ଆଜିଠାରୁ ବିଧାନସଭା

Advertisment
୩୦ରେ ସରିବ ବିଧାନସଭା, କରୋନା ପାଇଁ ଅବଧିକୁ କାଣ୍ଟ୍‌ଛାଣ୍ଟ୍‌ କଲେ ବାଚସ୍ପତି

odishaassembly.nic.in

ଭୁବନେଶ୍ବର : ଆସନ୍ତାକାଲି (୧୪ ତାରିଖ) ଠାରୁ ରାଜ୍ୟ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଦୁଇଟି ପର୍ଯ୍ୟାୟରେ ଏହି ଅଧିବେଶନ ଏପ୍ରିଲ ୯ ତାରିଖ ଯାଏ ଚାଲିବ। ପ୍ରଥମ ପର୍ଯ୍ୟାୟର ପ୍ରଥମ ଦିନରେ ଆସନ୍ତାକାଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଅଭିଭାଷଣ ପ୍ରଦାନ କରିବେ। ୧୮ ତାରିଖ ଦିନ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୦-୨୧ ଆର୍ଥିକ ବର୍ଷ ଲାଗି ବଜେଟ୍ ଉପସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି। ବିଭାଗଵାରି ଖର୍ଚ୍ଚଦାବି ଆଲୋଚନା ପରେ ମାର୍ଚ୍ଚ ୩୧ ତାରିଖ ଦିନ ବ୍ୟୟମଞ୍ଜୁରି ବିଲ୍ ପାରିତ ହେବ।

ବିଧାନସଭା ଅଧିବେଶନ ପାଇଁ ଆଜି ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ନିଜ ନିଜର ରଣନୀତି ନିର୍ଧାରଣ ପାଇଁ ବୈଠକ କରିଛନ୍ତି। ସେପଟେ ବାଚସ୍ପତି ସଂସଦୀୟ ଢାଞ୍ଚାରେ ଶୃଙ୍ଖଳିତ ଭାବେ ଗୃହ ପରିଚାଳନା ପାଇଁ ସର୍ବଦଳୀୟ ବୈଠକ ଡାକିଥିଲେ। ସବୁ ଦଳର ବିଧାୟକଙ୍କ ସହଯୋଗ ଲୋଡିଥିଲେ।

ବାଚସ୍ପତି ସବୁ ଦଳର ନେତାମାନଙ୍କୁ ନିବେଦନ କରିଥିଲେ ଯେ ସଦସ୍ୟମାନେ ଯାହା କହିବାର ଅଛି ନିଜ ଆସନରେ ଠିଆ ହୋଇ କହିଲେ ଭଲ ହେବ। କୌଣସି ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ଯାଇ ବିଧାନସଭା ଗୃହ ମଧ୍ୟ ଭାଗକୁ ଆସି ମୁଣ୍ଡବିନ୍ଧା କଲେ ବିଶେଷ ସୁଫଳ ମିଳିବ ନାହିଁ।

ବିଧାନସଭାର ନିଜ ପ୍ରକୋଷ୍ଠରେ ଅନୁଷ୍ଠିତ ଏହି ବୈଠକରେ ସବୁ ଦଳର ନେତା ଯୋଗଦେଇଥିଲେ। ପରେ ଗଣମାଧ୍ୟମକୁ ବାଚସ୍ପତି ଆହୁରି କହିଥିଲେ ଯେ ବିଧାନସଭା କାର୍ଯ୍ୟବିଧି ଓ କାର୍ଯ୍ୟ ପରିଚାଳନା ନିୟମର ଗଣ୍ଡି ଭିତରେ ରହି ସଦସ୍ୟମାନେ ପ୍ରସଙ୍ଗ ଉତ୍‌ଥାପନ କରିପାରିବେ। ୩୧ ଦିନ ଧରି ଚାଲିବାକୁ ଥିବା ଏହି ବଜେଟ୍‌ ଅଧିବେଶନ ସମୟରେ ଗୃହରେ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ସଦସ୍ୟମାନଙ୍କୁ ଅନୁରୋଧ କରିଥିଲେ।

ସର୍ବଦଳୀୟ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସଂସଦୀୟ ବ୍ୟାପାର୍ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ, ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, ସିପିଏମ୍‌ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe