୩୪୦ କୋଟିର ୪ ନିବେଶ ପ୍ରସ୍ତାବକୁ ମଞ୍ଜୁରି

Advertisment

୧୨,୬୦୦ କୋଟିର ପ୍ରକଳ୍ପ ଏଚଏଲସିଏର ବିଚାର ପାଇଁ ପଠାଗଲା

୧୨,୬୦୦ କୋଟିର ପ୍ରକଳ୍ପ ଏଚଏଲସିଏର ବିଚାର ପାଇଁ ପଠାଗଲା

ସମ୍ଭାବ୍ୟ ଗ୍ରୀଷ୍ମ-ପ୍ରବାହ ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ, ସଚେତନତା କାର୍ଯ୍ୟକ୍ରମ ବ୍ୟାପକ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ବର : ପ୍ରାୟ ୩୪୦ କୋଟି ଟଙ୍କା ମୂଲ୍ୟର ୪ଟି ନିବେଶ ପ୍ରସ୍ତାବକୁ ରାଜ୍ୟ ସରକାର ଆଜି ମଞ୍ଜୁରି ଦେଇଛନ୍ତି। ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିଅରାନ୍ସ ଅଥରିଟି ବୈଠକରେ ଏହି ମଞ୍ଜୁରି ପ୍ରଦାନ କରାଯାଇଛି।

ଏତଦବ୍ୟତୀତ ଅଥରିଟି ପକ୍ଷରୁ ଆଲୁମିନିୟମ ଆନୁଷଙ୍ଗିକ ଶିଳ୍ପ, ପେଟ୍ରୋରସାୟନ ଓ ରସାୟନ କ୍ଷେତ୍ରର ପ୍ରାୟ ୧୨ ହଜାର ୬୦୦ କୋଟି ଟଙ୍କାର ପ୍ରକଳ୍ପକୁ ଏଚଏଲସିଏ ବା ଉଚ୍ଚସ୍ତରୀୟ ମଞ୍ଜୁରି କମିଟିଙ୍କ ବିଚାର ନିମନ୍ତେ ପଠାଇ ଦେଇଛି।

ଆଜି ନୀତିଗତ ମଞ୍ଜୁରି ଲାଭ କରିଥିବା ୪ଟି ପ୍ରକଳ୍ପ ପାଇଁ କେତେ ଜମି ଓ ଜଳ ଆବଶ୍ୟକ ତାହାର ଏକ ବାସ୍ତବ ଆକଳନ କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ ଅଧିକାରୀମାନଙ୍କୁ କହିଥିଲେ। ପ୍ରକଳ୍ପ ଗୁଡ଼ିକ ଯେଭଳି ଶୀଘ୍ର କାର୍ଯ୍ୟକାରୀ ହେବ ତାହାକୁ ତଦାରଖ କରିବା ଲାଗି ଶ୍ରୀ ପାଢ଼ୀ ବିଭିନ୍ନ ବିଭାଗକୁ ପରାମର୍ଶ ଦେଇଥିଲେ।

ମଞ୍ଜୁରି ଦିଆଯାଇଥିବା ପ୍ରସ୍ତାବ ଗୁଡ଼ିକ ମୁଖ୍ୟତଃ ଧାତବ‌ କ୍ଷେତ୍ରର ଆନୁଷଙ୍ଗିକ ଶିଳ୍ପ ସମେତ ଲଜିଷ୍ଟିକ୍ସ ଓ ପର୍ଯ୍ୟଟନ କ୍ଷେତ୍ର ସହ ଜଡ଼ିତ। ଏହି ୪ଟି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ୧୩୫୪ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ଦିଲ୍ଲୀସ୍ଥିତ ଏକ କମ୍ପାନି ପକ୍ଷରୁ ଯାଜପୁର ଜିଲ୍ଲାର କଳିଙ୍ଗନଗର ଶିଳ୍ପାଞ୍ଚଳରେ ୧୩୦ କୋଟି ଟଙ୍କା ନିବେଶରେ ବାର୍ଷିକ ୧,୮୦,୦୦୦ ଟନ କ୍ଷମତା ବିଶିଷ୍ଟ ଏକ ଇସ୍ପାତ ଟ୍ୟୁବ ଓ ପାଇପ କାରଖାନା ନିର୍ମାଣ ପ୍ରସ୍ତାବକୁ ମଞ୍ଜୁରି ଦିଆଯାଇଛି। ଏହି କାରଖାନା ୬୦୦ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। କଳିଙ୍ଗନଗର ଶିଳ୍ପାଞ୍ଚଳରେ ୯୨ କୋଟି ଟଙ୍କା ବ୍ୟୟରେ ଏକ ଇସ୍ପାତ କବାଟ ଓ ଝରକା ନିର୍ମାଣ କରିବାକୁ ଆସିଥିବା ଅନ୍ୟ ଏକ ପ୍ରସ୍ତାବକୁ ମଧ୍ୟ ମଞ୍ଜୁରି ଦିଆଯାଇଛି। ଏହି କାରଖାନାର ବାର୍ଷିକ ଉତ୍ପାଦନ କ୍ଷମତା ମଧ୍ୟ ୧,୮୦,୦୦୦ ଟନ୍ ରହିବ ଏବଂ ଏଥିରେ ୨୫୦ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ସେହିଭଳି ଖୋର୍ଦ୍ଧା ଜିଲ୍ଲାରେ ଲଜିଷ୍ଟିକ୍ସ ପାର୍କ ନିର୍ମାଣ ପ୍ରସ୍ତାବକୁ ମଞ୍ଜୁରି ଦିଆଯାଇଛି। ଏହି ପାର୍କରେ ଏକ ଗୋଦାମ ଗୃହ ନିର୍ମାଣ ହେବ। ଏହି ଗୋଦାମ ଗୃହର ଛାତ ଉପରେ ୬୦୦ କିଲୋୱାଟର ସୌର ଶକ୍ତି ଉତ୍ପାଦନ ହେବ। ଏଠାରେ ଏଫଏମସିଜି, ଦୀର୍ଘସ୍ଥାୟୀ ସାମଗ୍ରୀ, ପୋଷାକ ଏବଂ ଔଷଧ ଆଦି ସାମଗ୍ରୀ ମହଜୁଦ ରହିବ। ଏହି ପ୍ରକଳ୍ପରେ ମୋଟ ୬୬ କୋଟି ୭୯ ଲକ୍ଷ ଟଙ୍କା ନିବେଶ ହେବ ଏବଂ ଏଥିରେ ୩୬୨ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ମଞ୍ଜୁରି ହାସଲ କରିଥିବା ଚତୁର୍ଥ ପ୍ରକଳ୍ପଟି ପର୍ଯ୍ୟଟନ ଶିଳ୍ପ ସହ ଜଡିତ। ବ୍ରହ୍ମପୁରର ବନ୍ଥପାଲି ଗ୍ରାମରେ ଏକ ରିସର୍ଟ ସ୍ଥାନ ଲାଗି ବ୍ରହ୍ମପୁରଭିତ୍ତିକ ଏକ ରିଅଲ ଇଷ୍ଟେଟ କମ୍ପାନି ଦେଇଥିବା ପ୍ରସ୍ତାବକୁ ମଞ୍ଜୁରି ମିଳିଛି। ଏହି ପ୍ରକଳ୍ପରେ କଟେଜ, ରେ‌ଷ୍ଟୁରାଣ୍ଟ, ସୁଇମିଂ ପୁଲ୍ ଏବଂ ହେଲ୍‌ଥ୍‌ କ୍ଲବ ଆଦି ନିର୍ମାଣ ପ୍ରସ୍ତାବ ରହିଛି। ୫୦ କୋଟି ୪୮ ଲକ୍ଷ ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ ହେବ ଏବଂ ଏଥିରେ ୧୪୨ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ।

ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୀବ ଚୋପ୍ରା ପ୍ରକଳ୍ପ ଗୁଡ଼ିକୁ ବିଚାର ପାଇଁ ପ୍ରସ୍ତାବ ରଖିଥିଲେ। ବୈଠକରେ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଏମଏସଏମଇ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏଲ. ଏନ. ଗୁପ୍ତାଙ୍କ ସମେତ ଅନ୍ୟ ବିଭାଗର ପ୍ରମୁଖ ସଚିବ, ସଚିବ ଓ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe