ସୀମାନ୍ତରେ ଆନ୍ଧ୍ର-ଓଡ଼ିଶା ବିବାଦ : ରାୟଗଡ଼ାର ୪୧ ଗାଁ ଉପରେ ୨୪ ଘଣ୍ଟିଆ ନଜର

Advertisment
ସୀମାନ୍ତରେ ଆନ୍ଧ୍ର-ଓଡ଼ିଶା ବିବାଦ : ରାୟଗଡ଼ାର ୪୧ ଗାଁ ଉପରେ ୨୪ ଘଣ୍ଟିଆ ନଜର

ରାୟଗଡ଼ା : ପାଞ୍ଚ କି ଦଶ ନୁହେଁ, ଆନ୍ଧ୍ର ସୀମାକୁ ଲାଗିଛି ରାୟଗଡ଼ା ଜିଲ୍ଲାର ୬୧ ଗାଁ। ସୀମାନ୍ତରେ ଥିବା ଅଧିକାଂଶ ଗ୍ରାମ ମୌଳିକ ସୁବିଧା ସୁଯୋଗ ପାଇଁ ଆନ୍ଧ୍ର ଉପରେ ନିର୍ଭରଶୀଳ। ଏହି ସବୁ ଗାଁ ଗୁଡ଼ିକ ଉପରେ ୨୪ଘଣ୍ଟିଆ ନଜର ରଖିବାକୁ ରାଜସ୍ବ ବିଭାଗ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛି।

କୋଟିଆରେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ ଘୋଷଣା ପରେ ଆନ୍ଧ୍ର ସୀମାନ୍ତରେ ଥିବା ଅନ୍ୟ ଜିଲ୍ଲାର ସମସ୍ତ ଗ୍ରାମ ଗୁଡ଼ିକ ଉପରେ ଫୋକସ୍ କରିଛନ୍ତି ରାଜ୍ୟ ସରକାର। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଏ ନେଇ ଜିଲ୍ଲାପାଳଙ୍କୁ ରିପୋର୍ଟ ମାଗିବା ସହ ସୀମାନ୍ତ ଗାଁ ଗୁଡ଼ିକ ଉପରେ କଡ଼ା ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାମନାଗୁଡ଼ା ତହସିଲ ଅନ୍ତର୍ଗତ ଲାଉଗୁଡ଼ା ଗ୍ରାମରେ ଆନ୍ଧ୍ରର ଦବଦବା ଥିବା ନଜରକୁ ଆସିବା ପରେ ଗୁଣପୁର ଉପଜିଲ୍ଲାପାଳ ସୋନାଲ୍ ଜେନା ରାମନାଗୁଡ଼ା ତହସିଲଦାର ଜୟଶ୍ରୀ ମଲ୍ଳିକଙ୍କୁ ରିପୋର୍ଟ ତଲବ କରିଛନ୍ତି। ୩ଦିନ ମଧ୍ୟରେ ସ୍ଥିତି ଅନୁଧ୍ୟାନ କରି ତହସିଲଦାର ରିପୋର୍ଟ ଦେବାପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଉପଜିଲ୍ଲାପାଳ ଶ୍ରୀ ଜେନା ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ ଲାଉଗୁଡ଼ା ଗ୍ରାମରୁ ୨୫ମିଟର ଦୂରରେ ଆନ୍ଧ୍ରର କେଦାରପୁର ପଞ୍ଚାୟତ ରହିଛି। ଆସନ୍ତା ୧୬ ତାରିଖରେ କେଦାରପୁରରେ ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ। ଆନ୍ଧ୍ରର ଗୁମ୍ମାଲକ୍ଷ୍ମୀପୁରମ୍ ମଣ୍ଡଳ ଅଧୀନରେ ଥିବା କେଦାରପୁରର ୯୦ପ୍ରତିଶତ ଲୋକ ଓଡ଼ିଆ। ସେହିପରି ରାମନାଗୁଡ଼ା ତହସିଲର ସୁଲୁକି, ସୁଲୁଡ଼ି, କାଟିକି ପ୍ରଭୃତି ଗ୍ରାମ ଆନ୍ଧ୍ର ସୀମାକୁ ଲାଗି ରହିଛି। ଉଭୟ ରାଜ୍ୟର ସୀମା ମଧ୍ୟରେ ଦୂରତା ମାତ୍ର ୫ରୁ ୧୦ ମିଟର। ଆନ୍ଧ୍ରରେ ପଞ୍ଚାୟତ ନିର୍ବାଚନ ଚାଲିଥିବାରୁ ସୀମାନ୍ତ ଗାଁ ଗୁଡ଼ିକ ଉପରେ ଆନ୍ଧ୍ର ନଜର ପକାଇବା ସହ ସରକାରୀ ଯୋଜନାର ପ୍ରଲୋଭନ ଦେଖାଇ ଭୋଟ ହାତେଇପାରେ। ସରକାରୀ ଭାବେ ଏହି ଗାଁ ଗୁଡ଼ିକ ସୀମା ବିବାଦରେ ଛନ୍ଦି ହୋଇନଥିଲେ ମଧ୍ୟ ପଡ଼ୋଶୀ ସରକାରଙ୍କ ଯୋଜନାର ସୁଫଳ ପାଇବାକୁ ଭୋଟର ଭିତିରିଆ ଭାବେ କିଛି ବି କରିପାରନ୍ତି। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ଏହି ପଦକ୍ଷେପ ଗ୍ରହଣ କରିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe