ ହୋଇଛି। ଏଥିସହିତ ଉଦ୍ୟାନ ବିଭାଗର ଓ୍ବେବ୍‌ସାଇଟରେ ଫଳ ଉପଲବ୍ଧର ସୂଚନା ରହିଛି। ଏହା ଜରିଆରେ ବିକ୍ରି କରାଯାଉଛି। ଆପିକଲ ମଧ୍ୟ ଏହି ଦିଗରେ କାର୍ଯ୍ୟ କରୁଥିବା କୁହାଯାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe