ଭୁବନେଶ୍ୱର: ଚଳିତ ବର୍ଷ ବାର୍ଷିକ ଉଚ୍ଚ ମାଧ୍ୟମିକ ପରୀକ୍ଷା ଆସନ୍ତା ଫେବ୍ରୁଆରି ୧୮ ତାରିଖରୁ ଏବଂ ବାର୍ଷିକ ମାଧ୍ୟମିକ ପରୀକ୍ଷା ସମେତ ରାଜ୍ୟମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ଏବଂ ମଧ୍ୟମା ପରୀକ୍ଷା ଫେବ୍ରୁଆରି୧୯ରୁ ଅନୁଷ୍ଠିତ ହେବ। ଏଥି ନିମନ୍ତେ ଶୃଙ୍ଖଳିତ ପରୀକ୍ଷା ପରିଚାଳନା ନେଇ ଆଜି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଅଧ୍ୟକ୍ଷତା କରି ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ପରୀକ୍ଷା ପରିଚାଳନାରେ କୌଣସି ପ୍ରକାର ଅବହେଳାକୁ ବରଦାସ୍ତ କରାଯିବନି ବୋଲି ମୁଖ୍ୟ ଶାସନ ସଚିବ ସତର୍କ କରିବା ସହିତ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ସହ ଜଡ଼ିତ ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ନିୟୋଜିତ ହେଉଥିବା ସଂପୃକ୍ତ ସମସ୍ତଙ୍କୁ ଯଥେଷ୍ଟ ସତର୍କତା ଅବଲମ୍ବନପୂର୍ବକ ସମସ୍ତେ ନିଜ ନିଜର କର୍ତ୍ତବ୍ୟ ସୁଚାରୁରୁପେ ସଂପାଦନ କରିବାକୁ ମୁଖ୍ୟ ଶାସନ ସଚିବ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି। ବୈଠକରେ ଆଭାସୀ ମାଧ୍ୟମରେ ରାଜ୍ୟର ସମସ୍ତ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳଙ୍କ ସମେତ ଆରକ୍ଷୀ ଅଧିକ୍ଷକମାନେ ଯୋଗଦେଇଥିଲେ।
ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଡଃ. ଏନ୍ ତିରୁମାଳା ନାଏକଙ୍କ ସମେତ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାର ଅଧ୍ୟକ୍ଷ ମୃଣାଳ କାନ୍ତି ଦାସ, ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ କୁମାର ପରିଡା, ଉପ ଶାସନ ସଚିବ ଯଶବନ୍ତ ସାମଲ ପ୍ରମୁଖ ଉପସ୍ଥିତ ଥିବା ବେଳେ ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି ଶ୍ରୀକାନ୍ତ ତରାଇ, ଉପସଭାପତି ଅମୁଲ୍ୟ କୁମାର ପ୍ରଧାନ, ପରୀକ୍ଷା ନିୟନ୍ତ୍ରକ ଚକ୍ରଧର ବେହେରା ପ୍ରମୁଖ ଉପସ୍ଥିତ ରଖି ଶୃଙ୍ଖଳିତ ପରୀକ୍ଷା ପରିଚାଳନା ନେଇ ତଥ୍ୟ ରଖିଥିଲେ।
ସୂଚନାଯୋଗ୍ୟ ଯେ, ବାର୍ଷିକ ଉଚ୍ଚ ମାଧ୍ୟମିକ ପରୀକ୍ଷା-୨୦୨୬ରେ ଏ ବର୍ଷ ୨ ଲକ୍ଷ ୫୬ ହଜାର ୭୦୭ ଜଣ କଳା, ବାଣିଜ୍ୟରେ ୨୪ ହଜାର ୬୨୧ ଏବଂ ବିଜ୍ଞାନରେ ୧ ଲକ୍ଷ ୧୪ ହଜାର ୩୬୩ ଏବଂ ଧନ୍ଦାମୂଳକ ଶିକ୍ଷାରେ ୫୯୩୨ ଏହିପରି ମୋଟ ୪ ଲକ୍ଷ ୧୬ ହଜାର ୬୨୩ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ଏଥି ପାଇଁ ୨୧୧ଟି ପରୀକ୍ଷା ପରିଚାଳନା ହବ୍, ୧୩୫୭ଟି ପରୀକ୍ଷା କେନ୍ଦ୍ର ସହ ୭ଟି ଉପକେନ୍ଦ୍ର ବ୍ୟବସ୍ଥା କରାଯାଇଛି। ଏହି ପରୀକ୍ଷା ୧୮ ଫେବ୍ରୁଆରି ୨୦୨୬ରୁ ୨୮ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ୨୩ ଦିନ ଧରି ଚାଲିବ।
ଆହୁରି ପଢ଼ନ୍ତୁ: BJP vs Congress: ରାହୁଲଙ୍କୁ ଜବାବ ଦେବାକୁ କଂଗ୍ରେସ ଓ ନେହରୁଙ୍କ ସମ୍ପର୍କିତ ୧୫୦ ପୁସ୍ତକର ସଙ୍କଳନ ପ୍ରସ୍ତୁତ କରୁଛି ବିଜେପି
ସେହିପରି ବାର୍ଷିକ ମାଧ୍ୟମିକ ସାର୍ଟିଫିକେଟ୍ର ପରୀକ୍ଷା ଫେବ୍ରୁଆରି ୧୯ରୁ ଆରମ୍ଭ ହୋଇ ୨ ମାର୍ଚ୍ଚ ୨୦୨୬ରେ ସରିବ। ବାର୍ଷିକ ମାଧ୍ୟମିକ ସାର୍ଟିଫିକେଟ୍ ପରୀକ୍ଷାରେ ୫ ଲକ୍ଷ ୪୬ ହଜାର ୮୭୫ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବାକୁ ଥିବା ବେଳେ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା, ମଧ୍ୟମାକୁ ମିଶାଇ ମୋଟ ୫ ଲକ୍ଷ ୬୧ ହଜାର, ୯୭୯ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ଏଥି ପାଇଁ ସମସ୍ତ ଜିଲ୍ଲାରେ ମୋଟ ୩୨୨ଟି ନୋଡାଲ ସେଣ୍ଟର, ୩୦୮୨ଟି ପରୀକ୍ଷା କେନ୍ଦ୍ର ଓ ୫୦ଟି ‘ଉତ୍ତର ପତ୍ର ମୂଲ୍ୟାଙ୍କନ କେନ୍ଦ୍ର’ ରହିଛି। ପରୀକ୍ଷା ସୁପରିଚାଳନା ନେଇ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା ମୁଖ୍ୟ କାର୍ଯ୍ୟାଳୟ,କଟକର ଷ୍ଟ୍ରଙ୍ଗ ରୁମରୁ ନୋଡାଲ କେନ୍ଦ୍ରଗୁଡିକୁ ଡେସ୍ପାଚ୍ ଟିମ୍ ସହିତ ଶସ୍ତ୍ରଧାରୀ ଆରକ୍ଷୀ କର୍ମଚାରୀ ନିୟୋଜିତ ରହିବାଠାରୁ ଆରମ୍ଭ କରି ପରୀକ୍ଷା କେନ୍ଦ୍ରଗୁଡିକରେ ସୁଚାରୁରୂପେ ପରୀକ୍ଷା ପରିଚାଳନା, ନିରୀକ୍ଷଣ ଓ ସୁରକ୍ଷା ବ୍ୟବସ୍ଥା ସଂପର୍କରେ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଛି। ସମସ୍ତ ନୋଡାଲ କେନ୍ଦ୍ର ଏବଂ ପରୀକ୍ଷା କେନ୍ଦ୍ରଗୁଡିକୁ ପ୍ରଶ୍ନପତ୍ର ଗ୍ରହଣରୁ ଆରମ୍ଭ କରି ଉତ୍ତର ପୁସ୍ତିକା ସଂଗ୍ରହ ପର୍ଯ୍ୟନ୍ତ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ଓ ସିସିଟିଭି ନିରୀକ୍ଷଣ ଅଧିନରେ ରଖାଯିବା ନେଇ ପ୍ରସ୍ତୁତି ହୋଇଥିବା ସଂପର୍କରେ ପ୍ରସ୍ତୁତି ଆଲୋଚନା କରାଯାଇଛି।
ସମସ୍ତ ପରୀକ୍ଷା କେନ୍ଦ୍ର ଭିତରେ ମୋବାଇଲ୍ ଫୋନ୍ ଓ ଅନ୍ୟାନ୍ୟ ଇଲୋକ୍ଟ୍ରାନିକ ଉପକରଣ ବ୍ୟବହାର ନିଷିଦ୍ଧ କରାଯାଇଛି । ପରୀକ୍ଷା ପରିଚାଳନା ସଂପର୍କିତ ନିୟମ ବା ବିଧାନର ଉଲଙ୍ଘନ ହେଲେ ଓଡ଼ିଶା ପରୀକ୍ଷା ପରିଚାଳନା ଆଇନ୍ ୧୯୮୮ ଏବଂ ଭାରତରେ ନ୍ୟାୟ ସଂହିତା ଅନ୍ତର୍ଗତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜଣାଯାଇଛି। ଗାଇଡଲାଇନ୍ ଅନୁସାରେ ସମସ୍ତ ପ୍ରସ୍ତୁତିକୁ ନିଶ୍ଟିତ କରିବାକୁ ମୁଖ୍ୟ ଶାସନ ସଚିବ ନିଦ୍ଦେଶ ଦେଇଛନ୍ତି। ସମସ୍ତ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ ଓ ଜିଲ୍ଲା ନୋଡାଲ ଅଧିକାରୀଙ୍କ ପାଖରେ ପରୀକ୍ଷା ପରିଚାଳନା ମାର୍ଗଦର୍ଶିକା ନିଶ୍ଚିତ ଭାବେ ରହିବା ଓ ଏହାକୁ ଅନୁସରଣ କରିବାକୁ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି।
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିସନର ତଥା ଶାସନ ସଚିବ ଡଃ. ନାଏକ ଶୃଙ୍ଖଳିତ ପରୀକ୍ଷା ପରିଚାଳନା ପାଇଁ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି। ପ୍ରସ୍ତୁତି ନେଇ ସେ ଆବଶ୍ୟକ ସୂଚନା ପ୍ରଦାନ କରିବା ସହ ସବୁ ପରୀକ୍ଷା ପରିଚାଳନା କେନ୍ଦ୍ରରେ ଯେପରି କୌଣସି ପ୍ରକାର ଅନାବଶ୍ୟକ ଜନଗହଳି ନ ରୁହେ, ଏଥି ପାଇଁ ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ଆରକ୍ଷୀ ଅଧିକାରୀମାନଙ୍କୁ ପ୍ରସ୍ତୁତି ପାଇଁ ଆବଶ୍ୟକ ପରାମର୍ଶ ଦେଇଛନ୍ତି।
Follow Us