‘ଦରବୃଦ୍ଧି’ ତାତି ରାସ୍ତା‌ରେ; ପେଟ୍ରୋଲ୍‌ ନେଇ ଆଜି ବାମଦଳର ଓଡ଼ିଶା ବନ୍ଦ

Advertisment

କଂଗ୍ରେସର ସାଇକେଲ ଯାତ୍ରା, ବିଜୁଳି ନେଇ ବିଜେପିର ବିକ୍ଷୋଭ

କଂଗ୍ରେସର ସାଇକେଲ ଯାତ୍ରା, ବିଜୁଳି ନେଇ ବିଜେପିର ବିକ୍ଷୋଭ

୨୭ରେ ‘ଭାରତ ବନ୍ଦ’ ଡାକରା, ସକାଳ ସାଢ଼େ ୯ଟା ସୁଦ୍ଧା ଅଫିସ ପହଞ୍ଚିବେ କର୍ମଚାରୀ

Patrika

ଭୁବ‌ନେଶ୍ବର : ପେଟ୍ରୋଲ, ଡିଜେଲ ୧୦୦ ପାର୍‌ ହୋଇଗଲାଣି। ଖାଇବା ତେଲ ୨୦୦ ଛୁଇଁବାକୁ ବସିଲାଣି। ରନ୍ଧନ ଗ୍ୟାସ୍‌ ୯୦୦ ପାଖାପାଖି ହେଲାଣି। ଯେଉଁ ଅତ୍ୟାବଶ୍ୟକ ସାମଗ୍ରୀରେ ହାତ ମାରିବ, ସେଠି ଦର ଆକାଶଛୁଆଁ। ଲାଗୁଛି ଯେମିତି ବଜାର ଉପରେ ଆଉ ସରକାରଙ୍କ ନିୟନ୍ତ୍ରଣ ନାହିଁ। ଗୋଟିଏ ପଟେ କରୋନା ଲକ୍‌ଡାଉନ୍ ପାଇଁ ଜୀବିକା ବିପର୍ଯ୍ୟସ୍ତ ହୋଇପଡ଼ିଥିଲା ବେଳେ ଅନ୍ୟପଟେ ବଜାର ଦର ସାଧାରଣ ଜନତାଙ୍କୁ କଲବଲ କରୁଛି। ତାହା ସହିତ ବିଜୁଳି ଦର ବୃଦ୍ଧି ବୋଝ ଉପରେ ନଳିତା ବିଡ଼ା।

ସାଧାରଣ ଜନତାଙ୍କ ମଧ୍ୟରେ ସୃଷ୍ଟି ହେଉଥିବା ତୀବ୍ର ଅସନ୍ତୋଷକୁ ଆୟୁଧ କରି ରାସ୍ତାକୁ ଓହ୍ଲାଇଛନ୍ତି ରାଜନୈତିକ ଦଳ। ଦର ବୃଦ୍ଧିର ତାତି ଏବେ ରାସ୍ତାକୁ ଆସିଛି। ପରସ୍ପର ବିରୋଧୀ ରାଜନୈତିକ ଦଳ ଭିନ୍ନ ଭିନ୍ନ ପ୍ରସଙ୍ଗରେ ଆନ୍ଦୋଳନ କରୁଥିଲେ ମଧ୍ୟ ସବୁର ମୂଳ ଭିତ୍ତି ହେଉଛି ଦର ବୃଦ୍ଧି। ବିଜୁଳି ଦର ବୃଦ୍ଧିକୁ ପ୍ରସଙ୍ଗ କରି ବିଜେପି ବୁଧବାର ରାଜ୍ୟ ସରକାରଙ୍କ ବିରୋଧରେ ରାଜ୍ୟବ୍ୟାପୀ ଆନ୍ଦୋଳନ ଆରମ୍ଭ କରିଛି। ପେଟ୍ରୋଲ୍‌, ଡିଜେଲ୍‌, ରନ୍ଧନ ଗ୍ୟାସ୍ ସହ ଅତ୍ୟାବଶ୍ୟକ ସାମଗ୍ରୀ ଦର ବୃଦ୍ଧି ପ୍ରତିବାଦରେ ଉଭୟ କେନ୍ଦ୍ର ଓ ରାଜ୍ୟକୁ ଟାର୍ଗେଟ୍‌ କରି ଆନ୍ଦୋଳନ ଜାରି ରଖିଛି କଂଗ୍ରେସ। ସମାନ ପ୍ରସଙ୍ଗକୁ ନେଇ ବାମଦଳଗୁଡ଼ିକ ପକ୍ଷରୁ ୧୫ ତାରିଖରେ ୬ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ପ୍ରମୁଖ ରାଜନୈତିକ ଦଳଗୁଡ଼ିକର ଆନ୍ଦୋଳନ ଏବେ ରାଜ୍ୟ ରାଜନୀତିକୁ ସରଗରମ କରିଛି।

publive-image

ରାଜନୈତିକ ଦଳଗୁଡ଼ିକର ଆନ୍ଦୋଳନରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ ସବୁ ପ୍ରକାର ଅତ୍ୟାବଶ୍ୟକ ସାମଗ୍ରୀର ଦର ଲୋକଙ୍କୁ ନାକେଦମ୍ କଲାଣି।

କରୋନା ପାଇଁ ଲୋକଙ୍କ ରୋଜଗାର କମିଛି। ବେରୋଜଗାରୀ ଆଶାତୀତ ଭାବେ ବଢ଼ିଚାଲିଛି। କିନ୍ତୁ ବଜାର ଦର ହୁ ହୁ ହୋଇ ବଢ଼ିଚାଲିଛି। କିନ୍ତୁ ବଢ଼ିବାର ଠୋସ୍ କାରଣ ଖୋଜି ତାହାର ନିରାକରଣ ପାଇଁ କୌଣସି ସ୍ତରରେ ଆଗ୍ରହ ପ୍ରକାଶ ପାଉ ନାହିଁ। ଏ ନେଇ ଲୋକଙ୍କ ସାମ୍ନାରେ ପ୍ରକୃତ ତଥ୍ୟ ବି ସରକାର ରଖୁ ନାହାନ୍ତି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏକ ପ୍ରକାର ଅସହାୟ ହୋଇପଡ଼ିଛନ୍ତି। ଲୋକଙ୍କୁ ହନ୍ତନ୍ତ ‌ହେବାକୁ ସମସ୍ତେ ଛାଡ଼ି ଦେଇଛନ୍ତି।

ବାମପନ୍ଥୀ ଦଳଗୁଡ଼ିକ ପକ୍ଷରୁ ଗୁରୁବାର ଦିନ ୬ ଘଣ୍ଟିଆ ଓଡ଼ିଶା ବନ୍ଦ ସକାଳ ୬ଟାରୁ ଆରମ୍ଭ ହେବ। ବନ୍ଦକୁ ସଫଳ କରିବା ପାଇଁ ବାମପନ୍ଥୀ ଦଳଗୁଡ଼ିକ ପକ୍ଷରୁ ଆବଶ୍ୟକ ପ୍ରସ୍ତୁତି କରାଯାଇଛି। ଆଜି ସନ୍ଧ୍ୟାରେ ବିଭିନ୍ନ ସ୍ଥାନରେ ମଶାଲ ଶୋଭାଯାତ୍ରା କରାଯାଇ ବନ୍ଦ ପାଇଁ ସଚେତନତା ସୃଷ୍ଟି କରାଯାଇଥିଲା। ଦର ବୃଦ୍ଧିକୁ ପ୍ରତ୍ୟାହାର ପାଇଁ କେନ୍ଦ୍ର ସରକାର ଠୋସ୍‌ ପଦକ୍ଷେପ ନେବାପାଇଁ ‌ଦଳଗୁଡ଼ିକ ପକ୍ଷରୁ ଦାବି କରାଯାଇଛି। ଆସନ୍ତାକାଲି ଜାତୀୟ ରାଜପଥ, ରେଳ ଷ୍ଟେସନ୍ ସମେତ ବିଭିନ୍ନ କେନ୍ଦ୍ରୀୟ ସରକାରୀ କାର୍ଯ୍ୟାଳୟ ସାମ୍ନାରେ ପିକେଟିଂ କରାଯିବ। ବନ୍ଦକୁ ସଫଳ କରିବା ପାଇଁ ଜନସାଧାରଣ ସହଯୋଗ କରିବାକୁ ବାମଦଳଗୁଡ଼ିକ ପକ୍ଷରୁ ନିବେଦନ କରାଯାଇଛି। ଏହି ବନ୍ଦକୁ କଂଗ୍ରେସ ସମ୍ପୂର୍ଣ୍ଣ ସମର୍ଥନ କରିବ ବୋଲି ପିସିସି ସଭାପତି ଘୋଷଣା କରିଛନ୍ତି। କଂଗ୍ରେସ ନେତୃବୃନ୍ଦ ‘ବନ୍ଦ’କୁ ସଫଳ କରିବା ପାଇଁ ସହଯୋଗ କରିବାକୁ ସେ ଆହ୍ବାନ ଦେଇଛନ୍ତି।

ବନ୍ଦ ପରିପ୍ରେକ୍ଷୀରେ ସବୁ ଜିଲ୍ଲାପାଳଙ୍କୁ ଆଜି ରାଜ୍ୟ ଗୃହ ପକ୍ଷରୁ ଚିଠି ‌ଲେଖାଯାଇଛି। ଜିଲ୍ଲାରେ ଅତ୍ୟାବଶ୍ୟକ ସେବା ଜାରି ରଖି ଆଇନ୍‌ଶୃଙ୍ଖଳା ପରିସ୍ଥିତି ଠିକ୍ ରଖିବା ପାଇଁ ସମସ୍ତ ପ୍ରକାର ପ୍ରତିକାରମୂଳକ ପଦକ୍ଷେପ ନେବାକୁ କୁହାଯାଇଛି।

publive-image ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର କ୍ରମାଗତ ଦରବୃଦ୍ଧି ପ୍ରତିବାଦରେ ବୁଧବାର ଦିନ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ବରେ ଏକ ସାଇକେଲ ଶୋଭାଯାତ୍ରା ରାଜଧାନୀ ପରିକ୍ରମା କରିଥିଲା। ତୈଳ ଦର ବୃଦ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଚ୍ଛେଦିନ୍‌ର ନଗ୍ନ ନମୁନା। ସେହିପରି ରନ୍ଧନ ଗ୍ୟାସ୍‌ ସିଲିଣ୍ଡର୍‌ର ଦରବୃଦ୍ଧି ଓ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ପାଇଁ ଖାଉଟି ଆଖିରୁ ଲୁହ ଗଡ଼ାଉଛନ୍ତି। ଏହି ଲୁହ ସରକାରଙ୍କ ଉପରେ ପଡ଼ିବ। କରୋନା ବେଳେ ଲୋକଙ୍କ ଆର୍ଥିକ ସ୍ଥିତି ଭୁଶୁଡ଼ି ପଡ଼ିଥିଲା ବେଳେ ମୋଦୀ ସରକାର ନିଜ ଅହଙ୍କାର ବଳରେ ଖାଉଟିଙ୍କ ଉପରେ ଟିକସ ପଇସା ଲଦିବା ଦୁର୍ଭାଗ୍ୟଜନକ ବୋଲି ପିସିସି ସଭାପତି କହିଥିଲେ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନମାରଣ ନୀତି ବିରୋଧରେ ପ୍ଲାକାର୍ଡ ପ୍ରଦର୍ଶନ କରାଯାଇଥିଲା। ୧୫ ତାରିଖରେ ଦରବୃଦ୍ଧିର ପ୍ରତିବାଦ ସ୍ବରୂପ କେହି ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ନ କିଣିବାକୁ ସେ ଲୋକଙ୍କୁ ନିବେଦନ କରିଛନ୍ତି। ମହିଳା କଂଗ୍ରେସ ପକ୍ଷରୁ ମଧ୍ୟ ରାଜଧାନୀରେ ଆଜି ପ୍ରତିବାଦ କରାଯାଇଥିଲା।

ବିଜୁଳି ଦର ବୃଦ୍ଧି ପ୍ରତିବାଦରେ ବିଜେପି ଆଜି ରାସ୍ତାକୁ ଓହ୍ଲାଇଛି। ୭ ଦିନ ଧରି ପର୍ଯ୍ୟାୟକ୍ରମେ ଏହି ଆନ୍ଦୋଳନ ଚାଲିବ। ବିଜେପି ସଭାପତି ସମୀର ମହାନ୍ତି ଆରୋପ ଲଗାଇଛନ୍ତି ଯେ ରାଜ୍ୟ ସରକାର ୟୁନିଟ ପିଛା ବିଜୁଳି ଦର ୩୦ ପଇସା ବୃଦ୍ଧି କରି ସାଧାରଣ ଜନତାଙ୍କୁ ଶୋଷଣ କରୁଛନ୍ତି। ବଡ଼ ଶିଳ୍ପ ସଂସ୍ଥା ଓ ସରକାରୀ ଅନୁଷ୍ଠାନରୁ ବକେୟା ଆଦାୟ ନ କରି ସାଧାରଣ ଉପଭୋକ୍ତାଙ୍କୁ ଉପରେ ସରକାର ଆର୍ଥିକ ବୋଝ ଲଦି ଦେଉଛନ୍ତି। ଏହି ବର୍ଦ୍ଧିତ ଦରକୁ ପ୍ରତ୍ୟାହାର ପାଇଁ ଦଳ ଦାବି କରିଛି। ଆଜି ଭୁବନେଶ୍ବର ସମେତ ବିଭିନ୍ନ ସ୍ଥାନରେ ବିଦ୍ୟୁତ ବିତରଣ କମ୍ପାନି ସାମ୍ନାରେ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ବିଭିନ୍ନ ଜିଲ୍ଲାରେ ଏହି ପ୍ରତିବାଦ ଜାରି ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe