ଛତିଶଗଡ଼ ଚାଲାଣ ହେଉଛି ଓଡ଼ିଶା ଧାନ, କଳାବଜାରୀ ରୋକିବାକୁ ସୀମା ସିଲ୍

Advertisment
ଗ୍ରାଉଣ୍ଡ ଜିରୋରେ ‘ସମ୍ବାଦ’: ମିଲର୍ସ ମର୍ଜିରେ ଧାନକିଣା

Picfair

ଚନ୍ଦାହାଣ୍ତି : ସୀମାନ୍ତ ଛତିଶଗଡ଼ର ଦେଓଭୋଗ ପ୍ରଶାସନର ତତ୍ପରତା ପରେ ଗଳା ବାଟ ଖୋଜିବାରେ ଲାଗିଛନ୍ତି ଅସାଧୁ ଧାନ ବ୍ୟବସାୟୀ। ଗତକାଲି ୧୭ଶହରୁ ଊର୍ଦ୍ଧ୍ବ ଗଚ୍ଛିତ ପ୍ୟାକେଟ ଧାନ ଜବତ ହେବା ସତ୍ତ୍ବେ ଏହାର କୌଣସି ପ୍ରଭାବ ଏହି ବ୍ୟବସାୟୀଙ୍କ ଉପରେ ପଡ଼ୁ ନଥିବା ଦେଖିବାକୁ ମିଳିଛି। କାରଣ ଆଜି ମଧ୍ୟ ଦେଓଭଗ ଉପଖଣ୍ଡ ପ୍ରଶାସନ ବିଭିନ୍ନ ସ୍ଥାନରେ ଚଢ଼ଉ କରି ହଜାରେରୁ ଅଧିକ ବସ୍ତା ଧାନ ଜବତ କରିଛି। ଏହାପରେ ଓଡ଼ିଶାକୁ ଲାଗି ରହିଥିବା ଦେଓଭୋଗ ଜିଲ୍ଲା ସୀମାକୁ ପଡ଼ୋଶୀ ରାଜ୍ୟର ପ୍ରଶାସନ ସିଲ୍ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହିକ୍ରମରେ ନବରଙ୍ଗପୁର ଜିଲ୍ଲାର ଚନ୍ଦାହାଣ୍ତି ବ୍ଲକ୍‌ର କୋଇଲିମୁଣ୍ତା-ଅମଲିପଦର, ସନ୍ଧିମୁଣ୍ତା-ଅମଲିପଦର, ବେହେରାମୁଣ୍ତା-ଉରମାଲ, ତେଲାତାଣ୍ତି-ମଙ୍ଗୋରୋଡା, ଖପରାଡିହି-ମଡାଗାଁ, ମାଲଗାଁ-ବରେହି ରାସ୍ତାରେ ଦେଓଭୋଗ ପ୍ରଶାସନ ସ୍ବତନ୍ତ୍ର ସ୍କ୍ବାଡ୍ ମୁତୟନ କରିବ ବୋଲି ସୂଚନା ମିଳିଛି।

publive-image

ନବରଙ୍ଗପୁର ଜିଲ୍ଲାରେ ଆଜି ସୁଦ୍ଧା ଆରମ୍ଭ ହୋଇପାରିନି ମଣ୍ଡି। ଆସନ୍ତା ମାସ ୧ତାରିଖରୁ ଧାନ କିଣାଯିବ ବୋଲି ପ୍ରଶାସନ ନିଷ୍ପତ୍ତି ନେଇଛି। ଯାହାର ସୁଯୋଗ ନେଇ କିଛି ଅସାଧୁ ବ୍ୟବସାୟୀ ଏବଂ ଦଲାଲ ଏବେ ନବରଙ୍ଗପୁର ଜିଲ୍ଲାର ରାଇଘର, ଉମରକୋଟ ସହ ଚନ୍ଦାହାଣ୍ଡି ବ୍ଲକର ଗାଁ ଗାଁ ବୁଲୁଛନ୍ତି। ଓଡ଼ିଶାରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ୧୮୩୫ ଟଙ୍କା ରହିଥିବା ବେଳେ ଗତବର୍ଷଠାରୁ ଛତିଶଗଡ଼ର ସରକାର ଏମ୍‌ଏସ୍‌ପି ୨୫ଶହ ଟଙ୍କା କରିଛନ୍ତି। କ୍ବିଣ୍ଟାଲ ପିଛା ୬୬୫ ଟଙ୍କାର ପାର୍ଥକ୍ୟ ରହିଥିବାରୁ ଅସାଧୁ ବ୍ୟବସାୟୀ ଏବଂ ଦଲାଲ ଓଡ଼ିଶାରୁ ସ୍ବଳ୍ପ ମୂଲ୍ୟରେ ଧାନ କିଣି ନେବାକୁ ଅଧିକ ଗୁରୁତ୍ବ ଦେଉଛନ୍ତି। ସେହିପରି ଗତ କିଛି ବର୍ଷ ହେଲା ମଣ୍ଡିକୁ ଧାନ ନେଇ ହଟହଟା ହୋଇଥିବା ଓଡ଼ିଶା ଚାଷୀ ବି ଅଯଥା ସମସ୍ୟାରେ ନପଡ଼ିବା ପାଇଁ ଏହି ଦଲାଲଙ୍କୁ ଧାନ ବିକ୍ରି କରି ଦେଉଥିବା ଦେଖିବାକୁ ମିଳିଛି। ଏ ନେଇ ଚାଷୀଙ୍କ କହିବା ହେଲା, ଦିନ ଦିନ ଧରି ମଣ୍ଡିରେ ଜଗି ରହିବାକୁ ପଡ଼ୁଛି। ପୁଣି ଟଙ୍କା ମିଳିବାରେ ମଧ୍ୟ ବିଳମ୍ବ ହେଉଛି। ଗାଁରୁ ମଣ୍ଡି ପର୍ଯ୍ୟନ୍ତ ଗାଡ଼ି କରି ନେବା କଷ୍ଟକର କାମ। ଏମିତି ଧାନ ବିକ୍ରି କରିବା ଦ୍ବାରା ଘରୁ ଆସି ଦଲାଲମାନେ ଧାନ ନେଇ ଟଙ୍କା ଦେଇ ଯାଉଛନ୍ତି। ଯଦିଓ ସାମାନ୍ୟ କମ ଟଙ୍କା ମିଳୁଛି ହେଲେ, ପରିଶ୍ରମ କମି ଯାଉଥିବା କହିଛନ୍ତି। ତେବେ ଗତକାଲିଠାରୁ ଦେଓଭୋଗ ପ୍ରଶାସନର କଡ଼ା ଆଭିମୁଖ୍ୟ ଯୋଗୁଁ ବହୁ ଗାଡ଼ି ଓଡ଼ିଶା ସୀମା ଅତିକ୍ରମ କରିପାରି ନଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe